ଶୀତକାଳୀନ ଅଧିବେଶନରେ ତାତି ଅଧିକ – ଢଙ୍ଗରେ ଚାଲିପାରୁନି ସଂସଦ
ଆଜି ବି ଅଚଳାବସ୍ଥା - ଉଭୟ ଗୃହ ରହିଲା ମୁଲତବୀ
ଡେସ୍କ: ଶୀତକାଳୀନ ଅଧିବେଶନରେ କ୍ରମାଗତ ଭାବେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଜାରି ରହିବା ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭା ଏକ ପ୍ରକାର ଅଚଳ ହୋଇପଡିଛି। ଅଦାନୀ ବ୍ୟବସାୟିକ ସଂସ୍ଥାର ଲାଞ୍ଚ ପ୍ରସଙ୍ଗ ଓ ଅନ୍ୟ କେତେକ ପ୍ରସଙ୍ଗ ନେଇ ଗତ କିଛି ଦିନ ହେବ ଉଭୟ ସଦନରେ ହଟ୍ଟଗୋଳ ଜାରି ରହିଛି।
ଚଳିତ ସପ୍ତାହର ଆଜି ଦ୍ୱିତୀୟ ଦିନରେ ମଧ୍ୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। ସଂସଦର ଉଭୟ ଗୃହରେ କଂଗ୍ରେସ ନେତାମାନେ ଦେଶକୁ ବଦନାମ କରିବା ପାଇଁ ଆମେରିକାର ଏକ ପ୍ରମୁଖ ସଂସ୍ଥା ସହ ଯୋଗାଯୋଗରେ ଥିବା ଟ୍ରେଜେରୀ ଖଣ୍ଡପୀଠ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ସଦସ୍ୟମାନେ ଏକ ପ୍ରମୁଖ ଭାରତୀୟ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ। ତେବେ ମଧ୍ୟାହ୍ନ ୧୨ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ଆରମ୍ଭ ହୋଇଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସ ସଦସ୍ୟଙ୍କ ଆଚରଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କଂଗ୍ରେସ ଉପରେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିବା ସହ କଂଗ୍ରେସ ସାଂସଦମାନେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ। କଂଗ୍ରେସ ନେତା ଏବଂ ଆମେରିକାର ଜର୍ଜ ସୋରୋସ୍ ଫାଉଣ୍ଡେସନ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ କରି ସେ କଂଗ୍ରେସକୁ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି।
ବିରୋଧୀ ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ବେଳେ କିଛି ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହରେ ଶୃଙ୍ଖଳା ବଜାୟ ରଖିବା ସହ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ପରେ ବାଚସ୍ପତି ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ।
ରାଜ୍ୟସଭାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ପ୍ରମୁଖ ଭାରତୀୟ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗରେ ଟ୍ରେଜେରି ଏବଂ ବିରୋଧୀ ଦଳ ସଦସ୍ୟମାନେ ପରସ୍ପରକୁ କଡ଼ା ସମାଲୋଚନା କରିଥିଲେ ଓ କଂଗ୍ରେସ ନେତାମାନେ ଆମେରିକାର ଏକ ପ୍ରମୁଖ ସଂସ୍ଥା ସହ ଜଡ଼ିତ ଥିବା ଅଭିଯୋଗ କରିଥିଲେ। ପୂର୍ବାହ୍ନ ୧୨ଟାରେ ପ୍ରଥମ ମୁଲତବୀ ପରେ ଗୃହ ଆରମ୍ଭ ହେବା କ୍ଷଣି ଗୃହ ନେତା ଜେ.ପି ନଡ୍ଡା ଆମେରିକାର ବ୍ୟବସାୟୀ ଜର୍ଜ ସୋରୋସ୍ ଏବଂ ସଂଗଠିତ ଅପରାଧ ଓ ଦୁର୍ନୀତି ରିପୋର୍ଟିଂ ପ୍ରସଙ୍ଗ ଉଠାଇ ଭାରତକୁ ଅସ୍ଥିର କରିବାକୁ ଉଦ୍ୟମ କରାଉଥିବା ଅଭିଯୋଗ କରିଥିଲେ। ଜମ୍ମୁ-କଶ୍ମୀରକୁ ଏକ ଅଲଗା ରାଜ୍ୟ ଭାବେ ଦେଖାଇବାକୁ ଚେଷ୍ଟା କରୁଥିବା ବିଦେଶୀ ଶକ୍ତିଙ୍କ ସହ ସେମାନଙ୍କର କ’ଣ ସମ୍ପର୍କ ରହିଛି ତାହାର ଉତ୍ତର ଦେବାକୁ ସେ କଂଗ୍ରେସ ନେତାମାନଙ୍କୁ କହିଥିଲେ।
ସେ କହିଥିଲେ, ଜର୍ଜ ସୋରୋସ୍ ଫାଉଣ୍ଡେସନ ଦେଶର ସ୍ୱାର୍ଥ ପାଇଁ କ୍ଷତିକାରକ ଅନୁଷ୍ଠାନଗୁଡ଼ିକୁ ପାଣ୍ଠି ଯୋଗାଉଛି। କଂଗ୍ରେସ ନେତା ପ୍ରମୋଦ ତିୱାରୀ’ ଶ୍ରୀ ନଡ୍ଡାଙ୍କ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଥିଲେ। ହଟ୍ଟଗୋଳ ଭିତରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ।
Comments are closed.