ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବି, ରାଜସ୍ବ ମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା : କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ପାଟଣା ଏବଂ ସାହାରପଡା ବ୍ଲକକୁ ନେଇ ଉପଖଣ୍ଡ ଦାବି ଜୋର ଧରିଛି। ଏହି ଦୁଇଟି ବ୍ଲକରେ ସରକାରଙ୍କ ବିକାଶ ଯୋଜନା ଆଜି ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଛି। ଏ ଅଞ୍ଚଳର ବିକାଶ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଅଞ୍ଚଳବାସୀ। ଆଜି ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବି ଜଣାଇ ଆଲୋଚନା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବି ନେଇ ଗତମାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତ ସମୟରେ ତାଙ୍କୁ ଭେଟି ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ଉପଖଣ୍ଡ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜି ପାଟଣା-ସାହାରପଡା ବିକାଶ ମଞ୍ଚ ପକ୍ଷରୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜଧାନୀରେ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ଉପଖଣ୍ଡ ମାନ୍ୟତା ଦାବି ସହିତ ପାଟଣା ମୁଖ୍ୟାଳୟରେ ଥିବା ରାଜସ୍ୱ ବିଭାଗର ପୁରୁଣା ଡାକ ବଙ୍ଗଳାର ପୁନରୁଉଦ୍ଧାର କରିବା ପାଇଁ ଦାବି କରିଥିଲେ। ପ୍ରତିନିଧି ମଣ୍ଡଳୀରେ ପାଟଣା ଅଞ୍ଚଳ ବରିଷ୍ଠ ସମାଜସେବୀ ଅଜୟ କୁମାର ଦାଶ, ସାମ୍ବାଦିକ ସଙ୍ଘ ସମ୍ପାଦକ ବିଜୟ ରତ୍ନ ପତି, ଯୁଗଳ କିଶୋର ଦାଶ,ବିଜେପି ବରିଷ୍ଠ ନେତା କମଳା କାନ୍ତ ଦାଶ, ଦୁର୍ଗା ଚରଣ ନାୟକ,ସାହାରପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୌତମ ନାଏକ,ହରିହର ନାଏକ,ଚପଳ ଚାନ୍ଦ ମାନସିଂ ପ୍ରମୁଖ ଙ୍କ ସହିତ ଅନ୍ୟମାନେ ସାମିଲ ଥିଲେ। ରାଜସ୍ୱ ମନ୍ତ୍ରୀ ପୂଜାରୀ ଦାବି ଗୁଡିକ ଗୁରୁତର ସହିତ ନେଇ ତୁରନ୍ତ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Comments are closed.