ବାସଚ୍ୟୁତ ହେବାର ୨୩ ବର୍ଷ ବିତିଗଲା; ସ୍ଥାୟୀ ସମାଧାନ କେବେ?
ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତରେ ନିର୍ମିତ ବାଘଲଟି ମଧ୍ୟମ ଜଳସେଚନ ପାଇଁ ଆଠ ଗୋଟି ଗ୍ରାମର ଶତାଧିକ ପରିବାରକୁ ବାସଚ୍ୟୁତ କରାଯିବାର ୨୩ ବର୍ଷ ବିତି ଯାଇଥିବା ବେଳେ ବହୁବିଧ ସମସ୍ୟା ଦେଇ ଗତି କରୁଛନ୍ତି ଗ୍ରାମବାସୀ। ଏବେ ଏହିଠାରେ ଥିବା ବାଘଲଟି ଖଣ୍ଡ(ଡିଭିଜନ) କାର୍ଯ୍ୟାଳୟ ଉଠିବା ଫଳରେ ଲୋକମାନେ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି। ଗାଁ ତଳ ଅଂଶରେ ବାଘଲଟି ଯୋଜନା କାର୍ଯ୍ୟକାରୀ ହୋଇ ଗାଁ ବୁଡ଼ିବା ନିଶ୍ଚିତ ହୋଇଥିଲା। ବାସଚ୍ୟୁତ ଲୋକମାନଙ୍କୁ ଠିକ ଭାବେ ଥଇଥାନ କରାଯିବ, ପ୍ରତି ପରିବାରକୁ ନିଯୁକ୍ତି ସୁଯୋଗ ବାସଗୃହ, କ୍ଷତିପୂରଣ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଚାଷ ଜମି ଯୋଗାଇ ଦେବା ସହ ଲୋକମାନଙ୍କ ମତକୁ ପ୍ରାଧାନ୍ୟ ଦେଇ ଉନ୍ନୟନ କାର୍ଯ୍ୟ କରିବା ପ୍ରତିଶୃତି ଦେଇ ସ୍ଥାନାନ୍ତରିତ କରିବାର ୨୩ ବର୍ଷ ବିତିଯାଇଥିଲେ ମଧ୍ୟ ପାନୀୟ ଜଳ ଭଳି ବହୁ ଆବଶ୍ୟକତା ପୁରଣ ହୋଇପାରିନାହିଁ। ନାବାର୍ଡ ଆର୍ଥିକ ସହାୟତାରେ ୧୯୯୬ ମସିହାରେ ବାହୁଦା ନଦୀ ଉପରେ ଯୋଜନା କାର୍ଯ୍ୟ ଆରମ୍ଭ ହେବାର ଦୁଇ ବର୍ଷ ପରେ ପାଣି ଭର୍ତ୍ତି ହେବା ପୂର୍ବରୁ ଲୋକମାନଙ୍କୁ ସ୍ଥାନାନ୍ତରିତ ଜରୁରୀ ହେବାରୁ ୮ଗୋଟି ଗ୍ରାମର ଲୋକମାନଙ୍କୁ ୧୯୯୮ସାଲରେ ପ୍ରସିଦ୍ଧ ଦେବୀ ପୀଠ କୁରେଇଶୁଣି ମନ୍ଦିର ସାମ୍ନାରେ ସର୍ଭେ ହୋଇନଥିବା ଯନ୍ତ୍ରଗଡ଼ ମୌଜାରେ ଥଇଥାନ କରାଯାଇଥିଲା। ଆଠ ଗୋଟି ଗ୍ରାମ ବେଙ୍ଗଇ ସାହିର ୨୭ପରିବାର, ବୁରୁଡାସିଙ୍ଗିର ୧୪ପରିବାର, ଦ୍ୱିତୀକା ସାହିର ୯ପରିବାର, ସିନ୍ଦୁରପୁରର ୨୮ପରିବାର, କରାବାଙ୍କୀର ୧୧ପରିବାର, ଗମ୍ଭାରୀ ଖୋଲର ୩୦ପରିବାର, ପୋଡାଢ଼ିଅର ୧୨ପରିବାର, ବାଟଢ଼େଇପଡାର ୩୦ପରିବାର ସମେତ ୧୨୨ପରିବାରକୁ ସ୍ଥାନାନ୍ତର କରାଯାଇଥିଲା। ଏହିସବୁ ଗ୍ରାମ ତୁରୁବୁଡି ଏବଂ ଆଙ୍କୁଲି ପଞ୍ଚାୟତ ଅଧୀନରେ ରହିଥିଲା। ପରବର୍ତ୍ତୀ ସମୟରେ ଆଙ୍କୁଲି ପଞ୍ଚାୟତର ଗ୍ରାମ ଗୁଡିକୁ ଲୋକମାନଙ୍କ ପଞ୍ଚାୟତର ଦୂରତ୍ୱକୁ ଦେଖି ତୁରୁବୁଡି ପଂଚାୟତରେ ସାମିଲ ହୋଇଥିଲା। ଏହିସବୁ ଗ୍ରାମର ଲୋକମାନେ ସ୍ଥାନାନ୍ତରିତ ହୋଇ ରହିବା ପରେ ଘରବାରି ପଟା ମିଳି ନଥିବାରୁ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଥିଲେ। ଯାହାକୁ ଦେଖି ୨୦୦୯ରେ ସାତଟି ଗ୍ରାମର ଆଦିବାସୀମାନଙ୍କୁ ଘରବାରି ପଟ୍ଟା ଯୋଗାଇ ଦିଆଯାଇଥିଲା। ତେବେ ସିନ୍ଦୁରପୁର ଗ୍ରାମର ସମସ୍ତ ଦଳିତ ଏବଂ ଅନ୍ୟ ଦୁଇ ଆଦିବାସୀଙ୍କୁ ଆଜି ପର୍ଯ୍ୟନ୍ତ ଘରବାରି ପଟ୍ଟା ମିଳିପାରିନାହିଁ।
ସେହିଭଳି ଲୋକମାନେ ପୂର୍ବରୁ ଥିବା ସ୍ଥାନରେ ବଗଡ଼ ଫସଲ କରିବା ଜଙ୍ଗଲରୁ ଜରଡ।, ବାହାଡ଼ା, ତେନ୍ତୁଳି, ଟୋଲ, କରଞ୍ଜ, ମହୁଲଫୁଲ, ଖାଲିପତ୍ର ସଂଗ୍ରହ ସହ ସୁଆଁ, ଘଣ୍ଟିଆ, ଗଙ୍ଗା, ବାରୁଗୁଡି, ତିଶୀ, ମାଣ୍ଡିଆ, ଧାନ ଫସଲ ଆଦାୟ କରି ଜୀବିକା ନିର୍ବାହ କରୁଥିଲେ। ଏହାଦେଖି ଲୋକମାନଙ୍କୁ ବସତିଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝଗଡାପଲ୍ଲୀ ନିକଟରେ ପ୍ରତି ପରିବାରକୁ ଏକ ଏକର ଜମି ଦେବାକୁ ସ୍ଥିର ହୋଇଥିଲା। ଏପରିକି ୪୦ରୁ ଊର୍ଦ୍ଧ୍ବ ପରିବାରକୁ ଜମି ପଟ୍ଟା ଯୋଗାଯାଇଥିଲା। ଲୋକମାନେ ସେହିଦିନଠାରୁ ଖଜଣା ଦାଖଲ କରୁଥିବା ବେଳେ ଜମି ଚିହ୍ନଟ ହୋଇପାରି ନାହିଁ। ପ୍ରଥମ ଦଫାରେ ବାଦ ପଡିଥିବା ବହୁ ପରିବାରକୁ ଆଜି ପର୍ଯ୍ୟନ୍ତ ଜମିପଟା ଯୋଗା ଯାଇନାହିଁ। ଯାହା ଫଳରେ ଲୋକମାନେ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି। ସମସ୍ତ ଗ୍ରାମର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ୨୦୧୦ରେ ଦୁତିକା ସାହି ଗ୍ରାମରେ ଗଭୀର ନଳକୂଅ ଖୋଲି ଓଭର ହେଡ ଟ୍ୟାଙ୍କ ନିର୍ମାଣ ସହ ପ୍ରତି ଗ୍ରାମକୁ ପାଇପ ବିଛ।