www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରିତେଲ

ପୁରୀ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ଗଡୁ ଜଳରେ ସ୍ନାନପରେ ଜ୍ବରରେ ପୀଡିତ ଦାରୁବ୍ରହ୍ମଙ୍କୁ ଶନିବାର ଫୁଲୁରି ତେଲ ଲାଗି କରାଯାଇଛି। ଏହାପରେ ଶ୍ରୀଜୀଉଙ୍କ ଜ୍ବରପୀଡା ଲାଘବ ହେବା ବିଶ୍ବାସ ରହିଛି। ଘଣାପେଡ଼ା ରାଶିତେଲରେ ଧାନ, ସୁବାସିତ ଚାଉଳ, ମେଥି, ବେଣାଚେର, ସାତପ୍ରକାର ଚେରମୂଳି, ମଲ୍ଲି, ଚମ୍ପା, କିଆଫୁଲ, ବଉଳଫୁଲ, କସ୍ତୁରୀ, କର୍ପୂର, ଚୁଆ ଏବଂ କେଶର ପକାଯାଇ ପ୍ରଭୁଙ୍କ ଉଦେଶ୍ୟରେ ପ୍ରସ୍ତୁତ ହୋଇଥିଲା ଫୁଲୁରି ତେଲ। ବଡ଼ ଓଡ଼ିଆମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ୩ଟି ମାଟିପାତ୍ରରେ ୬ସେର ଫୁଲୁରି ତେଲ ଯୋଗାଇ ଦେଇଥିଲେ। ପତିମହାପାତ୍ରଙ୍କ ଦ୍ବାରା ତାହାକୁ ସଂସ୍କାର କରାଯାଇଥିଲା। ବାଡ଼ଗ୍ରାହୀ ଦଇତାପତିମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ତାହାକୁ ଲେପ ଦେଇଥିଲେ। ପରମ୍ପରା ଅନୁଯାୟୀ ଗତବର୍ଷଠାରୁ ଶ୍ରୀଜୀଉଙ୍କ ଉଦେଶ୍ୟରେ ଫୁଲୁରିତେଲ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗତବର୍ଷ ହେରାପଞ୍ଚମୀ ତିଥିରେ ମଠ ମହନ୍ତ ଦୁଇଟି ମାଠିଆରେ ଘଣାପେଡ଼ା ରାଶିତେଲ ରଖି ମାଟିତଳେ ପୋତିଥିଲେ। ସେଥିରେ ବିଭିନ୍ନ ଚେରମୂଳି ସମେତ ସୁବାସିତ ଫୁଲ ପକା ଯାଇଥିଲା। ସ୍ନାନପୂର୍ଣ୍ଣମୀ ପୂର୍ବଦିନ ସହସ୍ର କୁମ୍ଭବରଣ ସମୟରେ ମାଟିରୁ ତେଲମାଠିଆ ବାହାର କରାଯାଇ ଛଣାଯାଇଥିଲା। ମଠମହନ୍ତ ଶ୍ରୀ ଦାସ ପ୍ରଭୁଙ୍କ ଉଦେଶ୍ୟରେ ଅତ୍ୟନ୍ତ ନିଷ୍ଠାର ସହ ତାହାକୁ ପ୍ରସ୍ତୁତ କରିଥିଲେ। ପଟ୍ଟିଦିଅଁଙ୍କ ମଧ୍ୟାହ୍ଣଧୂପ ପରେ ଓଡ଼ିଆ ମଠରୁ ଶୋଭାଯାତ୍ରାରେ ଫୁଲୁରି ତେଲ ଅଣାଯାଇଥିଲା। ବଟଗଣେଶଙ୍କ ମନ୍ଦିର ସମ୍ମୁଖ ସରଘରେ ତାହାକୁ ରଖାଯାଇଥିଲା। ଅଣସର ତାଟି ଖୋଲାଯିବା ପରେ ଦେଉଳକରଣ ତାହାକୁ ଅଣସର ଘର ପଠାଇଥିଲେ। ପତିମହାପାତ୍ରଙ୍କ ଦ୍ବାରା ତାହାକୁ ସଂସ୍କାର କରାଯାଇଥିଲା। ବାଡ଼ଗ୍ରାହୀ ଦଇତାପତି ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରିତେଲ ଲାଗି କରିଥିଲେ। ଏହିପରି ପାରମ୍ପରିକ ଚିକିତ୍ସା ପରେ ଶ୍ରୀଜୀଉଙ୍କ ଶରୀରର ଜ୍ବର ତାତି ହ୍ରାସ ପାଇଥିବା ଦଇତାପତି ରବୀନ୍ଦ୍ର କୁମାର ଦାସମହାପାତ୍ର କହିଛନ୍ତି। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ସପ୍ତାବରଣ ଓ ଶ୍ରୀଅଙ୍ଗଫିଟା ପରେ ପଞ୍ଚମୀ ତିଥିରେ ଫୁଲୁରି ତେଲ ଲାଗି କରାଯାଇଛି।

