ମଦ ପିଇବାକୁ ସବୁ ବିକିଦେଲେ

କବାଡ଼ି ଦେକାନରେ ଶିକ୍ଷକଙ୍କ ନଥି, ପିଅନ ସମେତ ୪ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ଜଣେ ପିଅନଙ୍କ କାରନାମା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ମଦ ପିଇବା ପାଇଁ ସେ ନିଜ କାର୍ଯ୍ୟାଳୟର କାନ୍ଥ ଓ ଛାତକୁ ଛାଡି ଆଉ ସବୁ ସାମଗ୍ରୀ ବିକ୍ରି କରିଦେଇଛନ୍ତି। ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି। ସେ ହେଲେ ବ୍ରହ୍ମପୁରସ୍ଥିତ ପୁରୁଣା ଡିଆଇ (ସ୍କୁଲସମୂହ ଜିଲା ନିରୀକ୍ଷକ)ଙ୍କ କାର୍ଯ୍ୟାଳୟର ପିଅନ ଏମ. ପିତାମ୍ବର(୩୫)। ଏହି ଘଟଣା ଗଞ୍ଜାମ ଜିଲା ଶିକ୍ଷା ବିଭାଗ ଅଧିକାରୀଙ୍କ ଚରମ ଅବହେଳାକୁ ପଦାରେ ପକାଇଛି।
ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶାଖା କାର୍ଯ୍ୟାଳୟ ତଥା ପୁରୁଣା ଡିଆଇଙ୍କ କାର୍ଯ୍ୟାଳୟରୁ ସମସ୍ତ ସାମଗ୍ରୀ ଚୋରି ହୋଇଥିବା ନେଇ ଶୁକ୍ରବାର ଟାଉନ ଥାନାରେ ଅଭିଯୋଗ ହେଇଥିଲା। ବିଭାଗର ସେକ୍‌ସନ ଅଫିସର ଜୟନ୍ତକୁମାର ସାହୁ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଡିଆଇ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକାମାତ୍ର କର୍ମଚାରୀ ପିତାମ୍ବରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ବେଳେ ପିଅନ ଯେଉଁ ତଥ୍ୟ ପୁଲିସ ଆଗରେ ରଖିଥିଲେ ତାହା ସମସ୍ତଙ୍କୁ ତାଜୁବ କରିଦେଇଥିଲା। ମଦ ପିଇବା ନିଶାରେ ଆଜକୁ ୨ ବର୍ଷ ହେବ ଗୋଟିଏ ପରେ ଗୋଟିଏ ସାମଗ୍ରୀ ସହରର ଏକାଧିକ କବାଡିବାଲାଙ୍କୁ ବିକ୍ରି କରିଦେଇଥିବା ପିତାମ୍ବର ପ୍ରକାଶ କରିଥିଲା।
୧୯୪୮ ମସିହାରୁ ସ୍ଥାପନ ହୋଇଥିବା ଏହି କାର୍ଯ୍ୟାଳୟରେ ଗଞ୍ଜାମ ଜିଲାର ହଜାର ହଜାର ଶିକ୍ଷକଙ୍କ ସର୍ଭିସ ବୁକ, ରେକର୍ଡପତ୍ର, ସରକାରୀ ନଥିପତ୍ର ରହିଥିଲା ା ୩୫ଟି ଆଲମିରା ଭିତରେ ଏହି ସମସ୍ତ ସରକାରୀ କାଗଜପତ୍ର ସହ ୧୦ଟି ଚେୟାର, ଏକାଧିକ ଟେବୁଲ ଏବଂ ଅନ୍ୟାନ୍ୟ ଆସବବପତ୍ର ରହିଥିଲା। ବର୍ତ୍ତମାନ ଏହି କାର୍ଯ୍ୟାଳୟଟି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଶାଖା କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଛି। ସେଠାରେ ଜଣେ କନିଷ୍ଠ ସହାୟକ ଓ ପିଅନ ପିତାମ୍ବରଙ୍କୁ ନିୟୋଜିତ କରାଯାଇଥିଲା। ପିତାମ୍ବରଙ୍କ ବାପା ଗିରିଶୋଲାସ୍ଥିତ ଏମଏମ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିବା ବେଳେ ମୃତ୍ୟୁବରଣ କରିଥିବାରୁ ଥଇଥାନ ଯୋଜନାରେ ତାଙ୍କୁ ପିଅନ ଚାକିରି ମିଳିଥିଲା। ପିତାମ୍ବର ଏହି କାର୍ଯ୍ୟାଳୟକୁ ୩ ବର୍ଷ ତଳେ ଡେପୁଟେସନରେ ଆସିଥିଲେ। ଏହି କାର୍ଯ୍ୟାଳୟର ସେତେଟା ଆବଶ୍ୟକତା ନଥିବାରୁ ଏଠାରେ ନିଯୁକ୍ତ କନିଷ୍ଠ ସହାୟକଙ୍କୁ କିଛିମାସ ତଳେ ରଙ୍ଗେଇଲୁଣ୍ଡାକୁ ବଦଳି କରାଯାଇଥିଲା। ସେବେଠାରୁ ପିତାମ୍ବର ହିଁ ଏହି କାର୍ଯ୍ୟାଳୟର ସର୍ବେସର୍ବା ଥିଲେ। ହେଲେ ଥଇଥାନ ଯୋଜନାରେ ଚାକିରି ପାଇଥିବା ପିତାମ୍ବର ସରକାରୀ କାଗଜପତ୍ରର ଗୁରୁତ୍ବ ବୁଝିନଥିଲେ। ମଦ ପିଇବାକୁ ସେ ନିଜ କାର୍ଯ୍ୟାଳୟର ଗୋଟିଏ ପରେ ଗୋଟିଏ ଆଲମିରା ଓ ସେଥିରେ ଥିବା ଶିକ୍ଷକ ଏବଂ ଶିକ୍ଷା ବିଭାଗର ନଥିପତ୍ରକୁ ବିକ୍ରି କରିବା ଆରମ୍ଭ କରିଥିଲେ। ୨ ବର୍ଷ ଭିତରେ ସେ କାର୍ଯ୍ୟାଳୟରେ ଥିବା ୩୫ଟି ଆଲମିରା, ଆସବାବପତ୍ର ଏପରିକି ଝରକା ଓ କବାଟ ମଧ୍ୟ କବାଡିବାଲାଙ୍କୁ ବିକ୍ରି କରି ଦେଇଛନ୍ତି। ସେଥିରୁ ମିଳିଥିବା ୧୨ ହାଜର ଟଙ୍କାରେ ପିତାମ୍ବର ମଦ ପିଇଦେଇଥିବା ପୁଲିସ ନିକଟରେ ସ୍ବୀକାର କରିଛି।
ଏହି କାର୍ଯ୍ୟାଳୟରେ ପିତାମ୍ବର ଏକମାତ୍ର କର୍ମଚାରୀ ଥିଲେ ମଧ୍ୟ ଜିଲା ଶିକ୍ଷାବିଭାଗ କିମ୍ବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କୌଣସି ଅଧିକାରୀ ଏଠାରେ କେବେ ବି ପାଦ ପକାଇନାହାନ୍ତି ବୋଲି ପିତାମ୍ବର କହିଛନ୍ତି। ଦୁଇଦିନ ତଳେ ସେକ୍‌ସନ ଅଫିସର ଜୟନ୍ତକୁମାର ସାହୁ ଓ କନିଷ୍ଠ ସହାୟକ ଜଗନ୍ନାଥ ସାହୁ ଏହି କାର୍ଯ୍ୟାଳୟ ପୁରୁଣା ରେକର୍ଡ ଖୋଜିବାକୁ ଯାଇଥିବାବେଳେ ସେଠାରେ ଗୋଟିଏ ବି ଜିନିଷ କିମ୍ବା କାଗଜପତ୍ର ନଥିବା ଦେଖିଥିଲେ। ଏ ନେଇ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପିଅନ ପିତାମ୍ବରଙ୍କୁ ଗିରଫ କରିଥିଲା। ତାଙ୍କଠାରୁ କମ୍‌ ଦରରେ ସରକାରୀ କାର୍ଯ୍ୟାଳୟର ସାମଗ୍ରୀ କିଣିଥିବା ସହରର ୩ ଜଣ କବାଡ଼ିବାଲା ପ୍ରମୋଦ କୁମାର ଗୁପ୍ତା, ଅନିଲ ଗୁପ୍ତା ଓ କହ୍ନେୟା ଲାଲଙ୍କୁ ପୁଲିସ ଗିରଫ କରିଛି। ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗ ପକ୍ଷରୁ ପିତାମ୍ବରଙ୍କୁ ନିଲମ୍ବନ କରାଯାଇଛି ସତ କିନ୍ତୁ ଏହି କାର୍ଯ୍ୟାଳୟ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏ ନେଇ ଜିଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କୁ ପଚରାଯିବାରେ ଘଟଣାର ବିଭାଗୀୟ ତଦନ୍ତ କରାଯିବ ବୋଲି କହିଛନ୍ତି।

kalyan agarbati

Comments are closed.