ପୂର୍ବତନ ପାକ୍ ଲେଗ୍ସ୍ପିନର ଅବ୍ଦୁଲ କାଦିରଙ୍କ ମୃତ୍ୟୁ
ଲାହୋର : ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ଲେଗ୍ସ୍ପିନର ଅବ୍ଦୁଲ କାଦିରଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ହୃଦ୍ଘାତରେ କାଦିର ପ୍ରାଣ ହରାଇଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। କାଦିରଙ୍କୁ ୬୩ ବର୍ଷ ବୟସ ହୋଇଥିଲା। କାଦିରଙ୍କ ପତ୍ନୀଙ୍କ ସହ ୪ ପୁତ୍ର ଏବଂ ଏକ କନ୍ୟା ଅଛନ୍ତି; ଯିଏ ପାକିସ୍ତାନର ତାରକା ବ୍ୟାଟ୍ସମ୍ୟାନ୍ ଉମର ଆକ୍ମଲଙ୍କୁ ବିବାହ କରିଛନ୍ତି। ଉମରଙ୍କ ବଡ଼ଭାଇ ତଥା ପାକିସ୍ତାନ ଦଳର ୱିକେଟ ରକ୍ଷକ କମ୍ରାନ୍ ଆକ୍ମଲ ଗଣମାଧ୍ୟମକୁ କାଦିରଙ୍କ ମୃତ୍ୟୁ ସମ୍ବାଦ ଦେଇଥିଲେ। ତାଙ୍କ ଅନୁସାରେ, ହୃଦ୍ଘାତ ପରେ କାଦିରଙ୍କୁ ତୁରନ୍ତ ହାସପାତାଳ ନିଆ ଯାଇଥିଲା; ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରା ଯାଇଥିଲା।
୮୦ ଦଶକରେ ପାକିସ୍ତାନ କ୍ରିକେଟ ଦଳର ଗୁରୁତ୍ବପୂର୍ଣ୍ଣ ସଦସ୍ୟ ରହିଥିବା ଅବ୍ଦୁଲ କାଦିର ଲେଗ୍ସ୍ପିନ୍ କଳାକୁ ବଞ୍ଚାଇ ରଖିଥିଲେ। ସେ ଅବସର ନେବା ପରେ ଅଷ୍ଟ୍ରେଲିଆର ସେନ୍ ୱାର୍ଣ୍ଣ ଓ ତାଙ୍କଦେଶର ମୁସ୍ତାକ୍ ମହମ୍ମଦ୍ଙ୍କୁ ଦିଗ୍ଦର୍ଶନ ଦେଇ କ୍ରିକେଟ ଦୁନିଆର ସଫଳ ଲେଗ୍ସ୍ପିନରର ମାନ୍ୟତା ଦେଇଥିଲେ। ଅବସର ପରେ ଅବ୍ଦୁଲ କାଦିର ପାକିସ୍ତାନ କ୍ରିକେଟ ଦଳ ସହ ବିଭିନ୍ନ ଭୂମିକାରେ କାମ କରିଥିଲେ। ୨୦୦୯ରେ କାଦିର ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ମନୋନୟନକାରୀ ଥିଲେ। ତାଙ୍କ ମନୋନୀତ ଦଳ ଇଂଲଣ୍ଡରେ ଆୟୋଜିତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଚମ୍ପିଆନ୍ ହୋଇଥିଲା। ସେ ପାକିସ୍ତାନ କ୍ରିକେଟ ବୋର୍ଡର ବଡ଼ ସମାଲୋଚକ ମଧ୍ୟ ଥିଲେ। କାଦିରଙ୍କ ୪ ପୁଅ- ରେହ୍ମାନ, ଇମ୍ରାନ୍, ସୁଲେମାନ୍ ଓ ଉସ୍ମାନ ପ୍ରଥମଶ୍ରେଣୀ କ୍ରିକେଟ ଖେଳିଛନ୍ତି। ପିତାଙ୍କ ପରି ଲେଗ୍ସ୍ପିନର ଉସ୍ମାନ ବିଗ୍ ବାସ୍ ଟି୨୦ ଲିଗ୍ ମଧ୍ୟ ଖେଳିଛନ୍ତି। ପୁଣି ଲାହୋରର ଗଦ୍ଦାଫି ଷ୍ଟାଡିୟମ୍ ବାହାରେ କାଦିର ଏକ କ୍ରିକେଟ ଏକାଡେମୀ ଖୋଲିଥିଲେ। ଚଳିତମାସ ୧୫ରେ କାଦିର ତାଙ୍କ ୬୪ତମ ଜନ୍ମଦିନ ପାଳିଥାଆନ୍ତେ।
୧୯୭୭ରେ ଲାହୋରରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଜୀବନର ଆରମ୍ଭ କରିଥିବା ଅବ୍ଦୁଲ କାଦିର ୧୯୯୦ ଡିସେମ୍ବରରେ ତାଙ୍କର ଅନ୍ତିମ ଟେଷ୍ଟମ୍ୟାଚ୍ ଖେଳିଥିଲେ। ମୋଟ ୬୭ ଟେଷ୍ଟମ୍ୟାଚ୍ ଖେଳି କାଦିର ୨୩୬ଟି ୱିକେଟ ନେଇଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଇନିଂସରେ ୫୬ ରନ୍ରେ ୯ ୱିକେଟ କାଦିରଙ୍କ ଜୀବନର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା। କାଦିର୍ ଟେଷ୍ଟମ୍ୟାଚ୍ରେ ୧୫ଥର ଏକ ଇନିଂସରେ ୫ଟି କିମ୍ବା ଅଧିକ ୱିକେଟ ନେଇଥିବା ବେଳେ ୫ ଥର ଏକ ମ୍ୟାଚ୍ରେ ୧୦ଟି କିମ୍ବା ଅଧିକ ୱିକେଟ ନେଇଥିଲେ। ପୁଣି ପାକିସ୍ତାନ ପାଇଁ ୧୦୪ଟି ଦିନିକିଆ ମ୍ୟାଚ୍ରୁ ଅବ୍ଦୁଲ କାଦିର ୧୩୨ଟି ୱିକେଟ ନେଇଥିଲେ। ୪୪ ରନ୍ରେ ୫ ୱିକେଟ ତାଙ୍କର ଶ୍ରେଷ୍ଠ ବୋଲିଂ ହୋଇଥିବା ବେଳେ ୨ଟି ମ୍ୟାଚ୍ରେ ୫ଟି ୱିକେଟ ନେଇଥିଲେ। କ୍ରିକେଟ ବିଶେଷଜ୍ଞଙ୍କ କହିବା ଅନୁସାରେ, ୭୦ ଓ ୮୦ ଦଶକରେ କ୍ରିକେଟ ଦୁନିଆରେ ଫାଷ୍ଟବୋଲର ରାଜୁତି କରୁଥିବା ବେଳେ ଅବ୍ଦୁଲ କାଦିର ଲେଗ୍ସ୍ପିନ୍ କଳାକୁ ବଞ୍ଚାଇ ରଖିଥିଲେ। କାଦିରଙ୍କ ପରଲୋକରେ ସାରାବିଶ୍ବର କ୍ରିକେଟ ବ୍ୟକ୍ତିତ୍ବମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।