ଲିଖିତ ପ୍ରତିଶୃତି ପରେ ମହିଳାଙ୍କ ଧାରଣା ପ୍ରତ୍ୟାହୃତ

ୟୁନିୟନ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ଜୀବିକା ମିଶନ ଆକାଉଣ୍ଟରୁ ସରକାରୀ ଅର୍ଥ ଆତ୍ମସାତ ଘଟଣା

ପିପିଲି:ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଶାଖାରେ ଥିବା ଗୋଟିଏ ଗ୍ରାମପଞ୍ଚାୟତ ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟରୁ ୩୮ ଲକ୍ଷରୁ ଊର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ହେବା ଘଟଣାକୁ ନେଇ ଶତାଧିକ ମହିଳା ଉକ୍ତ ବ୍ୟାଙ୍କ ସମ୍ମୁଖରେ ୩ଦିନ ଧରି ଗଣଧାରଣାରେ ବସିଥିବା ବେଳେ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ଓ ବ୍ୟାଙ୍କ କତ୍ତୃପକ୍ଷଙ୍କ ଲିଖିତ ପ୍ରତିଶୃତି ପରେ ଗୁରୁବାର ମଧ୍ୟାହ୍ନରେ ଧାରଣା ପ୍ରତ୍ୟାହୃତ ହୋଇଛି। ବ୍ୟାଙ୍କ ଠକେଇର ଶିକାର ହୋଇଥିବା ୩ଟି ପଞ୍ଚାୟତସ୍ତରୀୟ ସଂଘର କର୍ମକର୍ତ୍ତା ଓ ସଦସ୍ୟାମାନେ ସେମାନଙ୍କ ସଂଘର ଆକାଉଣ୍ଟକୁ ଟଙ୍କା ଫେରସ୍ତ ଦାବିରେ ବ୍ୟାଙ୍କ ସମ୍ମୁଖରେ ମଙ୍ଗଳବାର ଠାରୁ ଧାରଣା ଦେଇଥିବା ବେଳେ ଏଥିଯୋଗୁଁ ୩ଦିନ କାଳ ବ୍ୟାଙ୍କ ସଂପୂର୍ଣ୍ଣ ଅଚଳ ହୋଇପଡିଥିଲା। ମହିଳାଙ୍କ ଧାରଣା ପ୍ରତ୍ୟାହୃତ ହେବା ପରେ ଶୁକ୍ରବାର ଠାରୁ ବ୍ୟାଙ୍କ କାରବାର ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି।
ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ (ଏସ୍‍ଏଫ୍‍ସି) ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ସରସ୍ୱତୀପୁର ପଞ୍ଚାୟତସ୍ତରୀୟ ସଂଘ ଓ ଯଶୁଆପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଆକାଉଣ୍ଟ ଏବଂ ରଥପୁରୁଷୋତ୍ତମପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଓ ସିଆଇଏଫ୍‍ ଆକାଉଣ୍ଟରୁ ୩୮ ଲକ୍ଷରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଏ ସଂପର୍କରେ ପିପିଲି ବିଡିଓଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ପୁଲିସ ଏକ ମାମଲା ରୁଜୁ କରି ଉକ୍ତ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କ ସମେତ ଅନ୍ୟ ୫ଜଣ କର୍ମଚାରୀଙ୍କୁ ଗତ ନଭେମ୍ବର ୧୮ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

 

prayash

ଏହା ବାଦ୍‍ ଉକ୍ତ ବ୍ୟାଙ୍କର କେତେକ ଗ୍ରାହକଙ୍କ ସଞ୍ଚୟ ଖାତାରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ବ୍ୟାଙ୍କ ଠକେଇର ଶିକାର ହୋଇଥିବା ଉପରୋକ୍ତ ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟକୁ ଟଙ୍କା ଫେରସ୍ତ ଦାବିରେ ସଂଘର ଶତାଧିକ ମହିଳା ସଦସ୍ୟା ମଙ୍ଗଳବାର ଠାରୁ ବ୍ୟାଙ୍କ ସମ୍ମୁଖରେ ଗଣଧାରଣାରେ ବସି ରହିଥିଲେ। ଫଳରେ ୩ଦିନ କାଳ ବ୍ୟାଙ୍କ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବ୍ୟାଙ୍କ କାରବାର ସଂପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ଗୁରୁବାର ମଧ୍ୟାହ୍ନରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ସ୍ଥାନୀୟ ଯୁବନେତା ଆଶିଷ କୁମାର ବରାଳ ପ୍ରମୁଖ ଧାରଣାରତ ମହିଳାଙ୍କ ସହ ଆଲୋଚନା କରିଥିଲେ। ପରେ ସେଠାକୁ ଆସିଥିବା ୟୁନିୟନ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ଡିଜିଏମ୍‍ ଶୁଭନସେନ ଗୁପ୍ତା, ଏଜିଏମ୍‍ ପବିତ୍ର କୁମାର ମହାନ୍ତି, ଚିଫ୍‍ ମ୍ୟାନେଜର ଅଶୋକ କୁମାର ମିଶ୍ର, ଶାଖା ପରିଚାଳକ ଆଦିତ୍ୟ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଧାୟକ ଶ୍ରୀ ମହାରଥୀ ଓ ମହିଳା ସଂଘର ପ୍ରତିନିଧିମାନେ ଆଲୋଚନା କରିଥିଲେ। କୋଭିଡ-୧୯ର ତୃତୀୟ ଲହର ସମସ୍ୟା ସହ ପୁଲିସର ତଦନ୍ତ ରିପୋର୍ଟ ମିଳିବାରେ ବିଳମ୍ବ ହେଉଥିବା ବେଳେ ଅର୍ଥ ଫେରସ୍ତ ନିମନ୍ତେ ବ୍ୟାଙ୍କ ପକ୍ଷରୁ କାଗଜପତ୍ର ପ୍ରସ୍ତୁତି ଜାରି ରହିଥିବାରୁ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବାରେ ସାମୟିକ ବିଳମ୍ବ ହେଉଥିବାର ଅଧିକାରୀମାନେ ସୂଚନା ଦେଇଥିଲେ। ତେବେ ଆସନ୍ତା ଫେବୃଆରୀ ୨୮ତାରିଖ ସୁଦ୍ଧା କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ଦିଆଯିବ ବୋଲି ଅଧିକାରୀମାନେ କହିଥିଲେ। ଏହି ମର୍ମରେ ସାତଶଙ୍ଖ ଶାଖା ପରିଚାଳକ ମହିଳା ସଂଗଠନଗୁଡିକୁ ଲିଖିତ ପ୍ରତିଶୃତି ଦେବା ପରେ ଅପରାହ୍ନ ୨ଟାରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ଅନଶନ ହଟିବା ପରେ ବ୍ୟାଙ୍କ ପରିସର ଓ ବ୍ୟାଙ୍କ ସମ୍ମୁଖ ଅଞ୍ଚଳକୁ ବିଶୋଧନ କରାଯାଇଥିଲା। ଶୁକ୍ରବାର ଠାରୁ ବ୍ୟାଙ୍କ କାରବାର ସ୍ୱାଭାବିକ ହେବ ବୋଲି ଶାଖା ପରିଚାଳକ ସୂଚନା ଦେଇଛନ୍ତି।

kalyan agarbati

Comments are closed.