ଇସଲାମାବାଦ : ପାକିସ୍ତାନର ଆର୍ଥିକ ସଂକଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏପଟେ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ପାକିସ୍ତାନ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି। ଫଳରେ ରମଜାନ ମାସରେ ଦୈନନ୍ଦିନ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି।
ପାକିସ୍ତାନରେ କ୍ଷୀର ଲିଟର ପିଛା ୧୯୦ ଟଙ୍କା, ସେଓ କିଲୋ ପ୍ରତି ୪୦୦ ଟଙ୍କା, କମଳା କିଲୋ ପ୍ରତି ୩୬୦ ଟଙ୍କା ଏବଂ କଦଳି ଡର୍ଜନ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଛେଳି ମାଂସ କିଲୋ ପ୍ରତି ୧୧୦୦ ଟଙ୍କାରେ ବିକ୍ରି ହେଉଛି। ମାର୍ଚ୍ଚ ତୁଳନାରେ ମଇରେ ପିଆଜ ଦର ୪୦%, ବିଲାତି ବାଇଗଣ ଦର ୧୯%, ମୁଗ ଡ଼ାଲି ଦର ୧୩% ବୃଦ୍ଧି ପାଇଛି। ଗୁଡ଼, ଚିନି, ମାଛ, ମସଲା, ଚାଉଳ, ଅଟା, ଚା’, ଗହମ ଦର ୧୦% ବୃଦ୍ଧି ପାଇଛି।
ପାକିସ୍ତାନରେ ଦରଦାମ ବୃଦ୍ଧିକୁ ନେଇ ଲୋକେ ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ସରକାରଙ୍କ ନୀତିର ବିରୋଧ କରୁଛନ୍ତି। ଡଲାର ତୁଳନାରେ ପାକିସ୍ତାନ ଟଙ୍କା ବିନିମୟ ମୂଲ୍ୟ ଦୁର୍ବଳ ହେବାର ପ୍ରଭାବ ବଜାର ଉପରେ ପଡିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରୁ ପାକିସ୍ତାନ ୬ ଶହ କୋଟି ଡଲାର ଋଣ ଆଣିବାକୁ ପ୍ରୟାସ ଜାରି ରଖିଛି। ପାକିସ୍ତାନୀ ଟଙ୍କା ଏସିଆରେ ସବୁଠୁ ଖରାପସ୍ଥିତିରେ ରହିଛି। ପ୍ରତି ଡଲାର ବିନିମୟ ମୂଲ୍ୟ ପାକିସ୍ତାନର ୧୫୦ ଟଙ୍କାରେ ପହଞ୍ଚିଛି।
ରମଜାନରେ ମହଙ୍ଗା ମାଡ଼, ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ
Popular Categories



