‘ଛାତ୍ରଛାତ୍ରୀ ହେଉଛନ୍ତି ରାଜ୍ୟର ଗୌରବ’

ଭୁବନେଶ୍ୱର : ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଆରମ୍ଭ କରି ଅନୁମୋଦନ ଆଦେଶପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ୨୬୮୬ ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨.୬୫କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ସେ ସୂଚନା ଦେଇଥିଲେ।  ଏହାସହ  ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନବୀନ ଓଡ଼ିଶା ସ୍ମାର୍ଟ କାର୍ଡ ଏବଂ ଓଡିଶା ମ୍ୟାଜିକ କାର୍ଡ  ରେଜିଷ୍ଟ୍ରେସନ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ପଞ୍ଜୀକରଣର ଶୁଭାରମ୍ଭ କରିଛନ୍ତି। ଏହା ସମସ୍ତ ଛାତ୍ରଛାତ୍ରୀ ପାଇବେ  ଏବଂ ଏଥିରୁ କେହି ମଧ୍ୟ ବାଦ ପଡ଼ିବେ ନାହିଁ ବୋଲି ପ୍ରକାଶ କରିଥିଲେ।

ଏହି କାର୍ଡରେ ୱାଇଫାଇ ଆକସେସ୍, ବହି କିଣିବାରେ ରିହାତି, ଯାତ୍ରାରେ ରିହାତି ଉଭୟ ବସ୍‌ ଓ ଟ୍ରେନ୍‌, ଅନ୍‌ଲାଇନ୍ କ୍ଲାସ୍‌ରୁମ୍‌ର ସୁବିଧା, ଅନ୍‌ଲାଇନ୍ କ୍ୟାରିୟର କାଉନସେଲିଂ, ଫୋନ୍ ପାଇଁ ରିଚାର୍ଜ କରିବା ସୁବିଧା ଉପଲବ୍ଧ ହେବ। ମ୍ୟାଜିକ୍ କାର୍ଡ ହେଉଛି ଆଧାର କାର୍ଡ, ଯଦି ଛାତ୍ର ଭଲ ପ୍ରଦର୍ଶନ କରେ ତେବେ ସେମାନଙ୍କୁ ସିଲଭର କାର୍ଡ ଅପଗ୍ରେଡ୍ କରାଯାଇ ପାରିବ, ପରେ ଗୋଲ୍ଡେନ୍ ଏବଂ ତା’ ପରେ ପ୍ଲାଟିନମ୍ କାର୍ଡ ଯାହାଦ୍ୱାରା ସେମାନେ ସେମାନଙ୍କ ଅଧ୍ୟୟନ ଖର୍ଚ୍ଚ ପରିଚାଳନା କରିପାରିବେ। ପାଣ୍ଡିଆନ କହିଥିଲେ ଯେ  ଛାତ୍ରଛାତ୍ରୀ ହେଉଛନ୍ତି ରାଜ୍ୟର ଗୌରବ।  ଛାତ୍ରଛାତ୍ରୀଙ୍କ ପ୍ରତିଭାରେ ସାରା ଓଡ଼ିଶା ଓ ଦେଶ ଗର୍ବ କରୁ ଏବଂ ସେମାନଙ୍କର ଦକ୍ଷତା ଅଧିକ ବିକାଶ ତଥା ସୁନ୍ଦର ଭବିଷ୍ୟତ ପାଇଁ ଓଡ଼ିଶା ସରକାର ନୂଆ-ଓ ଛାତ୍ରବୃତ୍ତି ଆରମ୍ଭ କରିଛନ୍ତି।   ଅର୍ଥ ଅଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭରୁ ବଞ୍ଚିତ ହେବେନାହିଁ। ଏହି ଯୋଜନା ଅନ୍ତର୍ଗତ ସାଧାରଣ ଓ ଓବିସି ବର୍ଗର ପ୍ରତ୍ୟେକ ଯୋଗ୍ୟ ଛାତ୍ରୀ ୧୦ ହଜାର ଓ ପ୍ରତ୍ୟେକ ଯୋଗ୍ୟ ଛାତ୍ର ୯ ହଜାର ଟଙ୍କା ବୃତ୍ତି ପାଇବେ। ସେହିଭଳି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ର ଓ ଛାତ୍ରୀ ତଥା ନିର୍ମାଣ ଶ୍ରମିକ ଅଧୀନସ୍ଥ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଏହି ଅର୍ଥ ରାଶି ଯଥାକ୍ରମେ ୧୦ ହଜାର ଏବଂ ୧୧ ହଜାର ଧାର୍ଯ୍ୟ କରାଯାଇଛି ବୋଲି ପାଣ୍ଡିଆନ କହିଥିଲେ।

ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ, କୁଳସଚିବ ଡ.କାହ୍ନୁଚରଣ ଧୀର ଏବଂ ଡିଏସଡବ୍ଲ୍ୟୁ ପ୍ରଫେସର ମିତାଲି ଚିନ୍ନାରା ଯୋଗ ଦେଇଥିଲେ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।  ସମସ୍ତଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳା ସହିତ ନୂଆ-ଓ ଛାତ୍ର ବୃତ୍ତି ବିତରଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

Comments are closed.