ସାତଶଙ୍ଖ ଶୀତଳଭଣ୍ଡାରରେ ଆଳୁ ଗଜା ହେବା ଘଟଣା; ଚାଷୀଙ୍କୁ କ୍ଷତିପୂରଣ ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ପିପିଲି : ପୁରୀ ଜିଲା ପିପିଲି ବ୍ଲକ ସାତଶଙ୍ଖ ସ୍ଥିତ ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାରରେ ରଖାଯାଇଥିବା ଆଳୁ ଗଜା ହେବା ଘଟଣାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଶନିବାର ଶୀତଳଭଣ୍ଡାରରେ ପହଞ୍ଚି ଗଜା ଆଳୁକୁ ଦେଖି ଉଦ୍‍ବେଗ ପ୍ରକାଶ କରିଥିଲେ। କ୍ଷତିଗ୍ରସ୍ତ ସମସ୍ତ ଆଳୁଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହି ଶୀତଳ ଭଣ୍ଡାରରେ ଚଳିତ ଋତୁରେ ପିପିଲି, ନିମାପଡା, ବଳଙ୍ଗା, ସାକ୍ଷୀଗୋପାଳ, ଡେଲାଙ୍ଗ ଓ କଣାସ ଆଦି ଅଞ୍ଚଳର ଚାଷୀମାନେ ନିଜର ୮ହଜାର ବସ୍ତା ଉତ୍ପାଦିତ ଆଳୁ ରଖିଥିଲେ। ତେବେ ସାମୁଦ୍ରିକ ବାତ୍ୟା ଫଣି’ ଯୋଗୁଁ ସୃଷ୍ଟି ହୋଇଥିବା ବିଦ୍ୟୁତ ସମସ୍ୟା, ଶୀତଳ ଭଣ୍ଡାର ଜେନେରେଟର ପାଇଁ ଆବଶ୍ୟକ ଡିଜେଲ ଅଭାବ ଆଦି ସମସ୍ୟା ଯୋଗୁଁ ଆଳୁ ଗଜା ହୋଇଥିବା ସୂଚନା ମିଳିଛି। ତେବେ ଇତିମଧ୍ୟରେ ଚାଷୀମାନେ ଉକ୍ତ ଶୀତଳଭଣ୍ଡାରରୁ ସେମାନଙ୍କ ୪ହଜାର ବସ୍ତା ଆଳୁକୁ ନେଇ ସାରିଥିବା ବେଳେ ଶୀତଳଭଣ୍ଡାରରେ ଏବେ ଆଉ ୪ ହଜାର ଆଳୁ ପ୍ୟାକେଟ୍‍ ରହିଛି। ଏହି ଆଳୁ ସବୁ ଗଜା ହୋଇଯାଇଥିବା ପରିଲକ୍ଷିତ ହୋଇଛି। ଗଜା ଆଳୁକୁ ମନ ଦୁଃଖରେ ଚାଷୀମାନେ ଘରକୁ ନେଉଛନ୍ତି। ବାତ୍ୟାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଶୀତଳଭଣ୍ଡାରରେ ରଖାଯାଇଥିବା ସେମାନଙ୍କ ଆଳୁ ଗଜା ହୋଇଯିବା ଘଟଣା ଚାଷୀକୂଳକୁ ବ୍ୟଥିତ କରିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, ରାଜ୍ୟ ଉପସଭାପତି ଦିଲିପ ସ୍ୱାଇଁ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଭ୍ୟ ତଥା ପିପିଲି-ଡେଲାଙ୍ଗ ବିଜେପି ନେତା ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ପ୍ରମୁଖ ଶନିବାର ଉକ୍ତ ଶୀତଳଭଣ୍ଡାରକୁ ପରିଦର୍ଶନରେ ଆସିଥିଲେ। ସେମାନେ ଶୀତଳଭଣ୍ଡାର ସମ୍ପାଦକ ଦାୟିତ୍ୱରେ ଥିବା ପିପିଲି ବ୍ଲକ ସମବାୟ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶଙ୍କ ସହ ଆଳୁ ଗଜା ହେବାର କାରଣ ଓ କ୍ଷତିଗ୍ରସ୍ତଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଆଦି ସମ୍ପର୍କରେ ଆଲୋଚନା କରିବା ସହ ଗଜା ଆଳୁକୁ ଦେଖି ଉଦ୍‍ବେଗ ପ୍ରକାଶ କରିଥିଲେ। ସେଠାରେ ଉପସ୍ଥିତ କେତେକ ଚାଷୀଙ୍କ ସହ ସେମାନେ ଆଲୋଚନା କରିଥିଲେ। ଆଳୁ ଗଜା ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଥିଲେ। କିଛି ବର୍ଷ ତଳେ ଉକ୍ତ ଶୀତଳ ଭଣ୍ଡାରରେ ଆଳୁ ପଚିଯିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ବହୁ ଦାବି ଆନ୍ଦୋଳନ ସତ୍ତ୍ବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାନଗଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ବିଜେପିର ଏହି ପ୍ରତିନିଧିଦଳ ସହ ବରିଷ୍ଠ ବିଜେପି ନେତା କୃତିବାସ ମହାପାତ୍ର, ଯୁବନେତା ପ୍ରଦୀପ କୁମାର ସାହୁ, ଗଦାଧର ପରିଡା, ସୁବାଷ ଚନ୍ଦ୍ର ପରିଡା, ମଣ୍ଡଳ ସଭାପତି ପ୍ରଦୀପ ପାତ୍ର, ଦେବାଶିଷ ଦିକ୍ଷିତ, ଅକ୍ଷୟ ବେହେରା, ଶ୍ୟାମସୁନ୍ଦର ପରିଡା, ଦିଲିପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.