ଚାଷୀଙ୍କୁ ଅଡ଼ୁଆ ‘ଓଟିପି’

ମିଳୁନି ବିହନ ରିଆତି ଅର୍ଥ, ବ୍ୟବସ୍ଥାରେ ସଂଶୋଧନ ଦାବି

ଭୁୁବନେଶ୍ୱର : ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ୨୦୧୩ରେ ଚାଷ ଓ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୭ହଜାର ୧୬୨କୋଟି ଟଙ୍କାର ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରିଥିବାବେଳେ ଏବେ ଏହାର ଆକାର ବଢି ୨୪ହଜାର ୮୨୯କୋଟି ଟଙ୍କାରେ ପହଞ୍ଚିଲାଣି। ହେଲେ ସରକାରୀ ଯୋଜନା ଅର୍ଥ କେତେ ଚାଷୀଙ୍କ ନିକଟରେ ପହଞ୍ଚୁଛି ତାହାକୁ ପରଖିବାକୁ ଅଧିକାରୀଙ୍କର ସମୟନାହିଁ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକର ଚାଷୀ ଗଣେଶ ନାୟକ ବିହନ କିଣାରେ ରିଆତି ଅର୍ଥ କିଭଳି ‘ଓଟିପି’ ଆଳରେ ଲୁଟ୍‌ ହେଉଛି ସେ ନେଇ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଚାଷୀ ବିହନ କିଣିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ରିଆତି ଯୋଗାଇ ଦେବା ବ୍ୟବସ୍ଥା ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ‘ଡିବିଟି’ ବ୍ୟବସ୍ଥା ପ୍ରଣୟନ କରିଛନ୍ତି। ହେଲେ ରାଜ୍ୟ ସରକାର ଏଥିରେ ଆଉ ପାଦେ ସଂସ୍କାର ଆଣିବାକୁ ଯାଇ ୨୦୨୧ରେ ୱାନ ଟାଇମ୍ ପାସୱାର୍ଡ(ଓଟିପି) ବ୍ୟବସ୍ଥା ଲାଗୁ କଲେ। ଯାହାଦ୍ବାରା ପଦ୍ଧତିରେ ସ୍ବଚ୍ଛତା ରହିବ ବୋଲି ବିଭାଗ ଲକ୍ଷ୍ୟ ରଖିଥିଲା। ହେଲେ ଓଟିପି ଏବେ ଚାଷୀଙ୍କ ପାଇଁ କାଳ ସାଜିଥିବାବେଳେ କିଛି ଦଲାଲ୍‌ଙ୍କ ଲାଗି ରିଆତି ହରିଲୁଟ୍‌ର ସୁଯୋଗ ପାଲଟିଛି। ଚାଷୀଟିଏ ବିହନ କିଣିବା ବେଳେ ‘ଗୋ-ସୁଗମ’ ପୋଲାର୍ଟକୁ ଯାଇ ପଞ୍ଜିକୃତ କରିବା ବ୍ୟବସ୍ଥା ରହିଛି। ଏଥିପାଇଁ ଓଟିପି ଜରିଆରେ ଚାଷୀ ମୋବାଇଲକୁ ବାର୍ତ୍ତା ଯିବା ବ୍ୟବସ୍ଥା କରାଯାଇଛି। ହେଲେ ଦୁର୍ଗମ ଅଞ୍ଚଳରେ ସବୁ ଚାଷୀଙ୍କ ପାଖରେ ଅତ୍ୟାଧୁନିକ ‘ଆଣ୍ଡ୍ରଏଡ ସ୍ମାର୍ଟ ମୋବାଇଲ’ ନାହିଁ। ଯଦି କେଉଁ ଚାଷୀଙ୍କ ପାଖରେ ଅଛି, ତେବେ ସେ ପଞ୍ଜୀକୃତ କରିବା ଓ ତା’ ପାଖକୁ ବାର୍ତ୍ତା ପହଞ୍ଚିବା ପାଇଁ ନେଟୱର୍କ ପାଉନାହିଁ। ଅନେକ ଚାଷୀଙ୍କ ପାଖକୁ ବାର୍ତ୍ତା ଆସୁଥିଲେ ହେଁ ତାହା ଠିକଣା ଭାବେ ବୁଝି ପାରୁନାହାନ୍ତି। ଏହିଭଳି ଅନେକ ସମସ୍ୟା ରହିଥିବାବେଳେ ସରକାରଙ୍କ ପକ୍ଷରୁ ଓଟିପିକୁ କଡ଼ାକଡ଼ି ଲାଗୁ କରିବାକୁ ବାଧ୍ୟ କରାଯାଇଛି। ଅନ୍ୟପକ୍ଷରେ ସାଇବର ଅପରାଧୀମାନେ ‘ଓଟିପି’ର ଫାଇଦା ଉଠାଇ ବ୍ୟାଙ୍କରୁ ବିପୁଳ ରିଆତି ଅର୍ଥ ଆତ୍ମସାତ୍ କରୁଛନ୍ତି। ଚାଷୀ ଏଣେ ମୂଳ ଦର ଦେଇ ବିହନ କିଣୁଛି; ମାତ୍ର ତା ନିକଟକୁ ରିଆତି ଅର୍ଥ ଯାଉନି। ଏହି ପରିପ୍ରେକ୍ଷୀରେ ଓଟିପି ବ୍ୟବସ୍ଥାକୁ ତୁରନ୍ତ ହଟାଇବାକୁ ସରକାରଙ୍କ ନିକଟରେ ଦାବି ହୋଇଥିଲା। ଏହାକୁ ନେଇ ତତ୍କାଳୀନ ସମବାୟ ମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ତ୍ବରିତ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା, ହେଲେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ।
