ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ, ଦୁଇ ଦୋକାନ ଜଳିଗଲା
ପିପିଲି/ଭୁବନେଶ୍ୱର: ପୁରୀ ଜାତୀୟ ରାଜପଥର ସାତଶଙ୍ଖ ବଜାରରେ ଥିବା ଏକ ଜଳଖିଆ ଦୋକାନର ଗ୍ୟାସ୍ ଟାଙ୍କି ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିବା ଫଳରେ ଦୁଇଟି ଦୋକାନ ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ ସାତଶଙ୍ଖ ବଜାରରେ ଥିବା ଟୁଟୁ ବେହେରାଙ୍କ ଜଳଖିଆ ଦୋକାନରେ ଥିବା ଗ୍ୟାସ୍ ଟାଙ୍କିଟି କୌଣସି କାରଣରୁ ଲିକ୍ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଫଳରେ ଉକ୍ତ ଦୋକାନ ସମେତ ପାଖରେ ଥିବା ବନମାଳି ପଣ୍ଡାଙ୍କ ପାନ ଦୋକାନ ମଧ୍ୟ ଜଳି ଯାଇଥିଲା। ପ୍ରାୟ ୨୦ମିନିଟ୍ କାଳ ଉକ୍ତ ଗ୍ୟାସ୍ ଟାଙ୍କି ପ୍ରାୟ ୧୦ଫୁଟ୍ ଉଚ୍ଚତା ପର୍ୟ୍ୟନ୍ତ ଜଳିଥିବା ବେଳେ ସାଧାରଣ ଲୋକେ ଭୟଭିତ ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ଉକ୍ତ ଜଳନ୍ତା ଟାଙ୍କି ଉପରେ ବାଲି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ସାକ୍ଷୀଗୋପାଳରୁ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡ ଯୋଗୁଁ ଭୟରେ ସାତଶଙ୍ଖ ବଜାରରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।