ବୋମା ବିସ୍ଫୋରଣରେ ଜଣେ ମୃତ, ୧ ଗୁରୁତର
ପିପିଲି : ପୁରୀ ଜିଲା କଣାସ ବ୍ଲକ ଗଡିଶାଗଦା ଥାନା ଅନ୍ତର୍ଗତ ବକୁ ଛକ ଠାରେ ଏକ ଆଜବେଷ୍ଟସ ଦୋକାନ ଘର ମଧ୍ୟରେ ବୋମା ବିସ୍ଫୋରଣ ଘଟି ଜଣେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଉକ୍ତ ଘର ମଧ୍ୟରେ ଥିବା ଅନ୍ୟଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସେଠାରେ ନିରାକାରପୁର-ଚନ୍ଦନପୁର ନୂଆ ଜଗନ୍ନାଥ ସଡକକୁ ୩ଘଣ୍ଟାକାଳ ଅବରୋଧ କରିଥିଲେ।
ସୂଚନା ଅନୁଯାଇ, ବକୁଛକ ଠାରେ ଥିବା ଏକ ଆଜବେଷ୍ଟସ ଦୋକାନ ଘରର ସମ୍ମୁଖ ବାରଣ୍ଡାରେ ଜନୈକ ଦ୍ୱିଜ ପ୍ରଧାନ(୭୫) ବୁଧବାର ପୂର୍ବାହ୍ନରେ ବିଶ୍ରାମ ନେଉଥିଲେ। ଏହି ସମୟରେ ଉକ୍ତ ଘର ମଧ୍ୟରେ ବୋମା ବିସ୍ଫୋରଣ ଘଟିଥିଲା। ଫଳରେ ଉକ୍ତ ଘରର ପଛପାର୍ଶ୍ବ ପଥର କାନ୍ଥ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଆଜବେଷ୍ଟସ ଗୁଡିକ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ଉଡି ଯାଇଥିଲା। ବିସ୍ଫୋରଣରେ ଘରର ସମ୍ମୁଖ ଭାଗ କାଠ କବାଟ ଭାଙ୍ଗି ଉଡିଯିବା ସହ ବାରଣ୍ଡାରେ ବସିଥିବା ଦ୍ୱିଜଙ୍କ ମୁଣ୍ଡ ଓ ଶରୀରରେ ଖୁବ୍ ଜୋରରେ ମାଡ ହୋଇଥିଲା। କେତେକ ଆଜବେଷ୍ଟସ ଖଣ୍ଡ ମଧ୍ୟ ଦ୍ୱିଜଙ୍କ ଦେହରେ ମାଡ ହୋଇଥିଲା। ଫଳରେ ତାଙ୍କ ମୁଣ୍ଡ ଫାଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଓ ସେ ସେହିଠାରେ ହିଁ ଟଳି ପଡିଥିଲେ। ଉକ୍ତ ଘର ମଧ୍ୟରେ ଥିବା ଦୋକାନର ମାଲିକ କୁହାଯାଉଥିବା ନିରଞ୍ଜନ ଚମ୍ପତ୍ତି ଓରଫ ବୁଲେଟ (୩୦) ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଏକ ହସପିଟାଲ୍ରେ ଭର୍ତ୍ତି କରାଯାଇଛି।
ବିସ୍ଫୋରଣର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯାହାକି ୩ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ବିସ୍ଫୋରଣରେ ଆଜବେଷ୍ଟସ ଖଣ୍ଡ ଗୁଡିକ ବହୁଦୂର ପର୍ଯ୍ୟନ୍ତ ଉଡି ଯାଇଥିବା ବେଳେ ଉକ୍ତ ଘର ନିକଟରେ ଥିବା ଏକ ଆମ୍ବଗଛର ଡାଳରେ ମଧ୍ୟ ଆଜବେଷ୍ଟସ ଖଣ୍ଡ ପଶି ଯାଇଥିବା ପରିଲକ୍ଷିତ ହୋଇଥିଲା। ତେବେ ଉକ୍ତ ଘର ମଧ୍ୟରେ ବୋମା ରଖାଯାଇଥିବା କିମ୍ବା ବୋମା ଭିଡା ଯାଉଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି। ଏହାକୁ ନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସେଠାରେ ନୂଆ ଜଗନ୍ନାଥ ସଡକ ଉପରେ ପଥର ପକାଇ ରାସ୍ତା ଅବରୋଧ କରିଥିଲେ। ରାସ୍ତା କଡରେ ଦ୍ୱିଜଙ୍କ ମୃତଦେହକୁ ରଖି ଲୋକେ ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଫଳରେ ଉକ୍ତ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିଲା। ଖବର ପାଇ ପୁରୀ ସଦର ଏସ୍ଡିପିଓ ସୁଶିଲ କୁମାର ମିଶ୍ର, ଗଡିଶାଗଦା ଥାନା ଆଇଆଇସି ଧିରାଜ ଲେଙ୍କା ଓ କଣାସର ଅତିରିକ୍ତ ତହସିଲଦାର ଜୟନ୍ତ କୁମାର ଜୟସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ପରେ ଅପରାହ୍ନ ୩ଟାରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଉଭୟ ମୃତକ ଓ ଆହତଙ୍କ ଘର ଉକ୍ତ ବକୁ ଗ୍ରାମରେ ହୋଇଥିବା ସୂଚନା ମିଳିଛି। ପୁଲିସ ସେଠାରୁ ଭଙ୍ଗା ଆଜବେଷ୍ଟସ ଖଣ୍ଡ, ରକ୍ତ ଭିଜା ମାଟି, ସୁତୁଲି ସମେତ ବୋମା ପ୍ରସ୍ତୁତରେ ବ୍ୟବହୃତ କେତେକ ସାମଗ୍ରୀକୁ ଜବତ କରିଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବିସ୍ଫୋରଣରେ ଅନ୍ୟ ଗୁରୁତର ନିରଞ୍ଜନଙ୍କ ସଂପର୍କରେ କୌଣସି ସୂଚନା ନଥିବା ବେଳେ ପୁଲିସ ସେ ସଂପର୍କରେ ଅନୁସନ୍ଧାନ ଜାରି ରଖିଛି।