‘ଭାଇଚାରା କ୍ଷୁଣ୍ଣ କରିବାକୁ ଦେବୁ ନାହୁଁ’

ଢିଙ୍କିଆରେ ​ମେଧା ପାଟେକରଙ୍କୁ ବିରୋଧ

ଏରସମା : ବିଶିଷ୍ଟ ସାମାଜିକ କର୍ମୀ ମେଧା ପାଟେ‌େ‌କରଙ୍କୁ ଢିଙ୍କିଆରେ ବିରୋଧ କରାଯାଇଛି। ସେ ତାଙ୍କର କିଛି ସାଥୀଙ୍କ ସହିତ ସୋମବାର ଢ଼ିଙ୍କିଆସ୍ଥିତ ଜିନ୍ଦଲ ପ୍ରକଳ୍ପ ଅଞ୍ଚଳ ଗସ୍ତ କରିବାକୁ ଆସିଥିବା ସମୟରେ ଗ୍ରାମବାସୀ ବିଶେଷକରି ଜିନ୍ଦଲ ସପକ୍ଷବାଦୀ ତାଙ୍କୁ ଗାଁରେ ପ୍ରବେଶ କରିବାକୁ ଦେଇ ନଥିଲେ। ବାହାର ଲୋକ ଗାଁକୁ ଆସିଲେ ଆମ ଭାଇଚାରା ନଷ୍ଟ ହେଉଥିବା କହି ସେମାନେ ତାଙ୍କୁ ଫେରାଇ ଦେଇଥିଲେ।
ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜିନ୍ଦଲ ଇସ୍ପାତ ପ୍ରକଳ୍ପକୁ ନେଇ କେତେକ ଅଭିଯୋଗର ସତ୍ୟାସତ୍ୟ ଜାଣିବା ଏବଂ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ସୋମବାର ମେଧା ପାଟେକରଙ୍କ ନେତୃତ୍ବରେ ପ୍ରଫେସର ମନୋରଞ୍ଜନ ମହାନ୍ତି, ଲିଙ୍ଗରାଜ ପ୍ରଧାନ, ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ପାଟଣା ରାସ୍ତା ଦେଇ ଢ଼ିଙ୍କିଆ ଗାଆଁକୁ ପ୍ରବେଶ କରୁଥିବାବେଳେ ମୁଖ୍ୟ ପ୍ରବେଶପଥ ନିକଟରେ ଗ୍ରାମ ସୁରକ୍ଷା କମିଟି ମୁଖ୍ୟ ଉପଦେଷ୍ଟା ନିର୍ଭୟ ସାମନ୍ତରାୟ, ସଭାପତି ନୃସିଂହ ରାଉତ,ଅକ୍ଷୟ ବେହେରା, ନିତ୍ୟାନନ୍ଦ ପ୍ରଧାନ, ଶିଶିର ମହାପାତ୍ର ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ଲୋକ ସେମାନଙ୍କୁ ବିରୋଧ କରିଥିଲେ। କିଛି ଲୋକ ରାସ୍ତାରେ ବସି ସେମାନଙ୍କ ପଥ ଅବରୋଧ କରିଥିଲେ। ଗାଁକୁ ଯିବାକୁ ବିରୋଧ କରିବାର କାରଣ କ’ଣ ବୋଲି ମେଧା ପଚାରିବାରୁ ଉପସ୍ଥିତ ଲୋକେ କହିଥିଲେ ଯେ, କିଛି ବାହାର ଲୋକ ଗାଁକୁ ଆସି ଭାଇଚାରା କ୍ଷୁଣ୍ଣ କରୁଛନ୍ତି। ଏଠି ସବୁ ଠିକଠାକ୍ ଚାଲିଛି। ଜିନ୍ଦଲ ପ୍ରକଳ୍ପ ପାଇଁ ଆମ୍ଭେମାନେ ପାନବରଜ ଭାଙ୍ଗି କ୍ଷତିପୂରଣ ପାଇଛୁ। ପାନବରଜ ଭଙ୍ଗିବା ପରେ ଆମେ ଜୀବିକା ହରାଇସାରିଛୁ। ନୂତନ ଜୀବିକା ପାଇଁ ଏଠାରେ ଜିନ୍ଦଲ ପ୍ରକଳ୍ପ ପ୍ରତିଷ୍ଠାର ଆବଶ୍ୟକତା ଜରୁରୀ। ମେଧା କରିଥିଲେ, ସେ ଏଠାକୁ ଭାଇଚାରା ନଷ୍ଟ କରିବାକୁ ଆସିନାହାନ୍ତି। ଜେଲରେ ଥିବା ଦେବେନ୍ଦ୍ର ସ୍ବାଇଁଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଆସିଛନ୍ତି। ଯଦି ସବୁ ଠିକଠାକ୍ ଅଛି, ତାଙ୍କର କିଛି କହିବାର ନାହିଁ। ମୁଁ ଆପଣମାନଙ୍କ କଥାରେ ଏକମତ ବୋଲି କହି ସେ ଫେରି ଯାଇଥିଲେ। ଢ଼ିଙ୍କିଆ ଆସିବା ପୂର୍ବରୁ ମେଧା ୫ମାସ ଧରି କୁଜଙ୍ଗ ଜେଲରେ ଥିବା ଜିନ୍ଦଲ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କୁ ଭେଟିଥିଲେ।

kalyan agarbati

Comments are closed.