ଫେରିଲେ ଅପହୃତ ପାକିସ୍ତାନୀ ସାମ୍ବାଦିକା

0

ଇସ୍‍ଲାମାବାଦ : ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଅପହୃତ ପାକିସ୍ତାନୀ ସାମ୍ବାଦିକା ତଥା ସାମାଜିକ କର୍ମୀ ଗୁଲ୍‍ ବୁଖାରୀ ବୁଧବାର ନିଜ ଘରକୁ ଫେରିଛନ୍ତି। ପାକିସ୍ତାନରେ ଜନ୍ମିତ ବ୍ରିଟିଶ୍‍ ବଂଶୋଦ୍ଭବ ବୁଖାରୀ ପାକିସ୍ତାନ ସେନା ଏବଂ ଏହାର ରାଜନୈତିକ ସମ୍ପୃକ୍ତିକୁ କ୍ରମାଗତ ଭାବେ ସମାଲୋଚନା କରି ଚର୍ଚ୍ଚାରେ ଥିଲେ। ମଙ୍ଗଳବାର ରାତି ୧୧ଟାରେ ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ୱକ୍ତ ଟିଭି ଷ୍ଟୁଡିଓକୁ ଯାଉଥିବା ବେଳେ ଲାହୋରସ୍ଥିତ ଶେରପାଓ ବ୍ରିଜ୍‍ ନିକଟରୁ ତାଙ୍କୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ୱକ୍ତ ଟିଭିର ମହମ୍ମଦ ଗୁଲଶେର ପ୍ରଥମେ ଗଣମାଧ୍ୟମରେ ଏହି ଅପହରଣ ଘଟଣାର ସୂଚନା ଦେଇଛନ୍ତି। ବୁଖାରୀଙ୍କ ଡ୍ରାଇଭର ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ। ସେ କହିଛନ୍ତି, ଏକ ଟ୍ରକ୍‍ ପ୍ରଥମେ ୫୨ ବର୍ଷ ବୟସ୍କା ବୁଖାରୀଙ୍କ ଗାଡିକୁ ରୋକିଥିଲା। ପରେ ସାଦା ପୋଷାକରେ ଥିବା ଜଣେ ବ୍ୟକ୍ତି ଦ୍ୱୈତ କ୍ୟାବିନ୍‍ ବିଶିଷ୍ଟ ଟ୍ରକ୍‍ରୁ ଓହ୍ଲାଇପଡି ବୁଖାରୀଙ୍କୁ ଉକ୍ତ ଗାଡିକୁ ଯିବାକୁ କହିଥିଲେ। ମାତ୍ର ବୁଖାରୀ ରାଜି ନ ହେବାରୁ ସେ ତାଙ୍କୁ ଘୋଷାଡି ନେଇ ଉକ୍ତ ଗାଡିରେ ବାନ୍ଧି ଦେଇ ଚାଲିଯାଇଥିଲେ। ଏହି ସମୟରେ ସେନା ପୋଷାକରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଜଗି ରହିଥିଲେ। ଏହି ଘଟଣା ଜଣାପଡିବା ପରେ ବୁଖାରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଅପହରଣ ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଖୁବ୍‍ ଚର୍ଚ୍ଚା ହୋଇଥିଲା। ଏହି ଘଟଣାରେ ସେନାର ହାତ ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ମାତ୍ର ସେନା ପକ୍ଷରୁ ଏ ବିଷୟରେ କିଛି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ତେବେ ବୁଖାରୀ ବୁଧବାର ସକାଳେ ନିଜ ଘରକୁ ଫେରି ଆସିଥିବା ବେଳେ ସୁସ୍ଥ ଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି।

Leave A Reply