ପ୍ରସ୍ତୁତ ହେଉଛି ମହୌଷଧି

ଦାରୁବ୍ରହ୍ମଙ୍କ ପାଇଁ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହେଉଛି ମହୌଷଧି। ତାହାକୁ ସେବନ ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥହୋଇ ଚକାବିଜେ କରିବେ। ଭାଇଭଉଣୀଙ୍କ ସହ ନବଦିନବ୍ୟାପୀ ଘୋଷଯାତ୍ରା କରିବେ। ରାଜବୈଦ୍ୟଙ୍କ ଦ୍ୱାରା ଶାଳପର୍ଣ୍ଣି, ଗମ୍ଭାରୀ, ନବାଙ୍ଗକୋଳି, ମଣପଣା, କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାତି, ଗୋଖରା ଛେଲି ଓ ଚେରମୂଳିରେ ମହୌଷଧି ପ୍ରସ୍ତୁତ କରାଯାଉଛି। ରାଜବୈଦ୍ୟଙ୍କ ପରିବାର ଲୋକେ ହବିଷବ୍ରତ ପାଳନ କରିବା ସହ ଅତ୍ୟନ୍ତ ନିଷ୍ଠାର ସହ ତାହାକୁ ପ୍ରସ୍ତୁତ କରୁଛନ୍ତି। ଚେରମୂଳି ଗୁଡିକୁ ଖରାରେ ଶୁଖାଯିବା ପରେ ହେମଦସ୍ତାରେ ଗୁଣ୍ଡ କରାଯାଇଛି। ତାହାକୁ ରନ୍ଧାଯାଇ ଛୋଟ ଛୋଟ ଲଡୁ କରାଯିବ। ରାଜବୈଦ୍ୟ ମୁହଁରେ ଗାମୁଛା ବାନ୍ଧି ଏକ ପାତ୍ରରେ ମନ୍ଦିର ପ୍ରଶାସନକୁ ମହୌଷଧି ହସ୍ତାନ୍ତର କରିବେ। ପଟ୍ଟିଦିଅଁଙ୍କ ସନ୍ଧ୍ୟାଧୂପ ପରେ ଦଇତାପତି ପ୍ରଭୁଙ୍କୁ ଚନ୍ଦନଲାଗି କରିବେ । ମହୌଷଧି ଅର୍ପଣ ପୂର୍ବରୁ ଘଟୁଆରୀ ସେବକଙ୍କ ଘରୁ ପଠାଯାଇଥିବା ଚନ୍ଦନରେ କର୍ପୂର ଓ କେଶର ପକାଯାଇ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ। ପତିମହାପାତ୍ର ଦଶମୂଳ ମହୌଷଧି ସଂସ୍କାର କରିବେ। ଦଇତାପତିମାନେ ପ୍ରଭୁଙ୍କୁ ତାହାକୁ ଅର୍ପଣ କରିବେ। ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ରକ୍ତବସ୍ତ୍ର ଲାଗି କରାଯିବ। ଦଶପ୍ରକାର ଔଷଧିୟ ଚେର, ମୂଳ, ଛେଲିରେ ମହୌଷଧି ପ୍ରସ୍ତୁତ କରାଯାଉଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories