ଏପ୍ରିଲ ୧୭ରୁ ଆନ୍ଦୋଳନକୁ ଓହ୍ଲାଇବ ଫାର୍ମାସିଷ୍ଟ ମହାସଂଘ
କେନ୍ଦୁଝରଗଡ଼: ରାଜ୍ୟର ବିଭିନ୍ନ ବର୍ଗର ଫାର୍ମାସିଷ୍ଟମାନଙ୍କ ଦାବି ସମ୍ପର୍କରେ ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ଅବଗତ କରିବା ପରେ ମଧ୍ୟ ଦାବି ପୂରଣ ନେଇ ସରକାର କର୍ଣ୍ଣପାତ କରୁନାହାନ୍ତି। ମହାସଂଘ ସହ ଆଲୋଚନା ଦ୍ୱାରା ଦାବି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ମହାସଂଘ ପକ୍ଷରୁ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯାଇଛି। ଚଳିତମାସ ୧୬ ତାରିଖ ସୁଦ୍ଧା ମହାସଂଘ ପକ୍ଷରୁ ପ୍ରଦତ୍ତ ୧୨ଦଫା ଦାବି ପୂରଣ କରାନଗଲେ ଓଡ଼ିଶାର ପ୍ରତିବର୍ଗର ଫାର୍ମାସିଷ୍ଟ ବାଧ୍ୟହୋଇ ଏପ୍ରିଲ ୧୭ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡ଼ିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ କେନ୍ଦୁଝରର ସଭାପତି ଅମିତ ଖିଲାର ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଓଡ଼ିଶାରେ ଫାର୍ମାସି ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ ସହ ଫାର୍ମାସିଷ୍ଟ ପଦକୁ ଗୋଟିଏ କ୍ୟାଡର କରି ଫାର୍ମାସି ଅଫିସର ନାମକରଣ କରାଯିବା, ଫାର୍ମାସିଷ୍ଟ ପଦକୁ ପ୍ରଥମଶ୍ରେଣୀ ଗେଜେଟେଡ ପଦ କରାଯିବା ସହ ଦରମା ଲେବେଲ-୧୦ ଓ ଡ୍ରଗ ଇନ୍ସପେକ୍ଟରଙ୍କ ଦରମା ଲେବେଲ-୧୨ କରାଯାଉ, ଓଡିଶରେ ଫାର୍ମା ଉଦ୍ୟୋଗ ନିୟମକୁ ସରଳ କରାଯାଉ, ଫାର୍ମାସିଷ୍ଟମାନଙ୍କୁ ବାଦ୍ ଦିଆଯାଇ ଅଣଫାର୍ମାସିଷ୍ଟଙ୍କୁ ଔଷଧ ରକ୍ଷଣାବେକ୍ଷଣ ଓ ବିତରଣ ଦାୟିତ୍ବ ଦିଆନଯାଉ, ପଞ୍ଜିକୃତ ଫାର୍ମାସିଷ୍ଟଙ୍କ ଦରମା ସର୍ବନିମ୍ନ ୫୦ହଜାର ଟଙ୍କା କରାଯାଉ, ସମସ୍ତ ସରକାରୀ ମେଡିକାଲ କଲେଜରେ ସରକାରୀ ଡିପ୍ଲୋମା ଫାର୍ମାସି, ବି ଫାର୍ମାସି, ବି ଫାର୍ମା ପ୍ରାକ୍ଟିସ୍, ଏମ୍ ଫାର୍ମାସି, ଫାର୍ମ ଡି ପାଠ୍ୟକ୍ରମ ଆରମ୍ଭ ସହ ଫାର୍ମାସି ପଢ଼଼ିବା ପାଇଁ କେବଳ ନିଟ୍ ପାସ ବାଧ୍ୟତାମୂଳକ କରାଯାଉ, ଆଉଟସୋର୍ସିଂ ଓ ଦୈନିକ ମଜୁରୀରେ ନିଯୁକ୍ତ ଫାର୍ମାସିଷ୍ଟ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ, ସମସ୍ତ ପଞ୍ଜିକୃତ ଫାର୍ମାସିଷ୍ଟ ମାନଙ୍କୁ ୬୦ବର୍ଷ ପରେ ୧୦ହଜାର ଟଙ୍କା ପେନସନ ପ୍ରଦାନ କରାଯାଉ, ପଞ୍ଜିକୃତ ଫାର୍ମାସିଷ୍ଟ ଓ ସେମାନଙ୍କ ପରିବାରବର୍ଗଙ୍କୁ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଇ ବିଏସ୍କେୱାଇ ଯୋଜନାରେ ସାମିଲ ସହ ୫୦ଲକ୍ଷ ଟଙ୍କାର ଜୀବନ ବୀମା ଆଦି ୧୨ ଦଫା ଦାବିରେ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ଶ୍ରୀ ଖିଲାର କହିଛନ୍ତି। ମଣ୍ଡୁଆସ୍ଥିତ ପାର୍କଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ଉପସଭାପତି ସବ୍ୟସାଚୀ ଘଣା, ସମ୍ପାଦକ ଓମ୍ ପ୍ରକାଶ ମହାନ୍ତ, ସଙ୍ଗଠନ ସମ୍ପାଦକ ଅଭିଷେକ ମହାନ୍ତି ଓ ଉପଦେଷ୍ଟା ରାଜେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.