ଫୁଲବାଣୀ: ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନରେ ଚାଲିଥିବା ଜିବୀକା ମିଶନ ଜରିଆରେ ଗ୍ରାମାଂଚଳ ଲୋକଙ୍କ ରୋଜଗାର ବୃଦ୍ଧି କରି ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ନୂତନ ଯୋଜନା ହାତକୁ ନିଆଯାଉଛି। ଏହି ଯୋଜନା ଅନ୍ତର୍ଗତ ଏବେ ଲାଭକରୀ କଡକନାଥ କୁକୁଡା ପାଳନ ଉପରେ ଗୁରୁ୍ତ୍ୱ ଦିଆଯାଇଛି। ଆଜି ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ଏ ନେଇ ଏକ ତାଲିମ ଶିବିର ଆୟୋଜିତ ହୋଇଛି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଡକନାଥ କୁକୁଡା ପାଳନର ଫାଇଦା ଉପରେ ବର୍ଣ୍ଣନା କରିଥିଲେ। ବଜାରରେ ଏହି ମାଂସର ଚାହିଦା ଅଧିକ ଥିବାରୁ ଏହା ପାଳନ କରି ବିକ୍ରି କଲେ ଲାଭ ମିଳିବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଲୁଇସିଂ ସରପଂଚ ସୁଦର୍ଶନ କହଁର ଯୋଗ ଦେଇ ଗ୍ରାମାଂଚଳର ଚାଷୀମାନେ ଏହି ଅର୍ଥକରୀ କୁକୁଡା ପାଳନ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମତ ରଖି ଉପସ୍ଥିତ ଚାଷୀମାନଙ୍କୁ ଏହି କାର୍ଯ୍ୟକୁ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ। ତାଲିମଦାତା ଭାବେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ମନୋଜ କୁମାର ସାହୁ ଓ ଡାକ୍ତର ସଂଗ୍ରାମ କେଶରୀ ସାହୁ ଯୋଗଦେଇ ଏହି କୁକୁଡା ପାଳନର ପଦ୍ଧତି ଏବଂ ବଜାର ଚାହିଦା ଉପରେ ଉପସ୍ଥିତ ଚାଷୀଙ୍କୁ ବୁଝାଇଥିଲେ। ଆବଶ୍ୟକ ସ୍ଥଳେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ହିତାଦିକାରୀ ମାନଙ୍କୁ କୁକୁଡା ଚିଆଁ ଏବଂ ବୈଷୟିକ ଜ୍ଞାନକୌଶଳ ମଧ୍ୟ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଆଇଡ଼ିଏ ପକ୍ଷରୁ ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ , ପ୍ରକଳ୍ପ ପରିଚାଳକ ମୂରଲୀ ମୋହନ, ବିଷୟ ବିଶାରଦ ଶୁଭଶ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। ଏହି ତାଲିମ ଶିବିରରେ ଫୁଲବାଣୀ, ଫିରିଙ୍ଗଆ ଏବଂ ଖଜୁରୀପଡ଼ା ବ୍ଲକରୁ ୪୫ ଜଣ ଚାଷୀ ଅଂଶ ଗ୍ରହଣ କରିଥିଲେ।
Popular Categories



