ଶରତ ଋତୁର ଆଗମନକୁ ସ୍ୱାଗତ କରୁଛି କାଶତଣ୍ଡିର ପସରା

ପଦ୍ମପୁର: ବର୍ଷା ଋତୁର ଶୁଭ ବିଦାୟ ପରେ ଅର୍ଥାତ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ। କାଶତଣ୍ଡୀ ଫୁଲ ଦର୍ଶକ ଚିତ୍ତରେ ସୃଷ୍ଟି କରେ ଅଦ୍ଭୁତ ପୁଲକ। ଶରତକୁ ସ୍ୱାଗତ କରୁଛି କାଶତଣ୍ଡି। ଧଳା ଚାମର ଧରି ପାର୍ବଣକୁ ସ୍ୱାଗତ କରିବା ଅପେକ୍ଷାରେ ରହିଛି। ଆକାଶରେ ଖଣ୍ଡ ଖଣ୍ଡ ବାଦଲ ତଳେ ମାଟି ମା ଦେହରେ ଶୋଭା ବଢ଼ାଉଛି କାଶତଣ୍ଡି। ପ୍ରକୃତିର ଏହି ମୋନଲୋଭା ଦୃଶ୍ୟ ବେଶ ଶୋଭାପାଉଛି ଏହି ସବୁଜିମା କୋଳରେ ଏହି କାଶତଣ୍ଡି ଫୁଲ। ଯିଏ ଦେଖୁଛି ଘଡ଼ିଏ ଅଟକି ରହୁଛି। ରାସ୍ତା କଡ଼ରୁ ଆରମ୍ଭ କରି ବାଲି ପଟା ପର୍ଯ୍ୟନ୍ତ ସବୁଠି ଧୋବ ଫରଫର ବିଚଳିତ କରିଦେଉଛି କାଶତଣ୍ଡି। ସାଧାରଣ ମଣିଷକୁ ଭାବୁକ କରିଦେଉଛି। କେଉଁଠି କବିର କଲମରେ କାଶତଣ୍ଡିର ରୁପରେଖ ଗୁଣଗାନ ତ ଆଉ କେଉଁଠି ତା ମାଧୁର୍ଯ୍ୟରେ ମତୁଆଲା ହୋଇ ଉଠୁଛି ସାଧାରଣ ମଣିଷ। ଲାଗୁଛି ସତେ ଯେମିତି ଧରଣୀ ରାଣୀ ନଦୀକୁଳ ବାଲିଶଯ୍ୟାକୁ ଧୋବ ଫରଫର ଧଳା ଚାଦରଟିଏ ଘୋଡେଇ ହୋଇରହିଛି।

କଥାରେ ଅଛି ଶରତ ପବନରେ କାଶତଣ୍ଡି ଖେଳିଲେ ଜଣା ପଡ଼ିଯାଏଯେ ଜଗତଜନନୀ ଦୁର୍ଗତୀନସିନୀ ମା ଦୁର୍ଗା ଧରାପୃଷ୍ଠକୁ ଆଗମନ କରୁଛନ୍ତି। ମା ଦୁର୍ଗା ଙ୍କ ଅଗମାନଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷାରତ ଏ କାଶତଣ୍ଡି। ଶରତ ଋତୁରେ ଶୋଭା ବଢାଇଥାଏ ଏହି କାଶତଣ୍ଡି। ଏହାର ଆକର୍ଷଣରେ ଟାଣି ହୋଇ ଆସନ୍ତି ସମସ୍ତ କବି,ଲେଖକ ଠାରୁ ପଥଚାରି ପର୍ଯ୍ୟନ୍ତ। କିଏ ପାଖକୁ ଯାଇ ଫଟୋ ଉଠାଇଥାଏ ତ କିଏ ଶ୍ରଦ୍ଧାରେ ତା ଦେହରେ ହାତ ବୁଲେଇ ଆଣିଥାଏ। କବି ଗୁଣୁଗୁଣୁ ହୋଇ ଦୁଇ ପଦ କବିତା ବୋଲିଦିଏ। ପକୃତିର ଏହି ଅପରୂପ ସୌନ୍ଦର୍ଯ୍ୟକୁ ସମସ୍ତେ ମନଭରି ଉପଭୋଗ କରିଥାନ୍ତି। ରେଖା ପଞ୍ଚମୀରେ ଓଡ଼ିଶାର ଘରେ ଘରେ କାଶ ତଣ୍ଡି ଫୁଲର ବେଣୀ ବନ୍ଧା ଯିବା ପରମ୍ପରା ପ୍ରମାଣ କରେ ଯେ ଏହା କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଉତ୍କଳୀୟ ପରମ୍ପରାର ଏକ ଜ୍ୱଳନ୍ତ ସ୍ବାକ୍ଷର ।

“କାଶତଣ୍ଡି ଫୁଲ ସଜେଇ ହୁଏ ଧରଣୀ, ମନକୁ ନିଏ କିଣି।
ପାଦ ଦୁଇଟି ଅଟକି ଯାଏ , ସମୟ ହୁଏନି ଜାଣି
ପାର୍ବଣ ୠତୁରେ ଆଣିଥାଏ ମନରେ ଆନନ୍ଦ ଭରି”।

Comments are closed.