ବଳଙ୍ଗା ପେଟ୍ରୋଲ ପମ୍ପ ଲୁଟରେ ୩ ଗିରଫ

ପିପିଲି : ବଳଙ୍ଗା ବଜାର ଉପକଣ୍ଠରେ ଥିବା ଏକ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ କରି ୭୦ହଜାର ଟଙ୍କା ଲୁଟି ନେଇଥିବା ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ବଳଙ୍ଗା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ଠାରୁ ନଗଦ ୮୧୫୦ ଟଙ୍କା, ବାଇକ, ୪ଟି ମୋବାଇଲ୍‍, ଗୋଟିଏ ପିସ୍ତଲ, ଗୋଟିଏ ଖେଳଣା ବନ୍ଧୁକ ଓ ଏକ ଖଣ୍ଡାକୁ ଜବତ କରାଯାଇଥିବା ସଂପର୍କରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ଆଜି ପିପିଲି ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାଇ, ଗତ ୨୫ ତାରିଖ ସଂନ୍ଧ୍ୟା ସାଢେ ୮ଟା ସମୟରେ ବଳଙ୍ଗା ବଜାର ନିକଟରେ ଥିବା ସୟଦ ଆଲମ ଅଲ୍ଲୀଙ୍କ ସାଗର ଫିଲିଙ୍ଗ ଷ୍ଟେସନ ନାମକ ପେଟ୍ରୋଲ ପମ୍ପରୁ ଏହି ଲୁଟ୍‍ ହୋଇଥିଲା। ୩ଜଣ ଦୁର୍ବୁତ୍ତ ଏକ ବାଇକ୍‍ରେ ସେଠାରେ ପହଞ୍ଚି ମ୍ୟାନେଜରଙ୍କ ଅଫିସ ଘର ମଧ୍ୟକୁ ଯାଇ ମ୍ୟାନେଜର ଏସ୍‍କେ ଆଲ୍ଲାଉଦ୍ଦିନଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହିତ କ୍ୟାସ୍‍ବାକ୍ସରେ ଥିବା ୭୦ ହଜାର ଟଙ୍କା ସମେତ ୨ଟି ମୋବାଇଲ୍‍କୁ ଲୁଟି ନେଇଥିଲେ। ଯିବାବେଳେ ବାହାରେ ବସିଥିବା ଜଣେ ଅଣଓଡିଆ ଯୁବକ ରମେଶ କୁମାରଙ୍କୁ ସେମାନେ ଖଣ୍ଡାରେ ହାଣି ଫେରାର୍‍ ହୋଇଯାଇଥିଲେ। ରମେଶଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଗୁରୁତର ଆହତ ରମେଶ ଓ ମ୍ୟାନେଜର ଆଲ୍ଲାଉଦ୍ଦିନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ୨୬ ତାରିଖରେ ବଳଙ୍ଗା ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ପୁଲିସ ଏକ ସ୍କ୍ୱାର୍ଡ ମାଧ୍ୟମରେ ଘଟଣାସ୍ଥଳର ସିସିଟିଭି ଫୁଟେଜ୍‍ ଓ ଅନ୍ୟ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ପୁଲିସ ତଦନ୍ତ ଚଳାଇବା ସହ ଘଟଣାର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଥିଲା। ଏହି ଲୁଟ୍‍ରେ ସଂପୃକ୍ତ ଥିବା ୩ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ୍‍ ହୋଇଥିବା ୨ଟି ମୋବାଇଲ୍‍ ସମେତ ମୋଟ୍‍ ୪ଟି ମୋବାଇଲ୍‍, ୮୧୫୦ଟଙ୍କା, ଲୁଟ୍‍ରେ ବ୍ୟବହୃତ ବାଇକ, ଗୋଟିଏ ପିସ୍ତଲ, ଗୋଟିଏ ଖେଳଣା ପିସ୍ତଲ, ମନିପର୍ସ ଓଖଣ୍ଡାକୁ ପୁଲିସ ଜବତ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ଘର ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଘର ସତ୍ୟବାଦୀ ଥାନା ଅଞ୍ଚଳରେ। ତେବେ ତଦନ୍ତରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ପୁଲିସ ସେମାନଙ୍କ ନାମକୁ ଗୋପନ ରଖିଛି। ଗିରଫ ୩ ଲୁଟେରାଙ୍କୁ ଆଜି ନିମାପଡା କୋର୍ଟକୁ ଚାଲାଣ କରାଯାଇଛି। ସେମାନଙ୍କ ନାମରେ ଅନ୍ୟ କେଉଁ ଥାନାରେ ମାମଲା ରହିଛି ଓ ଅନ୍ୟ କେଉଁ ମାମଲାରେ ସେମାନେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ସଂପର୍କରେ ଏସ୍‍ଡିପିଓ ଶ୍ରୀବରାଳ ସୂଚନା ଦେଇଛନ୍ତି।

kalyan agarbati

Comments are closed.