ଲଣ୍ଡନ: ଭାରତ ସମେତ ବିଶ୍ବରେ କରୋନା ଥମିବାର ନାଁ ନେଉନାହିଁ । ହାରାହାରି ପ୍ରତି ୩ ଦିନରେ ଭାରତରେ ୨ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଲୋକଙ୍କ ମଧ୍ୟରେ କରୋନା ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାମଧ୍ୟରେ କରୋନା ଟୀକାକୁ ନେଇ ମିଳିଛି ଭଲ ଖବର । ଆସନ୍ତା ୬ ସପ୍ତାହ ମଧ୍ୟରେ ବ୍ରିଟେନର ଅକ୍ସଫୋର୍ଡ଼ ୟୁନିଭରସିଟି କରୋନା ଟୀକା ପ୍ରସ୍ତୁତ କରିବାର ସମ୍ଭାବନା ରହିଛି । ଏହି ଟୀକାର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଖୁବ୍ ଶୀଘ୍ର ଏହି ଟୀକା ନେଇ ଭଲ ଖବର ମିଳିବ ବୋଲି ଆଶା କରାଯାଉଛି ।
ବ୍ରିଟେନର ଏକ୍ସପ୍ରେସ (ଡ଼ଟ୍) ସିଓ(ଡ଼ଟ୍) ୟୁକେରେ ପ୍ରକାଶିତ ଖବର ଅନୁସାରେ ଅକ୍ସଫୋର୍ଡ଼ କରୋନା ଟୀକା ଆଜିଠାରୁ ୪୨ ଦିନ ଅର୍ଥାତ୍ ୬ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇପାରେ । ଏହି ଖବର ବିଶ୍ବ ପାଇଁ ଯେତିକି ଆଶ୍ବସ୍ତପ୍ରଦ, ଭାରତ ପାଇଁ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ । ପୁନେର ସିରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ସହଯୋଗରେ ଟୀକା ବିକଶିତ କରୁଥିବାରୁ ଭାରତରେ ମଧ୍ୟ ଟୀକା ଏହି ସମୟରେ ମିଳିବା ଆଶା ଜାଗ୍ରତ ହୋଇଛି ।
ଏହି ରିପୋର୍ଟ ଅନୁସାରେ ଟୀକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଆପାତତ। ଶେଷ ହେବାକୁ ଯାଉଛି । ବୈଜ୍ଞାନିକମାନେ କେବଳ ସରକାରଙ୍କ ସବୁଜସଙ୍କେତକୁ ଅପେକ୍ଷା କରିଛନ୍ତି । କୋଭିଡ଼-୧୯ର କୌଣସି ଟୀକାକୁ ଲାଇସେନ୍ସ ଦେବା ପୂର୍ବରୁ ବ୍ରିଟେନରେ ଏହାର ଉପଯୋଗ କରିବା ନିମନ୍ତେ ଅନୁମତି ଲାଗି ନିୟମରେ ପରିବର୍ତନ କରାଯିବାକୁ ଯୋଜନାହୋଇଛି । ସୁରକ୍ଷା ଓ ଗୁଣବତ୍ତାର ମାନଦଣ୍ଡରେ ଉନ୍ନୀତ ହେବା ପରେ ଏହି ଟୀକାକୁ ବ୍ୟବହାର ନିମନ୍ତେ ଅନୁମତି ଦିଆଯିବ ବୋଲି ବ୍ରିଟେନ୍ ସରକାର ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ ଜନସନ ନେତୃତ୍ବାଧୀନ ବ୍ରିଟେନର କଞ୍ଜରଭେଟିଭ୍ ପାର୍ଟି ସରକାର ପକ୍ଷରୁ ଏ ସମ୍ପର୍କରେ ଶୁକ୍ରବାର ସ୍ପଷ୍ଟ କରାଯାଇଛି ।
Comments are closed.