www.samajalive.in
Sunday, December 14, 2025
26.1 C
Bhubaneswar

କାଗଜରେ ୩୮ ହଜାର କ୍ୱିଣ୍ଟାଲ ଧାନ କିଣା

ଭଦ୍ରକ :  ମଣ୍ଡିକୁ ଆସୁ ନ ଥିଲା ଧାନ। କିନ୍ତୁ ଚାଷୀ ଧାନ ବିକିଲେ ବୋଲି ସବୁ କାଗଜପତ୍ର ପ୍ରସ୍ତୁତ ହୋଇ ଯାଉଥିଲା। ଏମିତି ଶହେ କି ଦୁଇଶହ କ୍ୱିଣ୍ଟାଲ ନୁହେଁ ମିଛ ମିଛରେ କିଣିଦେଲେ ୩୮ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ। କିନ୍ତୁ ଭାଗ୍ୟ ସାଥ୍‌ ଦେଲାନି ଯେ ଧରା ପଡ଼ିଗଲେ। ଏବେ ସାମ୍ନା କରିବେ କାର୍ଯ୍ୟାନୁଷ୍ଠାନକୁ। ଭଦ୍ରକ ଜିଲାରେ ଧାନକିଣାରେ ସଙ୍ଗଠିତ ଏଭଳି ସାଂଘାତିକ ଅନିୟମିତତାରେ ସମ୍ପୃକ୍ତ ଅଛନ୍ତି ୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୧୦ଟି ସେବା ସମବାୟ ସମିତି। ରାଜ୍ୟ ଯୋଗାଣ ନିଗମର ସ୍ୱତନ୍ତ୍ର ଯାଞ୍ଚ ଦଳ ନିଜ ଆଡୁ ଭଦ୍ରକରେ ପହଞ୍ଚି କ୍ଷେତ୍ରୀୟ ଯାଞ୍ଚ ପୂର୍ବକ ଏଭଳି ଅନିୟମିତତା ଉପରୁ ପରଦା ହଟାଇଛନ୍ତି। ଯାଞ୍ଚ ଦଳର ରିପୋର୍ଟ ଉପରେ ଏବେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା। ସୂଚନାଯୋଗ୍ୟ; ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଏବେ ସ୍ୱୟଂକ୍ରିୟ ଧାନ କିଣା ବ୍ୟବସ୍ଥା (ପାଡି ପ୍ରକ୍ୟୁରମେଣ୍ଟ ଅଟୋମେସନ ସିଷ୍ଟମ/ପିପାସ୍‍) ଆପଣାଯାଇଛି।
ଚାଷୀଙ୍କୁ ମିଳୁଥିବା ମୋବାଇଲ ବାର୍ତ୍ତା ଟୋକନ ଆଧାରରେ ମଣ୍ଡିରେ ଧାନ କିଣା ଯାଇଥାଏ। ଚଳିତ ବର୍ଷ ଭଦ୍ରକ ଜିଲାରେ ୯୬ଟି ସମବାୟ ସମିତି ଓ ୫୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନକିଣାରେ ନିୟୋଜିତ କରାଯାଇଥିଲା। ତେବେ ଭଦ୍ରକ ଜିଲାରେ ମଣ୍ଡିରେ ଧାନ କିଣା ନ ଯାଇ କେବଳ କାଗଜପତ୍ର ପ୍ରସ୍ତୁତ କରାଯାଇ ମିଲର-ଦଲାଲଙ୍କୁ ଫାଇଦା ଦିଆଯାଉଥିବା ନେଇ ରାଜ୍ୟ ଯୋଗାଣ ନିଗମ ପାଖେ ଖବର ପହଞ୍ଚିଥିଲା। ପରେ ରାଜ୍ୟ ନିଗମର ଏକ ଯାଞ୍ଚ ଦଳ ଗତ ଫେବୃଆରୀ ୨୬ରେ ଭଦ୍ରକ ଜିଲା ଗସ୍ତରେ ଆସିଥିଲେ। ଉକ୍ତ ଦଳ ଭଦ୍ରକରେ ଅବସ୍ଥାନ କରି କେତେକ ଧାନକିଣା କେନ୍ଦ୍ର / ମଣ୍ଡିକୁ ଯାଇ କ୍ଷେତ୍ରୀୟ ତଦନ୍ତ କରିଥିଲେ। ତେବେ କେତେକ ମଣ୍ଡିର ଧାନକିଣା ବ୍ୟବସ୍ଥା ଦେଖି ତାଜୁବ ହୋଇଥିଲେ ଏହି ଦଳ। ମଣ୍ଡିରେ ମୋଟ କିଣାଯାଇଥିବା ଧାନ ପରିମାଣରୁ ମିଲର ଉଠାଇଥିବା ଧାନ ପରିମାଣକୁ ବିୟୋଗ କଲେ ଅବଶିଷ୍ଟ ଧାନ ମଣ୍ଡିରେ ଗଚ୍ଛିତ ରହିବା କଥା। ମାତ୍ର ହିସାବ ଅନୁଯାୟୀ ମଣ୍ଡିରେ ଧାନ ନ ଥିଲା। ଯାଞ୍ଚକାରୀ ଦଳ କ୍ଷେତ୍ରୀୟ ଅନୁଧ୍ୟାନ ବେଳେ ହଜାର ହଜାର କ୍ୱିଣ୍ଟାଲ ଧାନ କମ୍‍ ଥିବା ଦେଖିବା ପରେ ଏ ସମ୍ପର୍କରେ ଅଧିକ ଖୋଳତାଡ କରି ଫେରିଥିଲେ। ପରେ ଉକ୍ତ ଯାଞ୍ଚ ଦଳ ରାଜ୍ୟ ଯୋଗାଣ ନିଗମକୁ ଦୁର୍ନୀତି ବାବଦରେ ରିପୋର୍ଟ ଦେବା ପରେ ଏପ୍ରିଲ ୨୫ରେ ବିଭାଗୀୟ ଅତିରିକ୍ତ ସଚିବ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲାପାଳ ଓ ସମବାୟ ସମିତିର ରାଜ୍ୟ ନିବନ୍ଧକଙ୍କୁ ଚିଠି (ନଂ୬୦୨୧) କରିଥିଲେ। ଉକ୍ତ ଚିଠି ପାଇବା ପରେ ଭଦ୍ରକ ଜିଲାପାଳ ୧୦ଟି ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଇତିମଧ୍ୟରେ ସମବାୟ ସମିତି ଉପନିବନ୍ଧକ (ଡିଆରସିଏସ)ଙ୍କୁ ଏବଂ ୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି (ନଂ୨୨୮୫) ଲେଖିଛନ୍ତି। ଉଭୟ ସମବାୟ ଓ ସମାଜ ମଙ୍ଗଳ ବିଭାଗ ଜିଲାପାଳଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲେ ହେଁ ଏହି କଡ଼ା କାର୍ଯ୍ୟାନୁଷ୍ଠାନର ରୂପରେଖ କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାଜ୍ୟ ନିଗମର ଯାଞ୍ଚ ଦଳ ରାଜଧାନୀରୁ ଆସି ଏତକ ମହିଳା ଗୋଷ୍ଠୀ ଓ ସମିତିର କାରନାମାକୁ ପଦାକୁ ଆଣିଥିବା ବେଳେ ଜିଲା ଯୋଗାଣ ନିଗମର ଛତ୍ରଛାୟା ତଳେ ଆହୁରି ଅଧିକ ସମିତି ଓ ମହିଳା ଗୋଷ୍ଠୀ ଏବେ ବି ସୁରକ୍ଷିତ ଥିବା ନେଇ ଚର୍ଚ୍ଚା ହେଉଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories