କଥାବାର୍ତ୍ତା ଦ୍ୱାରା ଶାନ୍ତି ସମ୍ଭବ; ପାକ୍‌ ସେନାମୁଖ୍ୟ

0

ଇସଲାମାବାଦ : ଦ୍ୱିପାକ୍ଷିକ କଥାବାର୍ତ୍ତା ଦ୍ୱାରା ଭାରତ-ପାକିସ୍ତାନ ସମ୍ପର୍କରେ ଶାନ୍ତି ଫେରିପାରିବ ବୋଲି ପାକିସ୍ତାନ ସେନାମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ ବାଜୱା କହିଛନ୍ତି। କାଶ୍ମୀର ସମେତ ଅନ୍ୟାନ୍ୟ ବିବାଦ ବାବଦରେ ଦୁଇଦେଶ ସମନ୍ୱିତ ଓ ଅର୍ଥପୂର୍ଣ୍ଣ କଥାବାର୍ତ୍ତା କରିବା ଦରକାର ବୋଲି ସେ କହିଛନ୍ତି। ବାଜୱା କହିଛନ୍ତି ‘ଆମର ବିଶ୍ୱାସ ଯେ କାଶ୍ମୀର ଓ ଅନ୍ୟାନ୍ୟ ବିବାଦର ସମାଧାନ ରାସ୍ତା କଥାବାର୍ତ୍ତା ଦ୍ୱାରା ସମ୍ଭବ ହୋଇପାରିବ। ଏହି ସମାଧାନ କୌଣସି ନିର୍ଦ୍ଦିଷ୍ଟ ଦେଶ ପାଇଁ ସହାୟକ ହେବ ନାହିଁ; ବରଂ ଏହା ସମଗ୍ର ଦକ୍ଷିଣ ଏସିଆରେ ଶାନ୍ତି ଓ ସହାବସ୍ଥାନ ପ୍ରତିଷ୍ଠା ଦିଗରେ ସହାୟକ ହେବ।’ ପାକିସ୍ତାନ ମିଲିଟାରୀ ଏକାଡେମୀର ପାସିଂ ଆଉଟ ପରେଡରେ ଯୋଗଦେଇ ବାଜୱା କହିଛନ୍ତି ଯେ ଭାରତ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବାକୁ ପାକିସ୍ତାନ ପ୍ରତିଶ୍ରୁତିବଦ୍ଧ। ତେବେ ଦ୍ୱିପାକ୍ଷିକ କଥାବାର୍ତ୍ତାରେ ପାକିସ୍ତାନ ନିଜର ସାର୍ବଭୌମତ୍ୱ, ସମ୍ମାନ, ସଂହତିରେ କୌଣସି ପ୍ରକାର ସାଲିସ କରିବ ନାହିଁ। ପାକିସ୍ତାନ ଏକ ଶାନ୍ତିପ୍ରିୟ ରାଷ୍ଟ୍ର। ଏହା ସମସ୍ତ ରାଷ୍ଟ୍ର ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ରକ୍ଷା କରିବାକୁ ଚାହେଁ। ସେ କହିଛନ୍ତି ଯେ ଆମର ଶତ୍ରୁମାନେ ଏହା ଜାଣିଛନ୍ତି ଯେ ସେମାନେ ପାକିସ୍ତାନକୁ ଯୁଦ୍ଧରେ ସହଜରେ ପରାସ୍ତ କରିପାରିବେ ନାହିଁ। ତେଣୁ ଆମର ଶତ୍ରୁ ଆମ ବିରୋଧରେ ଘୃଣ୍ୟ ଓ ଖଳ ଆଚରଣ ପ୍ରଦର୍ଶନ କରୁଛନ୍ତି। ପାକିସ୍ତାନ ଏହାର ମାଟିରୁ ସମସ୍ତ ଆତଙ୍କବାଦୀ ସଂଗଠନକୁ ମୂଳୋତ୍ପାଟନ କରିସାରିଲାଣି।

Leave A Reply