ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ଉପରାଜ୍ୟପାଳ ଏବଂ ଦିଲ୍ଲୀ ସରକାର ମଧ୍ୟରେ ଅନେକ ସମୟରେ ବାକଯୁଦ୍ଧ ଦେଖିବାକୁ ମିଳିଥାଏ। ବିଶେଷ କରି ସରକାରୀ ଫାଇଲ ଏବଂ ବିକାଶମୂଳକ ପ୍ରକଳ୍ପକୁ ନେଇ ଅଧିକାଂଶ ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥାଆନ୍ତି। କିନ୍ତୁ ଶୁକ୍ରବାର ଦିଲ୍ଲୀ ରାଜ୍ୟପାଳ ଦିଲ୍ଲୀର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅତିଶୀଙ୍କୁ ଢେର ପ୍ରଶଂସା କରିଛନ୍ତି।
ଉପରାଜ୍ୟପାଳ ଭି.କେ. ସକ୍ସେନା ଶୁକ୍ରବାର ଇନ୍ଦିରାଗାନ୍ଧୀ ଦିଲ୍ଲୀ ମହିଳା ବୈଷୟିକ ବିଶ୍ଵବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇଥିଲେ। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ବି ଉପସ୍ଥିତ ଥିଲେ। ଉପରାଜ୍ୟପାଳ ନିଜ ଭାଷଣରେ କହିଥିଲେ, ମୋତେ ଖୁସି ଲାଗୁଛି ଯେ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଜଣେ ମହିଳା। ମୁଁ ଅତ୍ୟନ୍ତ ବିଶ୍ଵାସର ସହିତ କହିପାରିବି ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ହଜାର ଗୁଣରେ ଭଲ। ତେବେ ଉପରାଜ୍ୟପାଳ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାଁ ଯଦିଓ ନେଇ ନ ଥିଲେ, ସେ ତାଙ୍କୁ ହିଁ ଟାର୍ଗେଟ କରି ଏହା କହିଥିଲେ।



