ହାତୀ ଆକ୍ରମଣରେ ଛେଳି ଚରାଳି ମୃତ

ପାଟଣା : ପାଟଣା ବନାଞ୍ଚଳରେ ଡେରା ପକାଇଥିବା ହାତୀପଲ ଆଜି ଦିନ ୨ଟାରୁ ଅଢେଇଟା ମଧ୍ୟରେ ୩ ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ଛେଳି ଚରାଳିଙ୍କର ମୃତ୍ୟୁ ଘଟିଛି। ଛେଳି ଚରାଳି ଜଣକ ପୁରୁଣାପାଣି ଗ୍ରାମର ସମରା ମୁଣ୍ଡା(୫୫)ବୋଲି ଜଣାପଡିଛି। ସେ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଛେଳି ଚରାଉଥିଲେ। ପ୍ରବଳ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ଏରେଣ୍ଡେଇ ନିକଟ ବୈତରଣୀ ପଠାରେ ହାତୀପଲ କାଦୁଅରେ ଗଡୁ ଥିବାବେଳେ ଆଜି ଦିନ ୨ ଟା ସମୟରେ ଘନ ଘନ ବଜ୍ରପାତ ଓ ବର୍ଷା ହେବା ଫଳରେ ଏହି ହାତୀପଲ ଭାଗ ଭାଗ ହୋଇ ଭାଲିଆଡାଳ, ଅସନବାହାଳି, ରେଙ୍ଗାଳବେଡା ଦେଇ ପୁରୁଣାପାଣି ଜଙ୍ଗଲ ଚାଲି ଯାଇଥିଲେ। ପୁରୁଣାପାଣି ଜଙ୍ଗଲରେ ଥିବା ବେଳେ ହାତୀପଲଙ୍କ ଆକ୍ରମଣରେ ସମରା ମୁଣ୍ଡାଙ୍କର ମୃତ୍ୟୁ ଘଟିଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ସାହାରପଡା ବନପାଳ ଭୂପତି ସେଠୀ ଓ ପାରା କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ସମରାଙ୍କ ମୃତଦେହକୁ ଠାବ କରିବା ପରେ ପାଟଣା ପୁଲିସକୁ ସୂଚନା ଦେଇଥିଲେ। ଆଜି ସନ୍ଧ୍ୟାରେ ପାଟଣା ପୁଲିସଙ୍କ ସହ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଘଟଣା ସ୍ଥଳକୁ ଯାଇ ମୃତକର ଶବକୁ ଜଙ୍ଗଲରୁ ଉଦ୍ଧାର କରିଛନ୍ତି। ଆସନ୍ତା କାଲି ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂଚନା ଦେଇଥିବା ବେଳେ ବିଭିନ୍ନ ଦଳରେ ହାତୀମାନେ ବିଭକ୍ତ ହୋଇଥିବାରୁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

Comments are closed.