Patra electronics

କୁଡୁମୀ ସମ୍ପ୍ରଦାୟଙ୍କ ବାନ୍ଦନା ପରବ ପାଇଁ ସଜେଇ ହେଉଛି ପୁରପଲ୍ଲୀ

ପାଟଣା: କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାରେ କୁଡୁମୀ ସମ୍ପ୍ରଦାୟଙ୍କ ବାନ୍ଦନା ପରବ ପାଳିତ ହୋଇଥାଏ। କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ସମେତ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ବାନ୍ଦନା ପର୍ବ ପାଇଁ ପୁରପଲ୍ଲୀର ସମସ୍ତ କୁଡୁମୀ ପରିବାର ମାନଙ୍କ ଗୃହ ବିଭିନ୍ନ ରଙ୍ଗରେ ସଜେଇ ହେଉଛି। ଗାଁ ଗହଳି ରେ ଢୋଲ, ମାଦଳ, ନାଗରାର ଶବ୍ଦ ଶୁଭିବାକୁ ମିଳିଲାଣି। କୁଡୁମି ସମ୍ପ୍ରଦାୟ ସମେତ ହୋ, ମୁଣ୍ଡା, ସାନ୍ତାଳ, କମାର, କୁମ୍ଭାର, ମୋଚି ଆଦି ସମ୍ପ୍ରଦାୟ ଏହି ପରବ ପାଳନ କରିଥାନ୍ତି। କୁମ୍ଭାର ସମ୍ପ୍ରଦାୟ ମାଟିର ହାଣ୍ଡି, ଦୀପ ଓ ପଲମ ଆଦି ମାଟି ପାତ୍ର ଗାଁ ଗାଁ ବୁଲି ବିକ୍ରି କରୁଥିବା ବେଳେ ମୋଚି ଘରେ ବର୍ତ୍ତମାନ ମାଦଳ, ନାଗରା, ଢୋଲ ଆଦି ବାଦ୍ୟଯନ୍ତ୍ରର ପ୍ରସ୍ତୁତି ଜୋରସରରେ ଚାଲିଛି।

ବାନ୍ଦନା ପରବ ମୁଖ୍ୟତଃ ତିନିଦିନ ଧରି ପାଳିତ ହୋଇଥାଏ। ପ୍ରଥମ ଦିନ ଗାଁ ମୁଣ୍ଡ ରେ ଦେହୁରୀ ଗୋଠ ପୂଜା କରିଥିବା ବେଳେ ସେଥିରେ ଦିଆ ଯାଇଥିବା କୁକୁଡ଼ା ଚିଆଁର ବଳୀରେ ଚୁନା ମିଶାଇ ପ୍ରସ୍ତୁତ ଲେଟ ମୁଖ୍ୟ ଆକର୍ଷଣ ହୋଇଥାଏ। ଗୋଠରେ ଯାହାର ବଳଦ ଅଣ୍ଡା ମାଡ଼ିଲା ତାଙ୍କ ଘରକୁ ଗ୍ରାମବାସୀ ପ୍ରଥମେ ଧେଙ୍ଗୁଆନ ଯାଇଥାନ୍ତି। ରାତ୍ରି ସାରା ଘର ଘର ବୁଲି ଧେଙ୍ଗୁଆନ ସରିଲା ପରେ ଦ୍ୱିତୀୟ ଦିନକୁ ଗୁହାଳ ପୂଜା ହିସାବରେ ପାଳନ କରାଯାଇଥାଏ। ଏହିଦିନ ହଳ, ଲଙ୍ଗଳ, ଜୁଆଳି, ମଇ, କୁରୁଡ଼, ଟ୍ରାକ୍ଟର, ପାୱାର ଟିଲର, ଶଗଡ଼ ଗାଡ଼ିର ଚକ ଆଦି କୃଷି କାର୍ଯ୍ୟରେ ସହାୟକ ଯନ୍ତ୍ରପାତିକୁ ଧୋଇ ଗୁହାଳ, ଅଗଣା ଓ ଭାଡ଼ି ଘରେ ୯ ଗୋଟି ଖଣ୍ଡ (ଖନ୍ଦା) ପ୍ରସ୍ତୁତ କରି ଗୋରୟା, ଗରାମ, ଗୋସାଇଁରାୟ, ବସୁମତୀ, ବଳପାହାଳ, ବାଘୁତ୍, ବାନସିନୀ, କୁଦରାୟ, ଧରମ ଦେବତା ଆଦି ୯ ଗୋଟି ଦେବାଦେବୀକୁ ତିନି, ପାଞ୍ଚ, ସାତ ଓ ନଅ ଗୋଟି କୁକୁଡ଼ା ଆପାୟିତ କରି ଘରର ଦେହୁରୀ ପୂଜା ବିଧି ସମ୍ପନ୍ନ କରିଥାଏ।

ଶେଷ ଦିନକୁ ବୁଢ଼ୀ ବାନ୍ଦନା କୁହାଯାଇଥାଏ। ଏହି ଦିନ ମଧ୍ୟ ଧାନର କେଣ୍ଡାକୁ ସଂଗ୍ରହ କରି ମଳର ପ୍ରସ୍ତୁତ କରି ଗୁହାଳ ପୂଜା ଦିନ ଭଳି ପଶୁଧନ (ଗାଈ, ବଳଦ, ପଣ୍ଡା, ମଇଁଷି)ଙ୍କ ଶିଙ୍ଗରେ ତେଲ ସିନ୍ଦୂର ଦେଇ ମଳର ପିନ୍ଧାଯାଇଥାଏ। ପଶୁଧନ ବନ୍ଦାପନା ସାରି ଉପରବେଳା ବଳଦ ଓ ପଣ୍ଡାକୁ ଖୁଣ୍ଟରେ ବାନ୍ଧି ବଳଦ ଖେଳା ଯାଇଥାଏ। ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଯେ, ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ମୁଖ୍ୟତଃ ବାଘ କବଳରୁ ଆତ୍ମରକ୍ଷା ପାଇଁ ପ୍ରତି ଘରର ମୁଖ୍ୟ ବଳଦ ଓ ପଣ୍ଡାକୁ ଆତ୍ମରକ୍ଷା ପାଇଁ ବାଘ ଛାଲର ଚମଡ଼ା ଦେଖାଇ ଆତ୍ମରକ୍ଷାର କୌଶଳ ଶିକ୍ଷା ଦିଆଯାଇଥାଏ।

Comments are closed.