ବିପଦକୁ ଡାକୁଛି ତ୍ରୁଟିପୂର୍ଣ୍ଣ ଗଳା ପୋଲ ଓ ସଂକୀର୍ଣ୍ଣ ସର୍ଭିସ ରୋଡ୍‌

ପାଟଣା: ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଏକ ବାଣିଜ୍ୟିକ ପେଣ୍ଠସ୍ଥଳି ଭାବେ ପରିଚିତ ଢେଙ୍କିକୋଟଠାରୁ ପାଟଣା, କରଞ୍ଜିଆ ଆଡକୁ ଯାଇଥିବା ୨୨୦ ନଂ ଜାତୀୟ ରାଜପଥ ରାଞ୍ଚି-ବିଜୟୱାଡା କରିଡର ଭାବେ ମଧ୍ୟ ପରିଚିତ। ତେବେ ୨୦ ନଂ ଜାତୀୟ ରାଜପଥ ୪ ଲେନ ହେବା ସମୟରେ ଢେଙ୍କିକୋଟ ବଜାର ସର୍ଭିସ ରୋଡରୁ ଏକ ଗଳା ପୋଲ ଦେଇ ୨୨୦ ନଂ ଜାତୀୟ ରାଜପଥକୁ ବଡ ବଡ ଗାଡି, ଭାରିଯାନ ଯିବା ବ୍ୟବସ୍ଥା ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ୨୨୦ ନଂ ଜାତୀୟ ରାଜପଥ ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପରିଣତ ହୋଇଛି। ଏହି ରାସ୍ତା ଦେଇ ରାଞ୍ଚି, ଟାଟା, କଳିଙ୍ଗ ନଗର ଇତ୍ୟାଦି ସ୍ଥାନରୁ ବଡ଼ ବଡ଼ ଭାରିଯାନ ପ୍ରତ୍ୟହ ଯିବା ଆସିବା କରୁଛି। କିନ୍ତୁ ୨୦ ନଂ ଜାତୀୟ ରାଜପଥ ୪ ଲେନ୍‌ କରାଯିବା ସମୟରେ ଏଠାରେ ପ୍ରଶସ୍ତ ଗଳା ପୋଲ କରା ନ ଯିବା ଓ ଢେଙ୍କିକୋଟ ବଜାର ସର୍ଭିସ ରୋଡ ମଧ୍ୟ ବେଶ୍ ଓସାରିଆ ନ ଥିବାରୁ ଏବେ ପ୍ରତ୍ୟହ ଏଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସର୍ଭିସ ରୋଡରେ ସଧାରଣ ଲୋକଙ୍କ ବାଇକ, ଅଟୋ କିମ୍ବା କାରଟିଏ ଠିଆ ହେଲେ ମଧ୍ୟ ପଛକୁ ପଛ ଗାଡି ଧାଡି ଲାଗି ଯାଉଛି। ଫଳରେ ଲୋକେ ବସ୍ ଧରିବା, ସଧାରଣ ଚଳପ୍ରଚଳ କରିବା, ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ଆସିବା କରିବା, ରୋଗୀ ଯାନ ଯାତାୟତ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଢେଙ୍କିକୋଟରେ ପ୍ରଶସ୍ତ ସର୍ଭିସ ରୋଡ ଓ ପ୍ରଶସ୍ତ ଗଳା ପୋଲ ନିର୍ମାଣ ନ କଲେ ସମସ୍ୟା ଆଗକୁ ଉତ୍କଟ ହେବା ଆଶଙ୍କା ରହିଛି।

Comments are closed.