ଫୁଲବାଣୀରେ ଆଉଟସୋରସିଂ କର୍ମଚାରୀଙ୍କ ରଣହୁଙ୍କାର

ଫୁଲବାଣୀ: ନିକଟରେ ରାଜ୍ୟ ସରକାର ଓଡ଼ିଶାରେ ଦୀର୍ଘଦିନ ହେଲା ପ୍ରଚଳିତ ଥିବା ଚୁକ୍ତିଭିତ୍ତିକ ପ୍ରଥାର ବିଲୋପ ଘଟାଇ ପୁଣିଥରେ ରାଜ୍ୟରେ ଏକ ନୂତନ ଇତିହାସ ସୃଷ୍ଟି କରିଥିବା ବେଳେ, ଖୋଦ୍‌ ରାଜ୍ୟ ସରକାରଙ୍କ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ଥିବା ଅସହାୟ ଆଉଟସୋରସିଂ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ନିଷ୍ପତ୍ତି ନେଇ ନାହାନ୍ତି । ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ରାଜ୍ୟ ପାଇଁ ଦିନରାତିକୁ ଏକ କରି ଶାସନର ମେରୁଦଣ୍ଡ ସାଜିଥିବା ଏହି କର୍ମଚାରୀ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ଦେଖାଯାଇଛି ତାହା ଆଗାମୀ ଦିନରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଆଜି କନ୍ଧମାଳ ଜିଲାର ଫୁଲବାଣୀ ସଦର ମହକୁମା ଠାରେ ଅନୁଷ୍ଠିତ ଜିଲା ସ୍ତରୀୟ ବୈଠକରେ କର୍ମଚାରୀ ନେତା ମାନେ ମତ ଦେଇଛନ୍ତି ।

prayash

ବୈଠକରେ କର୍ମଚାରୀ ମାନେ ଦେଇଛନ୍ତି ରଣହୁଙ୍କାର । ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଆବାହକ ପ୍ରଭାତ ମହାନ୍ତି, ରାଜ୍ୟ ସଭାପତି ସଞ୍ଜୟ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ତାପସ ମିଶ୍ର, ଠିକା କର୍ମଚାରୀ ସଂଘ ସଭାପତି ବିଜୟ ମଲ୍ଲ, ହେଡ଼ସ ଅପ ଡି ପାର୍ଟମେଣ୍ଟ ୟୁନିୟନ ଉପ ସଭାପତି ସମରେଶ ପଟ୍ଟନାୟକ, ଜିଲ୍ଲା କର୍ମଚାରୀ ସଂଗ୍ରାମ ସମିତି ସଭାପତି ବ୍ରଜ ପଟ୍ଟନାୟକ, ସମ୍ପାଦକ ପଦ୍ମଲୋଚନ ମହାନ୍ତି, ପ୍ରମୁଖ ଯୋଗ ଦେଇ ସରକାର ତୁରନ୍ତ ଆଉଟସୋରସିଂ ପ୍ରଥାକୁ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଥିଲେ । ସମାନ କାମକୁ ସମାନ ଦରମା ବ୍ୟବସ୍ଥା ଥିବା ବେଳେ ଏହି କର୍ମଚାରୀ ମାନେ ଟେଣ୍ଡର ନେଇଥିବା ମାଲିକ ମାନଙ୍କ ଶୋଷଣର ଶିକାର ହେବା ସହ ଉପଯୁକ୍ତ ପ୍ରାପ୍ୟ ମଧ୍ୟ ପାଉନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।

ଅତି ଶୀଘ୍ର ସେମାନଙ୍କ ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ଆଉଟସୋରସିଂ କର୍ମଚାରୀ ଯୋଗ ଦେଇଥିଲେ । ତେବେ ଇତି ମଧ୍ୟରେ ଉକ୍ତ ସଂଘର ରାଜ୍ୟ ସ୍ତରୀୟ ନେତାମାନେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିବା ବେଳେ ରାଜ୍ୟ ସରକାର ଏନେଇ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିବା ଜିଲା ସଭାପତି ଶ୍ରୀ ମିଶ୍ର ଏକ ପ୍ରେସ ବିବୃତ୍ତିରେ ଦର୍ଶାଇଛନ୍ତି । ତେବେ ଏହି ଦିନ ମଧ୍ୟରେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରିଲେ ଆଗାମୀ ଦିନରେ ଜିଲା ଓ ରାଜ୍ୟର ହଜାର ହଜାର ଆଉଟସୋରସିଂ କର୍ମଚାରୀ ଆନ୍ଦୋଳନ କରିବେ  ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

kalyan agarbati

Comments are closed.