ପିପିଲିରେ ୮୪.୦୨ ପ୍ରତିଶତ ମତଦାନ, ପୁରୁଷ ମତଦାନ ହାର ୮୫.୩୪ ଓ ମହିଳା ମତଦାନ ହାର ୮୨.୫୯ ପ୍ରତିଶତ
ପିପିଲି :ପିପିଲି ବ୍ଲକରେ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକର ୨୫ଟି ପଞ୍ଚାୟତରେ ଥିବା ୩୫୪ଟି ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ଏହି ବ୍ଳକର ୬୦ହଜାର ୫୦୯ ଜଣ ପୁରୁଷ ଓ ୫୫ହଜାର ୬୨୦ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍ ୧ଲକ୍ଷ ୧୬ହଜାର ୧୨୯ଜଣ ଭୋଟରଙ୍କ ମଧ୍ୟରୁ ୫୧ହଜାର ୬୩୯ ଜଣ ପୁରୁଷ ଓ ୪୫ହଜାର ୯୩୭ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍ ୯୭ହଜାର ୫୭୬ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ପୁରୁଷ ଭୋଟରଙ୍କ ମତଦାନ ହାର ୮୫.୩୪ ପ୍ରତିଶତ ରହିଥିବା ବେଳେ ମହିଳା ଭୋଟରଙ୍କ ମତଦାନ ହାର ୮୨.୫୯ ପ୍ରତିଶତ ରହିଛି। ମୋଟ୍ ମତଦାନ ହାର ୮୪.୦୨ ପ୍ରତିଶତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ପିପିଲି ବିଡିଓ ରଶ୍ମିତା ନାଥ ସୂଚନା ଦେଇଛନ୍ତି। ମତଦାନ ସରିବା ପରେ ଅପରାହ୍ନରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ବାକ୍ସକୁ ପିପିଲି ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଛି।
ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ମତଦାନ କେନ୍ଦ୍ରରେ ଭୋଟ୍ ଦେବା ପାଇଁ ଲୋକଙ୍କ ଲମ୍ବାଧାଡି ଲାଗିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଠାରେ ୩ଟି ଗୋଲାପି ମତଦାନ କେନ୍ଦ୍ର (ପିଙ୍କ୍ ବୁଥ୍ ) କରାଯାଇଥିବା ବେଳେ ସେଠାରେ ୯ଜଣ ମହିଳା ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ଥିଲେ। ଉକ୍ତ ମତଦାନକେନ୍ଦ୍ରର ଆକର୍ଷଣୀୟ ସାଜସଜ୍ଜା ଭୋଟରଙ୍କୁ ବେଶ୍ ଆକର୍ଷିତ କରିଥିଲା। ବିଶେଷ କରି ଏଠାରେ ମତଦାନ କରିବାକୁ ମହିଳା ଭୋଟରମାନେ ଆଗ୍ରହ ପ୍ରକାଶ କରିଥିଲେ। ଏହି ନିର୍ବାଚନର ସାଧାରଣ ପର୍ଯ୍ୟବେକ୍ଷକ ଅବନୀକାନ୍ତ ପଟ୍ଟନାୟକ ପିପିଲିରେ ପହଞ୍ôଚ ବିଭିନ୍ନ ମତଦାନକେନ୍ଦ୍ରକୁ ପରିଦର୍ଶନ କରିଥିଲେ। ପୁରୀର ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ନାଥଶର୍ମା, ପିପିଲି ବ୍ଲକ ନିର୍ବାଚନ ଅଧିକାରୀ ରଶ୍ମିତା ନାଥ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ ମଧ୍ୟ ବିଭିନ୍ନ ମତଦାନକେନ୍ଦ୍ରକୁ ପରିଦର୍ଶନ କରିଥିଲେ। ପୁରୀ ଏସ୍ପି ଡକ୍ଟର କନୱର ବିଶାଲ ସିଂହ ପିପିଲିର ବିଭିନ୍ନ ସମ୍ବେଦନଶୀଳ ମତଦାନକେନ୍ଦ୍ରକୁ ପରିଦର୍ଶନ କରି ସେଠାକାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ, ଥାନାଧିକାରୀ ଅଭିମନ୍ୟୁ ନାୟକଙ୍କ ତତ୍ତ୍ୱାବଧାନରେ ସମସ୍ତ ମତଦାନକେନ୍ଦ୍ରରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମ୍ବେଦନଶୀଳ ମତଦାନକେନ୍ଦ୍ର ଗୁଡିକରେ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ମୂତୟନ କରାଯାଇଥିଲା। କେତେକ ମତଦାନ କେନ୍ଦ୍ର ବାହାରେ କାଁ ଭାଁ ଗଣ୍ଡଗୋଳ ଘଟଣା ଘଟିଥିବା ବେଳେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି। ତେବେ ଏଥର ନିର୍ବାଚନ ସଂପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହ ସରିଛି। ପିପିଲି ବିଡିଓ ରଶ୍ମିତା ନାଥଙ୍କ ଉପସ୍ଥିତିରେ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନେ ପୂର୍ବାହ୍ନରେ ପିପିଲି ବ୍ଳକ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍କୁ ପରିଦର୍ଶନ କରି ସେଠାକାର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଅବଗତ ହୋଇଥିଲେ।
ପୁନଃ ମତଦାନ ପାଇଁ ଦାବି କଲେ ସମିତିସଭ୍ୟ ପ୍ରାର୍ଥୀନୀ
ମତଦାନ ସମୟରେ ବାଲାଟ ପେପରରୁ ସାଙ୍କେତିକ ଚିହ୍ନକୁ ଲୁଚାଇ ଦିଆଯାଇ ମତଦାତାଙ୍କୁ ବାଲାଟ ପେପର ଦିଆଯାଇଥିବା ନେଇ ଜଗନାଥପୁର ପଞ୍ଚାୟତର ସମିତିସଭ୍ୟ ପଦରେ ପ୍ରତିଦ୍ୱନ୍ଦିତା କରୁଥିବା ସୁପ୍ରିୟା ଜେନା ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ଚିହ୍ନ ତାଲାଚାବି ଚିହ୍ନ ହୋଇଥିବା ବେଳେ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା ୭ନଂ ଓାର୍ଡ ବୁଥ୍ରେ ଭୋଟରଙ୍କୁ ବାଲଟ ପେପର ଦେବା ସମୟରେ ତାଙ୍କ ଚିହ୍ନକୁ ଲୁଚାଇ ଦେଇ ତଥା ସେହି ଭାଗକୁ ଭାଙ୍ଗ ପକାଇ ଭୋଟରଙ୍କୁ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ମତଦାନକୁ ଯାଉଥିବା ଭୋଟର ଏହି ଘଟଣା ସଂପର୍କରେ ପଦାରେ ଆସି କହିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଅଧିକାରୀଙ୍କ ସହ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ ସେଠାରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିଥିଲେ। ଉକ୍ତ ୭ନଂ ବୁଥରେ ପୁନଃ ମତଦାନ ପାଇଁ ସୁପ୍ରିୟା ତହସିଲଦାରଙ୍କ ମାଧ୍ୟମରେ ବ୍ଳକ ନିର୍ବାଚନ ଅଧିକାରୀଙ୍କୁ ଲିଖିତଭାବେ ଜଣାଇବା ସହ ଭୋଟ୍ଗଣତି ପୂର୍ବରୁ ଅନ୍ୟ ସମସ୍ତ ବୁଥରେ ବାଲାଟ ପେପର ପ୍ରଦାନର ସମାନ ଅବସ୍ଥା ସଂପର୍କରେ ତଦନ୍ତ କରିବାକୁ ଦାବି କରିଛନ୍ତି।
Comments are closed.