ପିପିଲି ନିର୍ବାଚନ: ୮୨୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ଲକ୍ଷ ୧୬ହଜାର ୧୨୯ ଭୋଟର
ପିପିଲି:ପିପିଲି ବ୍ଲକରେ ଚତୁର୍ଥ ପର୍ଯ୍ୟାୟରେ ମଙ୍ଗଳବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ବ୍ଳକର ୨୫ଟି ପଞ୍ଚାୟତରେ ଥିବା ୩୫୪ ମତଦାନ କେନ୍ଦ୍ରରେ ୬୦ହଜାର ୫୦୯ ଜଣ ପୁରୁଷ ଓ ୫୫ହଜାର ୬୨୦ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍ ୧ଲକ୍ଷ ୧୬ହଜାର ୧୨୯ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସହ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩ଟି ଜିଲା ପରିଷଦ ଆସନରେ ୧୫ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ୨୫ଟି ପଞ୍ଚାୟତରେ ମୋଟ୍ ୬୬ଜଣ ସମିତିସଭ୍ୟ ପ୍ରାର୍ଥୀ, ୭୩ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ମୋଟ୍ ୩୫୪ଟି ୱାର୍ଡ ସଭ୍ୟ ଆସନ ମଧ୍ୟରୁ ୧୨ଟି ଆସନରେ କେହି ନାମାଙ୍କନପତ୍ର ଦାଖଲ କରିନଥିବା ଓ ୫୫ଟି ୱାର୍ଡ ସଭ୍ୟ ଆସନରେ ଜଣେ ଲେଖାଏଁ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇଥିବା ସୂଚନା ମିଳିଛି। ଅନ୍ୟ ୨୮୭ଟି ୱାର୍ଡ ସଭ୍ୟ ଆସନରେ ମୋଟ୍ ୬୭୫ଜଣ ନିର୍ବାଚନ ଲଢୁଥିବା ବେଳେ ମଙ୍ଗଳବାର ଭୋଟର ମାନେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପ୍ରଥମ ଥର ପାଇଁ ଏହି ବ୍ଲକର ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଠାରେ ଥିବା ୬, ୮ ଓ ୧୧ନଂ ମତଦାନ କେନ୍ଦ୍ରକୁ ଗୋଲାପି ମତଦାନ କେନ୍ଦ୍ର (ପିଙ୍କ୍ ବୁଥ୍ ) କରାଯାଇଛି। ଏଠାରେ ନିୟୋଜିତ ସମସ୍ତ ୯ଜଣ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ମହିଳା ହୋଇଥିବା ସୂଚନା ମିଳିଛି। ସମସ୍ତ ୩୫୪ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟିମାନେ ପହଞ୍ôଚ ସେଠାରେ ଭୋଟ୍ ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ସୂଚନା ମିଳିଛି। ଶାନ୍ତିଶୃଙ୍ଖଳାର ସହ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ଲକ ନିର୍ବାଚନ ଅଧିକାରୀ ତଥା ପିପିଲି ବିଡିଓ ରଶ୍ମିତା ନାଥ ସୋମବାର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବା ସହ ସୁବିଧା, ଅସୁବିଧା ସଂପର୍କରେ ସେକ୍ଟର ଅଫିସରଙ୍କ ସହ ଆଲୋଚନା କରିଥିଲେ। ବ୍ଳକ ପ୍ରଶାସନ ପକ୍ଷରୁ ୭୮ଟି ମତଦାନ କେନ୍ଦ୍ରକୁ ଅତି ଉତ୍ତେଜନାପ୍ରବଣ ଓ ୧୫୦ଟି ମତଦାନ କେନ୍ଦ୍ରକୁ ଉତ୍ତେଜନାପ୍ରବଣ ମତଦାନକେନ୍ଦ୍ର ଭାବେ ଚିହ୍ନଟ କରାଯାଇଥିବା ସଂପର୍କରେ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ (ଜିପିଇଓ) ଗାୟତ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
ସୋମବାର ପୂର୍ବାହ୍ନରେ ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର ସପନ କୁମାର ନନ୍ଦ, ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖ ପିପିଲି ଥାନା ପରିସରରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ସମ୍ବେଦନଶୀଳ ମତଦାନ କେନ୍ଦ୍ରକୁ ପରିଦର୍ଶନ କରି ସେଠାକାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ନିର୍ବାଚନ ଦାୟିତ୍ୱରେ ଅତିରିକ୍ତ ଏସ୍ପି ଶ୍ରୀପ୍ରଧାନ, ଏସ୍ଡିପିଓ ଶ୍ରୀ ବରାଳ ଓ ପିପିଲି ଆଇଆଇସିଙ୍କ ବ୍ୟତୀତ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ଓ ୧୦ଜଣ ଇନିସପେକ୍ଟରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ୧୦ଜଣ ଇନିସପେକ୍ଟରଙ୍କ ଦାୟିତ୍ୱରେ ୨୦ଟି ପୁଲିସ ମୋବାଇଲ୍ ପାର୍ଟି ରହିଛି। ପିପିଲି ବ୍ଲକର ୮ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୮ଟି ସ୍ୱତନ୍ତ୍ର ପୁଲିସ ଟିମ୍ ଜାଗତିଆର ରହିଥିବା ବେଳେ ପିପିଲି ଥାନାରେ ଷ୍ଟ୍ରାଇକିଂ ଫୋର୍ସ ମୂତୟନ ରହିଥିବା ସଂପର୍କରେ ଏସ୍ଡିପିଓ ଶ୍ରୀବରାଳ ସୂଚନା ଦେଇଛନ୍ତି। ବିଭିନ୍ନ ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବର୍ଷକ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ୍ ଦେବେ ନୂଆଶାସନ ପଞ୍ଚାୟତର ଭୋଟର
ଗତ ଏକ ବର୍ଷ ମଧ୍ୟରେ ପିପିଲି ବ୍ଳକର ନୂଆଶାସନ ପଞ୍ଚାୟତର ଭୋଟର ମାନେ ତୃତୀୟ ଥର ପାଇଁ ମଙ୍ଗଳବାର ଭୋଟ୍ ଦେବେ। ୨୦୨୧ ଫେବୃଆରୀ ୨୪ ତାରିଖରେ ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୮୩.୧୭ ପ୍ରତିଶତ ମତଦାନ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବର ୩୦ ତାରିଖରେ ପିପିଲି ବିଧାୟକ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତର ଭୋଟରମାନେ କ୍ରମାଗତ ମତଦାନ ବ୍ୟବସ୍ଥା ମଧ୍ୟରେ ବେଶ୍ ଉତ୍ସାହିତ ହୋଇ ମତଦାନ କରିଥିଲେ। ବର୍ଷକ ମଧ୍ୟରେ ତୃତୀୟ ଥର ପାଇଁ ଆସନ୍ତା ୨୨ ତାରିଖ ମଙ୍ଗଳବାର ଏହି ପଞ୍ଚାୟତର ୪ହଜାର ୯୯୮ ଜଣ ଭୋଟର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରିବେ। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରେ ୨ଜଣ ସରପଞ୍ଚ ପ୍ରାର୍ଥୀନୀ, ୨ଜଣ ସମିତିସଭ୍ୟ ପ୍ରାଥିନୀଙ୍କ ସମେତ ୧୨ଟି ୱାର୍ଡ ସଭ୍ୟ ଆସନରେ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି।
Comments are closed.