ଇଡେନ୍ ଗାର୍ଡେନ୍ସରେ କୋହଲି ଓ ଋଦ୍ଧିମାନଙ୍କ କୀର୍ତ୍ତିମାନ
କଲକାତା: ଭାରତୀୟ କ୍ରିକେଟ୍ର ମକ୍କା ଇଡେନ୍ ଗାର୍ଡେନ୍ସରେ ପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚ୍ ଆୟୋଜନ କରି ଏକ କୀର୍ତ୍ତିମାନ ସ୍ଥାପନ କରିଛି ବିସିସିଆଇ। ତେବେ ଏହି ଐତିହାସିକ ମ୍ୟାଚ୍କୁ ଆହୁରି ସ୍ମରଣୀୟ କରି ଦେଇଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଦଳର ୱିକେଟ ରକ୍ଷକ ଋଦ୍ଧିମାନ ଶାହା। ଅଧିନାୟକ ଭାବେ ୪୧ଟି ଆନ୍ତର୍ଜାତିକ ଶତକ ହାସଲକରି ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି କୋହଲି।
ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦିବାରାତ୍ର ତଥା ଗୋଲାପୀ ବଲ୍ ଟେଷ୍ଟମ୍ୟାଚ୍ରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ତାଙ୍କର ୧୩୬ ରନ୍ର ଇନିଂସ ବଳରେ ଭାରତ ମ୍ୟାଚ୍କୁ ନିଜ କବ୍ଜାକୁ ନେଇ ପାରିଥିଲା। ଏହା କୋହଲିଙ୍କର ୨୭ତମ ଟେଷ୍ଟମ୍ୟାଚ୍ ଶତକ। ଫଳରେ ଅଧିନାୟକ ଭାବେ ସର୍ବାଧିକ ଆନ୍ତର୍ଜାତିକ ଶତକ ମାରିବାରେ ରିକି ପଣ୍ଟିଂଙ୍କ ରେକର୍ଡ ସହ କୋହଲି ସମକକ୍ଷ ହୋଇଛନ୍ତି। ପଣ୍ଟିଂ ଅଧିନାୟକ ଭାବେ ୪୧ଟି ଆନ୍ତର୍ଜାତିକ ଶତକ ହାସଲ କରିଥିବା େବଳେ ଏହି କୃତିତ୍ବ ସହ ସମକକ୍ଷ ହୋଇଛନ୍ତି କୋହଲି। ଏହାସହ ଆନ୍ତର୍ଜାତିକ କ୍ରିକେଟ୍ରେ ୭୦ତମ ଶତକ କୋହଲି ହାସଲ କରିଛନ୍ତି। କୋହଲି ଦିନିକିଆରେ ୪୩ଟି ଶତକ ମାରିଛନ୍ତି। ୩୧ ବର୍ଷ ବୟସ୍କ କୋହଲି ଏହି ତାଲିକାରେ ଏବେ ୩ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଆନ୍ତର୍ଜାତିକ କ୍ରିକେଟରେ ୭୧ଟି ଏବଂ ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଳକର ବିଶ୍ବରେ ସର୍ବାଧିକ ୧୦୦ଟି ଅାନ୍ତର୍ଜାତିକ ଶତକ ମାରିଛନ୍ତି। ବାଂଲାଦେଶ ବିପକ୍ଷରେ ଏହା କୋହଲିଙ୍କ ୨ୟ ଟେଷ୍ଟ ଶତକ। ୨୦୧୭ରେ ହାଇଦରବାଦରେ କୋହଲି ୨୦୪ ରନ୍ ସ୍କୋର୍ କରିଥିଲେ। ପୁଣି ଇଡେନ୍ ଗାର୍ଡେନ୍ସରେ କୋହଲି କ୍ରମାଗତ ୨ୟ ଶତକ ମାରିଛନ୍ତି। ୨୦୧୭ରେ ଏଠାରେ ଶ୍ରୀଲଙ୍କା ବିପକ୍ଷରେ କୋହଲି ଅପରାଜିତ ୧୦୪ ରନ୍ ସ୍କୋର୍ କରିଥିଲେ। ଶୁକ୍ରବାର ବିଶ୍ବର ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ କୋହଲି ୫୦୦୦ ଟେଷ୍ଟ ରନ୍ ସ୍କୋର୍ କରିଥିଲେ। ୮୬ଟି ଇନିଂସରେ କୋହଲି ଏହି ମାଇଲଖୁଣ୍ଟ ପାର କରିଥିବା ବେଳେ ରିକି ପଣ୍ଟିଂ ୯୭ ଟେଷ୍ଟ ଇନିଂସରେ ୫୦୦୦ ରନ୍ କରିଥିଲେ।
ଇଡେନ୍ ଗାର୍ଡେନ୍ସରେ ଖେଳି ଆନ୍ତର୍ଜାତିକ କ୍ରିକେଟରେ ପାଦ ଦେଇଥିବା ଋଦ୍ଧିମାନ ଶାହା ଏହି ଗ୍ରାଉଣ୍ଡରେ ହିଁ ତାଙ୍କର ୧୦୦ ଟେଷ୍ଟମ୍ୟାଚ୍ ଶିକାର ହାସଲ କରିଛନ୍ତି। ଏପରି କୃତିତ୍ବ ହାସଲ କରିବାରେ ଋଦ୍ଧିମାନ ହେଉଛନ୍ତି ୫ମ ଭାରତୀୟ ୱିକେଟ ରକ୍ଷକ। ଉମେଶ ଯାଦବଙ୍କ ବଲ୍ରେ ସାଦ୍ମାନ୍ ଇସ୍ଲାମଙ୍କ କ୍ୟାଚ୍ ଧରି ଋଦ୍ଧିମାନ ଏହି କୃତିତ୍ବ ହାସଲ କରିଥିଲେ। ଭାରତୀୟ ୱିକେଟ ରକ୍ଷକଙ୍କ ମଧ୍ୟେର ଟେଷ୍ଟ କ୍ରିକେଟରେ ସର୍ବାଧିକ ଶିକାର ହାସଲ କରିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ତାଙ୍କୁ ଛାଡ଼ି ସୟଦ୍ କିର୍ମାନି, କିରଣ ମୋରେ ଓ ନୟନ ମୋଙ୍ଗିଆ ମଧ୍ୟ ୱିକେଟ ରକ୍ଷକ ଭାବେ ୧୦୦ରୁ ଅଧିକ ଟେଷ୍ଟ ୱିକେଟ ହାସଲ କରିଛନ୍ତି। ଆହତ ଥିବାରୁ ଋଦ୍ଧିମାନ କିଛି ଟେଷ୍ଟମ୍ୟାଚ୍ ଖେଳି ପାରିନଥିଲେ। ଫଳରେ ଋଷଭ ପନ୍ତ୍ ତାଙ୍କ ସ୍ଥାନରେ ୱିକେଟ ରକ୍ଷଣ କରିଥିଲେ। ତେବେ ଦଳକୁ ଫେରିବା ପରେ ସିଲିଗୁଡ଼ି ଜନ୍ମିତ ଋଦ୍ଧିମାନ ଚମତ୍କାର ୱିକେଟ ରକ୍ଷଣ କରୁଛନ୍ତି।
Comments are closed.