ମଝି ଆକାଶରେ ହୃଦ୍‍ଘାତ ସତ୍ତ୍ବେ ବିମାନ ଅବତରଣ କରାଇଲେ ପାଇଲଟ୍‍

0

କଲିକତା : ମଝି ଆକାଶରେ ବିମାନ ଉଡାଇବା ବେଳେ ହୃଦ୍‍ଘାତର ଶିକାର ହୋଇଥିବା ଜଣେ ପାଇଲଟ୍‍ ଅସାଧାରଣ କର୍ତ୍ତବ୍ୟନିଷ୍ଠ ପ୍ରଦର୍ଶନ ପୂର୍ବକ ବିମାନ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଅବତାରଣ କରାଇଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସର ୬୩ ବର୍ଷ ବୟସ୍କ ପାଇଲଟ କ୍ୟାପ୍‍ଟେନ୍‍ ସିଲଭିଓ ଡିଆଜ ଆକୋଷ୍ଟା ଯାତ୍ରୀପୂର୍ଣ୍ଣ ଏକ ବିମାନ ନେଇ ମଙ୍ଗଳବାର ମଣିପୁରର ରାଜଧାନୀ ଇମ୍ଫାଲରୁ କଲିକତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଉଡାଣ ଆରମ୍ଭ କରିଥିଲେ। ବିମାନଟି ଅବତରଣ କରିବାକୁ ଆଉମାତ୍ର କିଛି ସମୟ ବାକି ଥିବା ବେଳେ ହଠାତ୍‍ ଆକୋଷ୍ଟାଙ୍କ ଛାତିରେ ଖୁବ୍‍ ଜୋର୍‍ରେ ଯନ୍ତ୍ରଣା ହୋଇଥିଲା। ଶରୀରରୁ ଖୁବ୍‍ ଜୋର୍‍ରେ ଝାଳ ବୋଲିବାକୁ ଲାଗିଥିଲା। ସେ ତୁରନ୍ତ ତାଙ୍କ ସହ-ପାଇଲଟ୍‍ଙ୍କୁ ଏ ବିଷୟରେ ଅବଗତ କରିଥିଲେ। ପ୍ରବଳ ଯନ୍ତ୍ରଣାରେ ଛଟପଟ ହେବା ସତ୍ତ୍ବେ ବିମାନରେ ଉପସ୍ଥିତ ଯାତ୍ରୀମାନଙ୍କ ଜୀବନର ସୁରକ୍ଷା ଦାୟିତ୍ୱ ଯେ ତାଙ୍କ ହାତରେ ନ୍ୟସ୍ତ ତାହା ସେ ଭୁଲି ନ ଥିଲେ। କୌଣସି ମତେ ଯନ୍ତ୍ରଣାକୁ ଚାପି ରଖି ସହ-ପାଇଲଟ୍‍ଙ୍କ ସହାୟତାରେ ଅପରାହ୍ଣ ପ୍ରାୟ ୪ଟା ୪୫ ମିନିଟ୍‍ରେ କଲିକତା ବିମାନ ବନ୍ଦରରେ ସୁରୁଖୁରୁରେ ବିମାନ ଅବତରଣ କରାଇଥିଲେ। ତୁରନ୍ତ ତାଙ୍କୁ ବିମାନବନ୍ଦର ପରିସରସ୍ଥ ମେଡିକାଲ ୟୁନିଟ୍‍କୁ ନିଆଯାଇଥିଲା। ସେଠାରେ ସେ ହୃଦ୍‍ଘାତର ଶିକାର ହୋଇଥିବା ଜଣାପଡିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟପନ୍ନ ଥିବା ଡାକ୍ତର କହିଥିଲେ। ପରେ ତାଙ୍କୁ ଚାର୍ଣ୍ଣେକ୍‍ ହସ୍‍ପିଟାଲରେ ଭର୍ତ୍ତି କରାଯାଇଛି।

kalyan agarbati
Leave A Reply