www.samajalive.in
Monday, December 15, 2025
16.1 C
Bhubaneswar

ବିପଦ ସଂକେତ ଉପରେ ଭାର୍ଗବୀ, ଫୁଲୁଛି ଦୟା

ପିପିଲି:ମହାନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ମୁଣ୍ଡଳୀ ଦେଇ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଗୁରୁବାର ଅପରାହ୍ନରୁ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି। ଭାର୍ଗବୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଦୟାନଦୀ ଫୁଲିବାରେ ଲାଗିଛି। ଉଭୟ ନଦୀରେ ବେଳକୁ ବେଳ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ରାତି ସୁଦ୍ଧା ଏହା ଆହୁରି ବଢିବାର ସମ୍ଭାବନା ରହିଛି । ଫଳରେ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳବାସୀ ସମ୍ଭାବ୍ୟ ବନ୍ୟାକୁ ନେଇ ଛାନିଆ ହୋଇପଡିଛନ୍ତି।
ଭାର୍ଗବୀ ନଦୀର ହରିପୁର ଠାରେ ବିପଦ ସଙ୍କେତ ୧୨.୦୯୫ ମିଟର ରହିଥିବା ବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ବନ୍ୟାଜଳ ବିପଦ ସଂକେତ ଉପରେ ଅର୍ଥାତ ୧୨.୨୨ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା ସଂପର୍କରେ ଉତ୍ତରା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଜିତୁକୃଷ୍ଣ ନନ୍ଦ ସୂଚନା ଦେଇଛନ୍ତି।

ଭାର୍ଗବୀ ନଦୀର ହରିପୁର ଠାରେ ନଦୀପଠାରେ ଥିବା ମା’ ବିଶେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ବେଢାରେ ୨ଫୁଟ୍‍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ପରିଲକ୍ଷିତ ହୋଇଛି। ଦୟାନଦୀର କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ ମିଟର ରହିଥିବା ବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ୯.୮୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଦୟାନଦୀର ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ସଂନ୍ଧ୍ୟା ୭ଟା ସୁଦ୍ଧା ବନ୍ୟାଜଳ ୧୦.୭୦ ମିଟର ଉପରେ ପ୍ରବାହିତ ହେଉଥିବା ସଂପର୍କରେ ପିପିଲି ଓ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ହିମାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି । ଜଳସେଚନ ବିଭାଗ ପକ୍ଷରୁ ଉଭୟ ନଦୀର ବନ୍ଧ ଉପରେ ୨୪ ଘଣ୍ଟିଆ ସତର୍କ ଦୃଷ୍ଟି ରଖାଯାଇଛି ।

- Advertisement -

ସମ୍ଭାବ୍ୟ ଘଳିଆର ମରାମତି ପାଇଁ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା ଓ ବାଉଁଶ, ବହ୍ଲା ଆଦି ବିଭିନ୍ନ ସ୍ଥାନରେ ମହଜୁଦ ରଖାଯାଇଥିବା ସୂଚନା ମିଳିଛି। ତେବେ ଉଭୟ ନଦୀରେ ବେଳକୁ ବେଳ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରାତି ସୁଦ୍ଧା ଦୟାନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେବାର ସମ୍ଭାବନା ଥିବାରୁ କଣ୍ଟି ଓ ମାଧିପୁର କାଜରୁ ବନ୍ୟାଜଳ ନିର୍ଗତ ହୋଇ ପିପିଲି-ଜଟଣୀ ରାସ୍ତା ଉପରେ ପ୍ରବାହିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଗୁରୁବାର ଅପରାହ୍ନରେ ଜଳସଂପଦ ବିଭାଗ (ମେଗା ଲିଫ୍ଟ)ର ମୁଖ୍ୟଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ, ପୁରୀ ଜଳସଂପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇ, ପିପିଲି ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଷଡାନନ ପ୍ରଧାନ ପ୍ରମୁଖ ଦୟା ଓ ଭାର୍ଗବୀ ନଦୀବନ୍ଧର ସ୍ଥିତି ଯାଞ୍ଚ କରିବା ସହ ନଦୀବନ୍ଧର ସୁରକ୍ଷା ନେଇ ସମୀକ୍ଷା କରିଥିଲେ। ପିପିଲି ବିଡିଓ ରଶ୍ମିତା ନାଥ ଅପରାହ୍ନରେ ଦୟାନଦୀର କଣ୍ଟି ଓ ମାଧିପୁର କାଜ ଅଞ୍ଚଳ ସମେତ ଭାର୍ଗବୀ ନଦୀର ଜଗନ୍ନାଥପୁର ଓ ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରିବା ସହ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏଥିପାଇଁ ପିପିଲି ବ୍ଲକ କାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍ ଖୋଲାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଓ ଆବଶ୍ୟକ ପ୍ରସ୍ତୁତି କରାଯାଇଥିବା ସଂପର୍କରେ ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି । ଆବଶ୍ୟକ ହେଲେ ନଦୀପଠା, ନଦୀବନ୍ଧ ଓ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ନିକଟବର୍ତ୍ତି ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜିନିଷ ମହଜୁଦ ରଖାଯାଇଥିବା ସଂପର୍କରେ ବିଡିଓ ସୂଚନା ଦେଇଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories