ଉଚ୍ଛେଦ ହେଲା ସଂସଦ କ୍ୟାଣ୍ଟିନରେ ସାଂସଦଙ୍କ ନିମନ୍ତେ ଖାଦ୍ୟ ରିଆତି ବ୍ୟବସ୍ଥା
ଚିକେନ ପ୍ଲେଟ ୧୫ ଟଙ୍କା, ମାଛ ଖଣ୍ଡକୁ ୩ ଟଙ୍କା । ଚା ଟଙ୍କାଏ, କଫି ଦେଢ଼ ଟଙ୍କା । ଏମିତି ଶସ୍ତାଦରରେ ସଂସଦ କ୍ୟାଣ୍ଟିନରେ ସାଂସଦଙ୍କୁ ମିଳୁଥିଲା ଖାଦ୍ୟ । ଏଥିପାଇଁ ସରକାରଙ୍କୁ ବାର୍ଷିକ ୮ କୋଟି ଟଙ୍କା ବୋଝ ବୋହିବାକୁ ପଡ଼ୁଥିଲା । ମାତ୍ର ଏଣିକି ଆଉ ସଂସଦ କ୍ୟାଣ୍ଟିନରେ ରିଆତି ଖାଦ୍ୟ ମିଳିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଉପରେ ଦିଆଯାଉଥିବା ସବସିଡି ସାଂସଦ ତଥା ଅନ୍ୟମାନଙ୍କ ଲାଗି ବନ୍ଦ ହେବ । ଏବେ ଉତ୍ତର ରେଲୱେ ବଦଳରେ ଆଇଟିଡିସି ସଂସଦର କ୍ୟାଣ୍ଟିନ ବ୍ୟବସ୍ଥାର ସଞ୍ଚାଳନା କରିବ ।
ସବସିଡି ଯୋଗୁଁ ସଂସଦର କ୍ୟାଣ୍ଟିନରେ ଦେଶର ସାଂସଦ ମାନଙ୍କୁ ଖୁବ୍ କମ୍ ଦାମରେ ଖାଇବା ମିଳିଥାଏ । ଖାଲି ଏତିକି ନୁହେଁ ଟିକସଦାତାଙ୍କ ପଇସାରେ ସାଂସଦ ମାନେ ଶସ୍ତାରେ ଖାଦ୍ୟ ଖାଉଛନ୍ତି ବୋଲି ଚର୍ଚ୍ଚା ହୋଇଥାଏ । ଯେଉଁଥିପାଇଁ ସବସିଡି ଉଠାଇବାକୁ ଦୀର୍ଘ ସମୟ ଧରି ଦାବି କରାଯାଉଥିଲା ।
Comments are closed.