ଶାନ୍ତିଶୃଙ୍ଖଳାର ସହ ସରିଲା ନିର୍ବାଚନ ପ୍ରଚାର, ମତଦାନକୁ ଅପେକ୍ଷା

ପିପିଲି :ଇତିହାସ ରଚିଲା ପିପିଲି। ଦୀର୍ଘ ୫୦ବର୍ଷ ମଧ୍ୟରେ ବିନା କୌଣସି ଗଣ୍ଡଗୋଳରେ ପ୍ରଥମ ଥର ପାଇଁ ପିପିଲି ଭଳି ଏକ ସ୍ପର୍ଶକାତର ନିର୍ବାଚନମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏଥିପାଇଁ ପୁଲିସ ଓ ପ୍ରଶାସନ ସମେତ ସମସ୍ତ ରାଜନୈତିକ ଦଳ ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ ଜଣାଯାଇଛି।

ରାଜ୍ୟର ସବୁଠାରୁ ଅଧିକ ସ୍ପର୍ଶକାତର ନିର୍ବାଚନମଣ୍ଡଳୀ ଭାବେ ପରିଚିତ ପୁରୀ ଜିଲାର ଏହି ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ଶାନ୍ତି ଓ ଶୃଙ୍ଖଳାର ବାତାବରଣ ମଧ୍ୟରେ ଏଥର ନିର୍ବାଚନ ପ୍ରଚାର ଶେଷ ହୋଇଛି । ଆସନ୍ତା ୨୫ ତାରିଖରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ପିପିଲି ବ୍ଲକର ୨୫ଟି ପଞ୍ଚାୟତ, ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍‌‌.ଏ.ସିର ୧୬ଟି ୱାର୍ଡକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ ହେଉଛି ସାଧାରଣବର୍ଗର ପ୍ରାର୍ଥିଙ୍କ ପାଇଁ ଉଦ୍ଦିଷ୍ଟ । ଚଳିତ ନିର୍ବାଚନରେ ଏହି ଆସନରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ, ବହୁଜନ ସମାଜ ପାର୍ଟି ରୁ ଅହେମ୍ମଦ ଖାଁ, ମାନସ ଲୋକଶକ୍ତି ଦଳରୁ ଆରତ ବେହେରା, ଏସ୍‌‌ୟୁସିଆଇ (କମ୍ୟୁନିଷ୍ଟ) ଦଳରୁ ଦୀନବନ୍ଧୁ ପରିଡା ଓ ସ୍ୱାଧୀନ ଭାବେ ଯୁଧିଷ୍ଠିର ସ୍ୱାଇଁ, ରାଧାମୋହନ, ଶୁଭ୍ରାଂଶୁ କୁମାର ମଲ୍ଲିକ ପ୍ରତିଦ୍ୱନ୍ଦିତା କରୁଛନ୍ତି।
ନିର୍ବାଚନମଣ୍ଡଳୀର ୨୭୪ଟି ମତଦାନ କେନ୍ଦ୍ରରେ ୧ଲକ୍ଷ ୨୨ହଜାର ୬୮ ଜଣ ପୁରୁଷ, ୧ଲକ୍ଷ ୧୫ହଜାର ୮୮୮ଜଣ ମହିଳା ଓ ୬ଜଣ ଅନ୍ୟ ବର୍ଗର ଭୋଟରଙ୍କୁ ମିଶାଇ ମୋଟ୍ ୨ଲକ୍ଷ ୩୭ହଜାର ୯୬୨ ଜଣ ଭୋଟର ୨୫ ତାରିଖରେ ନିଜର ମତ ସାବ୍ୟସ୍ତ କରିବେ । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପିପିଲି ଏସ୍‌‌.ଡି.ପି.ଓ ବିରଞ୍ôଚ ନାରାୟଣ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଓ ଡେଲାଙ୍ଗ ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଞ୍ଚକୁ ଅଧିକ କଡାକଡି କରାଯାଇଥିବା ବେଳେ ବିଭିନ୍ନ ହୋଟେଲ, ଢାବା ସମେତ ମଦଦୋକାନ ଉପରେ ପୁଲିସ କଡା ନଜର ରଖିଛି । ବିଭିନ୍ନ ଗ୍ରାମ୍ୟଛକ, ବଜାରଘାଟରେ ଚାଲିଥିବା ମେଳି ଉପରେ ମଧ୍ୟ ପୁଲିସ ନଜର ରଖିଥିବା ଜଣାଯାଇଛି । ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା, ମଦ ଓ ବିଭିନ୍ନ ଲୋଭନୀୟ ଜିନିଷ ବଣ୍ଟାଯିବାର ସମ୍ଭାବନା ଥିବା ବେଳେ ସେ ଉପରେ ମଧ୍ୟ ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ କଡା ନଜର ରଖାଯାଇଛି । ଏହି ନିର୍ବାଚନମଣ୍ଡଳୀର ମୋଟ୍‌‌ ୩୬ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ସଶସ୍ତ୍ର ପୁଲିସ ବଳଙ୍କୁ ନିୟୋଜିତ କରାଯିବ ଓ ଗଣ୍ଡଗୋଳକାରୀଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌‌ଡିପିଓ ଶ୍ରୀ ପତି ସୂଚନା ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଏଠାରେ ସାମାନ୍ୟତମ ବଚସା ହୋଇନଥିବା ଏବଂ ପୁଲିସରେ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ମାମଲା ଅଦ୍ୟାବଧି ରୁଜୁ ହୋଇନଥିବା ସଂପର୍କରେ ଏସ୍‌‌ଡିପିଓ ସୂଚନା ଦେଇଛନ୍ତି।

Comments are closed.