୨୦୧୬-୧୭ ଏବଂ ୨୦୨୧-୨୨ ବର୍ଷରେ ଶତାଧିକ ଚାଷୀ ତୈଳବୀଜ ରିଆତି ପାଇ ନ ଥିବାବେଳେ ୨୦୨୧ରେ ହଜାର ହଜାର ଚାଷୀ ବିହନ ବାବଦ କୋଟି କୋଟି ଟଙ୍କାର ରିଆତି ପାଇନାହାନ୍ତି। ଏହାକୁ ନେଇ ଡିସେମ୍ବର ୨୯ରେ ବିହନ ନିଗମ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଚାଷୀମାନେ ହାତରୁ କିଣିଥିବା ବିହନର ରିଆତି ବାବଦ ସହାୟତା ତାଙ୍କ ବ୍ୟାଙ୍କ ଖାତାକୁ ତୁରନ୍ତ ଦେବାକୁ ନିଷ୍ପତ୍ତି ହେଲା, ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ଉକ୍ତ ରିଆତି ଅର୍ଥ ପହଞ୍ଚି ନାହିଁ।
ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ବିଭାଗର ବିହନ ନିଗମରେ ପ୍ରଥମ ଥର ପାଇଁ ପାଇଲଟ୍‌ ପ୍ରକଳ୍ପ ଭାବେ ଡିବିଟି ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏହାଫଳରେ ସେତେବେଳେ ବିହନ ନିଗମର ୨୮ କୋଟି ଟଙ୍କା କ୍ଷତି ହୋଇଥିଲା। ବାଧ୍ୟ ହୋଇ ନିଗମକୁ ସେତେବେଳେ ସରକାର ୮ କୋଟି ଟଙ୍କା କ୍ଷତିଭରଣା କରିଥି​‌ଲେ। ଏବେବି ନିଗମର ୨୦ କୋଟି ଟଙ୍କା ବାକି ପଡିଛି। ପରେ ଚାଷୀଙ୍କୁ ଡିବିଟି ଜରିଆରେ ରିଆତି ଦେୟ ପ୍ରଦାନ କରା ନ ଯାଇ ଡିଲର ପଏଣ୍ଟ ପର୍ଯ୍ୟନ୍ତ ରିଆତି ଯୋଗାଇ ଦିଆଗଲା। ୨୦୨୧ରେ ତତ୍କାଳୀନ ଅତିରିକ୍ତ ମୁଖ୍ୟଶାସନ ସଚିବ ସଞ୍ଜୀବ ଚୋପ୍ରା ଭାରତ ସରକାରଙ୍କ ଡିବିଟି ମାର୍ଗଦର୍ଶିକାକୁ ଉଲ୍ଲଘଂନ କରି ଏହାସହିତ ‘ଓଟିପି’ ବ୍ୟବସ୍ଥା ଯୋଡ଼ିଲେ। ପ୍ରକ୍ରିୟାରେ ସ୍ବଚ୍ଛତା ରହିବ ବୋଲି ବିଭାଗ ଲକ୍ଷ୍ୟ ରଖିଥିଲା। ହେଲେ ଏହାକୁ ଚାଷୀମାନେ ବିରୋଧ କଲେ, ଫଳରେ ଉକ୍ତବର୍ଷ ବିହନ ନିଗମର ପ୍ରାୟ ୫୦ ହଜାର କୁଇଣ୍ଟାଲ ବିହନ ବିକ୍ରି ହୋଇପାରିଲା ନାହିଁ। ନିଗମର ପ୍ରାୟ ୫କୋଟି ଟଙ୍କା କ୍ଷତି ହେଲା। କେବଳ ସେତିକି ନୁହେଁ, ବିହନ ପ୍ରତିବଦଳ ହାର କମିଲା। ଚାଷୀମାନେ ପ୍ରାମାଣିକ ବିହନଠାରୁ ମୁହଁ ଫେରାଇବା ଯୋଗୁଁ ରାଜ୍ୟର ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପଡିଲା। ତେବେ ଯେଉଁ ଚାଷୀମାନେ ସରକାରଙ୍କ ଓଟିପି ବ୍ୟବସ୍ଥାରେ ଯାଇ ବିହନ କିଣିଛନ୍ତି ସେମାନେ ୮ ମାସ ହେଲା ରିଆତିକୁ ଚାହିଁ ବସିଛନ୍ତି ବୋଲି ରାଜ୍ୟ ବିହନ ନିଗମ ଲି.(ଗ୍ରୋୟେର ସେୟାର ହୋଲଡର୍ସ) ନିର୍ଦେଶକ ଅଶୋକ କୁମାର ବରାଳ କହିଛନ୍ତି। ତାଙ୍କ ମତରେ ଚାଷୀମାନଙ୍କ ଲାଗି ଓଟିପି ବ୍ୟବସ୍ଥା ସମସ୍ୟା ସୃ‌ଷ୍ଟି କରୁଛି । ଚାଷୀମାନେ ରିଆତି ପାଇବାରେ ଅସୁବିଧା ଭୋଗୁଥିବା ଅଭିଯୋଗ ରହିଛି। ଏହି ବ୍ୟବସ୍ଥା ଉଚ୍ଛେଦ ଲାଗି ସରକାରୀସ୍ତରରେ ପ୍ରକ୍ରିୟା ଚାଲୁ ରହିଛି । ସରକାରଙ୍କ ନିଷ୍ପତ୍ତିକ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବାକୁ ରହିଛି।

Comments are closed.