ଇ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ତେବେ ସେହି ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ଅଚଳ ହୋଇ ପଡିରହିଛି। ଯାହା ଫଳରେ ବିଭିନ୍ନ ସମୟରେ କେନାଲରୁ ଦୂଷିତ ପାଣି ବ୍ୟବହାର କରିବା ସହ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ। ଜଳ ଭଣ୍ଡାରରେ ମାଛ ଚାଷ ପାଇଁ ଏକ କୁରୀଶୁଣି ସୋସାଇଟି ଗଠନ କରାଯାଇ ରୋଜଗାର ଯୋଗାଇବା ଲକ୍ଷ୍ୟ ସ୍ଥିର ହୋଇଥିଲା।
ଏହାପରେ ଜଳଭଣ୍ଡାରରେ ମାଛ ଚାଷ ଆରମ୍ଭ କରାଯାଉଛି। ତେବେ ଲୋକମାନଙ୍କୁ ମାଛ ଧରିବା ତାଲିମ କିମ୍ବା ଡଙ୍ଗା ମିଳିନଥିବା ଯୋଗୁଁ ଅନ୍ୟ ଲୋକମାନେ ମାଛ ଧରି ପ୍ରତି ଗ୍ରାମକୁ ବାର୍ଷିକ ପାଳି ଭିତ୍ତିରେ କିଛି ଅର୍ଥ ଦେଉଛନ୍ତି। ତିତଲିଠାରୁ ବାଟଢେଇପଡା ଗ୍ରାମର ବିଧବା ମହିଳା ସୁଶିଳା ବଳିଆରସିଂ ତାଟି ବାନ୍ଧି ଘର ମଧ୍ୟରେ ରହୁଥିବା ବେଳେ ବାଉଁଶରେ ବିଭିନ୍ନ ସାମଗ୍ରୀ ନିର୍ମାଣ କରି ବିକ୍ରି କରି ଚଳୁଛନ୍ତି। ଲୋକମାନଙ୍କ ଜମିକୁ ଜଳସେଚନ ପାଇଁ ପୋଡାଢ଼ିଅ ଗ୍ରାମ ଉପର ଅଂଶରେ ୨୦୦୪ରେ ନିର୍ମାଣ ହୋଇଥିବା ଚେକ ଡ୍ୟାମ ନିର୍ମାଣଠାରୁ ପାଣି ରହୁନାହିଁ। ଏପରିକି ଅନ୍ୟ ଗ୍ରାମ ନିକଟରେ ନିର୍ମାଣ ହୋଇଥିବା ଚେକ ଡ୍ୟାମ ତିତଲି ପରଠାରୁ ଭାଙ୍ଗି ପଡିଛି। କେତେକ ଗ୍ରାମର କଂକ୍ରିଟ ରାସ୍ତାରୁ ମେଣ୍ଟାଲ ଉଠି ରହିଛି। ବାଟଢ଼େଇ ପଡାଠାରୁ ମୁଖ୍ୟ ପଥକୁ ସଂଯୋଗ କେନାଲ ରାସ୍ତା ମଧ୍ୟ ଖରାପ ହୋଇ ରହିଛି। ନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ କିଛିଲୋକ ଦାଦନ ମୁହାଁ ହୋଇଛନ୍ତି। ଏହିସବୁ ଗ୍ରାମର ଉନୟନ କାର୍ଯ୍ୟ ପଞ୍ଚାୟତ ଅଧିନ ନେଇ କରିବା ପାଇଁ ଜଳସେଚନ ବିଭାଗ ତରଫରୁ ପ୍ରଶାସନକୁ ବହୁବାର ଅବଗତି କରାଯାଇଛି। ଏବେ ଜଳସେଚନ ପ୍ରକଳ୍ପ ଖଣ୍ଡ କାର୍ଯ୍ୟାଳୟ ବନ୍ଦ ହେବା ପରେ ଆଠ ଗୋଟି ଗ୍ରାମର ବିକାଶ ପାଇଁ ପ୍ରଶାସନ ଦୃଷ୍ଟି ଦେବା ସହ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ଲୋକମାନେ ଉପକୃତ ହୋଇ ପାରନ୍ତେ ବୋଲି ଜଣାଶୁଣା ମହଲରେ ଚର୍ଚ୍ଚା ହେଉଛି।
Comments are closed.