ପରଲୋକରେ ‘ଆଇରନ ଲଙ୍ଗ ମ୍ୟାନ୍’ : ଜାଣନ୍ତୁ କାହିଁକି ତାଙ୍କ ଶରୀର ଲୁହା ବାକ୍ସରେ ବନ୍ଦ ରହୁଥିଲା
ସମାଜ ଡିଜିଟାଲ ଡେସ୍କ: ପ୍ରାୟ ୭୦ବର୍ଷ ଧରି ଲୁହା ବାକ୍ସରେ ପୁରା ଶରୀରକୁ ବନ୍ଦ କରି ରହୁଥିବା ପଲ୍ ଆଲେକ୍ସଜାଣ୍ଡର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପଲ୍ ୭୮ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପଲ୍ ଆଲେକ୍ସଜାଣ୍ଡର ୧୯୫୨ ମସିହାରେ ମାତ୍ର ୬ବର୍ଷ ବୟସରେ ପୋଲିଓ ରୋଗରେ ପୀଡିତ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ପରବର୍ତ୍ତୀ ସମୟରେ ପ୍ରାୟ ୭ଦଶନ୍ଧି ଧରି ଲୁହା ଫୁସଫୁସର ସାହାଯ୍ୟ ନେବାକୁ ପଡିଥିଲା ।
ଆମେରିକାର ପଲ୍ ଆଲେକ୍ସଜାଣ୍ଡର ପୋଲିଓ ପଲ୍ ଭାବରେ ମଧ୍ୟ ଜଣାଶୁଣା । ପିଲାଦିନେ ପଲଙ୍କ ରୋଗ ଚିହ୍ନଟ ହେବା ପରେ ତାଙ୍କ ପିତାମାତା ତାଙ୍କୁ ଟେକ୍ସାସର ଏକ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସା ସମୟରେ ତାଙ୍କ ଫୁସଫୁସ ସମୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଥିଲା । ଏହାପରେ ବାଧ୍ୟ ହୋଇ ସେ ଲୁହାରେ ତିଆରି ଏକ ବାକ୍ସରେ ଆଧୁନିକ ଫୁସଫୁସ ସହିତ ଯୋଡି ହୋଇ ରହିଥିଲେ । ପଲ୍ ଆଲେକ୍ସଜାଣ୍ଡର୍ ୧୯୪୬ରେ ଆମେରିକାରେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ପଲ୍ ଜନ୍ମ ହୋଇଥିଲେ ସେତେବେଳେ ପୋଲିଓ ଆମେରିକାରେ ମହାମାରୀ ରୂପ ଧାରଣ କରିଥିଲା । ପଲ ମଧ୍ୟ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ୧୯୫୨ ମସିହାରେ ତାଙ୍କ ବେକର ତଳ ଅଂଶ କାମ କରିବା ବନ୍ଦ କରିଦେଇଥିଲା । ଯାହା ଦ୍ୱାରା ସେ ନିଃଶ୍ୱାସ ନେବାରେ ମଧ୍ୟ ଅସମର୍ଥ ହୋଇଥିଲେ ।
ପଲ୍ଙ୍କ ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କ ପାଇଁ ଲୁହା ଯନ୍ତ୍ରରୁ ନିର୍ମିତ ଫୁସଫୁସ ଉଦ୍ଭାବନ କରିଥିଲେ । ଏହି ମେସିନ ଯୋଗୁ ସେ ଅଧିକ ଦିନ ବଞ୍ଚିପାରିଥିଲେ । ମୃତ୍ୟୁ ପୂର୍ବରୁ ପଲଙ୍କ ଶରୀରର ସମସ୍ତ ଅଂଶ ମେସିନରେ ଥିବାବେଳେ ବାହାରେ କେବଳ ତାଙ୍କ ମୁହଁ ଦୃଶ୍ୟମାନ ହେଉଥିଲା । ପଲଙ୍କ ମୃତ୍ୟୁପରେ ତାଙ୍କ ଭାଇ ଫିଲିପ ଲୋକଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି । ସେ କହିଛନ୍ତି ଯେ ମୁଁ ସେହି ସମସ୍ତ ଲୋକଙ୍କ ପାଇଁ କୃତଜ୍ଞ ଯିଏ ମୋ ଭାଇର ଚିକିତ୍ସା ପାଇଁ ଅର୍ଥ ଦାନ କରିଛନ୍ତି ।
Comments are closed.