ଜୀବିକା ମିଶନ ଆକାଉଣ୍ଟରୁ ଟଙ୍କା ହଡପ ଘଟଣାରେ ପୁଲିସରେ ଅଭିଯୋଗ କଲେ ପିପିଲି ବିଡିଓ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତ ଆକାଉଣ୍ଟ ସମେତ ଓଡିଶା ଜୀବିକା ମିଶନର ୩ଟି ପଞ୍ଚାୟତସ୍ତରୀୟ ସଂଘର ଆକାଉଣ୍ଟରୁ ମୋଟ୍‍ ୩୮ ଲକ୍ଷ ୨୫ ହଜାର ୯୩୮ଟଙ୍କା ସରକାରୀ ଅର୍ଥ ଆତ୍ମସାତ ହେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏ ସଂପର୍କରେ ପିପିଲି ବିଡିଓ ଆଜି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି।

ସାତଶଙ୍ଖ ବଜାର ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ ଥିବା ରଥପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ପଞ୍ଚଦଶ ରାଜ୍ୟ ଅର୍ଥ କମିଶନ (ଏସ୍‍ଏଫ୍‍ସି) ଆକାଉଣ୍ଟରୁ ୮ ଲକ୍ଷ ୧୫ ହଜାର ୪୦୪ ଟଙ୍କାକୁ ଆତ୍ମସାତ ହୋଇଥିବା ବେଳେ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ସରସ୍ୱତୀପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ସଂଘ କର୍ମକର୍ତ୍ତାଙ୍କ ଅଜାଣତାରେ ୧୫ଲକ୍ଷ ୩୬ ହଜାର ଟଙ୍କା ଆତ୍ମସାତ ହୋଇଛି। ଅନୁରୂପ ଭାବେ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ଓଡିଶା ଜୀବିକା ମିଶନର ଯଶୁଆପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୭ଲକ୍ଷ ୭୯ହଜାର ୫୩୪ ଟଙ୍କା ଗାଏବ ହୋଇଯାଇଛି। ସେହି ବ୍ୟାଙ୍କରେ ଥିବା ଓଡିଶା ଜୀବିକା ମିଶନର ରଥପୁରୁଷୋତ୍ତମପୁର ପଞ୍ଚାୟତସ୍ତରୀୟ ସଂଘର ଆଇବି ଜମାଖାତାରୁ ୧ ଲକ୍ଷ ୯୫ ହଜାର ଟଙ୍କା ଓ ସିଆଇଏଫ୍‍ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏସଂପର୍କରେ ଉପରୋକ୍ତ ୩ଟି ଯାକ ସଂଘ ଓ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଗତ କାଲି ପିପିଲି ବିଡିଓଙ୍କ ନିକଟରେ ପୃଥକ ପୃଥକ ଭାବେ ୪ଟି ଅଭିଯୋଗ କରାଯିବା ପରେ ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା।

ଓଡିଶା ଜୀବିକା ମିଶନର ବ୍ଲକ ସ୍ତରୀୟ ଅଧିକାରୀଙ୍କ ଆଦେଶନାମା ପତ୍ର ସହ ସଂଘର ସଭାନେତ୍ରୀ ଓ ସଂପାଦିକାଙ୍କ ଯୁଗ୍ମ ଦସ୍ତଖତ ଥିବା ଚେକ୍‍ ମାଧ୍ୟମରେ ବ୍ୟାଙ୍କ ଜମାଖାତାରୁ ଟଙ୍କା ଉଠାଣ କରିବାର ନିୟମ ଥିବା ବେଳେ ସଂଘ କର୍ମକର୍ତ୍ତାଙ୍କ ଅଜାଣତାରେ କିପରି ଭାବେ ବ୍ୟାଙ୍କ ଆକାଉଣ୍ଟରୁ ସରକାରୀ ଅର୍ଥ ଗାଏବ ହେଲା ତାହା ସମସ୍ତଙ୍କୁ ଚକିତ କରିଛି। ତେବେ ଏ ସଂପର୍କରେ ପିପିଲି ବିଡିଓ ରଶ୍ମିତା ନାଥ ଆଜି ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ଅପ୍ରେଲ ମାସରୁ ଜୁନ ମାସ ମଧ୍ୟରେ ଉକ୍ତ ବ୍ୟାଙ୍କରେ କାର୍ଯ୍ୟରତ ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କ ସମୟରେ ଏହି ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ବେଳେ ଘଟଣାର ତଦନ୍ତ କରି ଉକ୍ତ ସରକାରୀ ଅର୍ଥକୁ ଆକାଉଣ୍ଟକୁ ଫେରସ୍ତ କରାଇବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ପିପିଲି ପୁଲିସରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଅଭିଯୋଗର ଅନୁସନ୍ଧାନ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।

Comments are closed.