www.samajalive.in
Monday, December 8, 2025
14.1 C
Bhubaneswar

ସମଗ୍ର ଦେଶ ଏବେ ସଂପୂର୍ଣ୍ଣ ସ୍ୱଚ୍ଛତା ଆଡକୁ ଗତି କରୁଛି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ମହାନଗର ନିଗମର ସଫେଇ କର୍ମଚାରୀ ମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସେମାନଙ୍କୁ ସମ୍ମାନିତ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜୟନ୍ତୀ ଏବଂ ସ୍ବଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓୟୁଏଟିର ସ୍ବାମୀନାଥନ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସଫେଇ କର୍ମଚାରୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛ ସାଥୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଆମ ପରିବେଶକୁ ସ୍ବଚ୍ଛ ରଖିବା ସହିତ ଆମକୁ ସୁସ୍ଥ ମଧ୍ୟ କରି ରଖୁଛନ୍ତି। “ଆପଣମାନଙ୍କୁ ବାରମ୍ବାର, ଅନେକବାର ଧନ୍ୟବାଦ।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସହର ଓ ସମାଜ ପାଇଁ ସଫେଇକର୍ମୀ ଭାଇ ଭଉଣୀମାନଙ୍କର ମହତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ସହିତ ସେମାନଙ୍କର ମାନବିକ ମୂଲ୍ୟବୋଧକୁ ସମ୍ମାନ ଜଣାଉଛି। ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ବୃକ୍ଷର ମହତ୍ବପୂର୍ଣ୍ଣ ଭୂମିକା ବିଷୟରେ ସମସ୍ତେ ଜାଣନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସାରା ଦେଶରେ ‘ଏକ୍ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଓଡିଶାରେ ଏହି ଅଭିଯାନରେ ୫କୋଟି ଗଛ ଲଗେଇବାର ଲକ୍ଷ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪କୋଟି ୪୦ ଲକ୍ଷ ଗଛ ଲଗାଯାଇ ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

- Advertisement -

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ୨୦୧୪ ମସିହା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନ ୨୦୨୪ରେ ୧୦ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହା ସହିତ, ଏହି ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ୨୦୧୬ରୁ ଆରମ୍ଭ ହୋଇଛି। ଆଜିକୁ ୮ ବର୍ଷ ହେଲାଣି ଏହି ସ୍ୱଚ୍ଛତା ପକ୍ଷ ସମଗ୍ର ଦେଶ ବ୍ୟାପୀ ପାଳନ କରାଯାଉଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୧୭ରୁ ଆରମ୍ଭ ହେଉଥିବା ଏହି ସ୍ୱଚ୍ଛତା ପକ୍ଷ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ୨ରେ ଉଦଯାପିତ ହେଉଛି।

ସେ କହିଲେ ଯେ ସଫେଇ କର୍ମଚାରୀ ମାନେ ସହର ବାସୀଙ୍କ ନିଦ ଭାଙ୍ଗିବା ପୂର୍ବରୁ ସହରର ରାସ୍ତ, ଗଳିକନ୍ଦି ସଫା କରିଥାନ୍ତି। ସେମାନଙ୍କ ଗାଡିରେ ବାଜୁଥିବା ଗୀତ ସହରବାସୀଙ୍କ ନିଦ ଭାଙ୍ଗିଥାଏ। ସହରର ସ୍ବଚ୍ଛତା ପ୍ରତି ସେମାନଙ୍କ ଅବଦାନର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ବଚ୍ଛତା ଅଭିଯାନ ଦ୍ୱାରା କେବଳ ଭୁବନେଶ୍ୱର ବା ଓଡିଶା ନୁହେଁ, ସମଗ୍ର ଦେଶ ଏବେ ସଂପୂର୍ଣ୍ଣ ସ୍ୱଚ୍ଛତା ଆଡକୁ ଗତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ଆଜି ଯଦି ଭୁବନେଶ୍ୱର ମହାନଗର ନିଗମ ସମଗ୍ର ଦେଶରେ ସ୍ୱଚ୍ଛତା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି, ତାହା କେବଳ ସମ୍ଭବ ହୋଇଛି ମୋର ଏହି ସଫେଇ କର୍ମଚାରୀ ଭାଇଭଉଣୀମାନଙ୍କ ପାଇଁ।

ବର୍ଜ୍ୟ ବସ୍ତୁର ଉପଯୁକ୍ତ ଉପଚାର ବାବଦରେ ଲୋକଙ୍କୁ ସଚେତନ କରୁଛନ୍ତି। ସଫେଇ କର୍ମଚରୀ ମାନଙ୍କର ଅକ୍ଲାନ୍ତ ଓ ଦିନ ରାତି କଠୋର ପରିଶ୍ରମ ଯୋଗୁଁଁ ଆମେ ସହରୀ ଜୀବନ ଉପଭୋଗ କରିପାରୁଛୁ। ସଫେଇ କର୍ମୀମାନେ ହେଉଛନ୍ତି ପ୍ରକୃତରେ ଏ ସହରର ଜାଗ୍ରତ ପ୍ରହରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସଫେଇ ଅଭିଯାନରେ ସମସ୍ତେ ଯୋଡିହେବା ପାଇଁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ନିଜର ଭାଗିଦାରୀ ସ୍ୱରୂପ ପ୍ରତ୍ୟେକ ନାଗରିକ ଏଥିପାଇଁ ସଚେତନ ହୁଅନ୍ତୁ। ପ୍ରତ୍ୟେକ ନାଗରିକ ନିଜ ଘର, ବ୍ୟବସାୟୀକ ପ୍ରତିଷ୍ଠାନ, ଅନୁଷ୍ଠାନ ଆଦିର ଚତୁଃପାର୍ଶ୍ୱକୁ ଅତି କମରେ ୫ ମିଟର ପର୍ଯ୍ୟନ୍ତ ସଫା ରଖିବା ଦରକାର। ଆମେ ନିଜେ ନିଜର ପରିବେଶକୁ ସ୍ୱଚ୍ଛ ରଖିବା ସହ ସୁସ୍ଥ ରହିବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଭୁବନେଶ୍ବରରେ ସଫେଇ ଅଭିଯାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା ରକ୍ଷାରେ ନାଗରିକମାନଙ୍କର ଅଂଶଗ୍ରହଣକୁ ନିଶ୍ଚିତ କରିବାର ମାଧ୍ୟମ ହେଉଛି ଏହି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ୧୪୦ଟି ‘କ୍ଲିନ୍‌ଲିନେସ୍ ଟାର୍ଗେଟ ୟୁନିଟ୍’ ନିଆଯାଇଛି ବୋଲି ସେ କହିଥିଲେ। ବର୍ଜ୍ୟବସ୍ତୁ ପୂର୍ଣ୍ଣ ସ୍ଥାନଗୁଡିକ ଲୋକଙ୍କ ସହଯୋଗରେ ପରିଷ୍କାର କରାଯାଇ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥି ମଧ୍ୟରୁ ପ୍ରାୟ ୨୦ଟି ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯାଇଛି ଏବଂ ସେଠାରେ ତୁଳସୀ, ବେଲ ଆଦି ବୃକ୍ଷ ରୋପଣ କରାଯାଉଛି। ସ୍ଥାନୀୟ ଆବାସିକ ସଂଗଠନ, ବ୍ୟବସାୟୀ ସଂଗଠନ ଏବଂ ଯୁବ ଗୋଷ୍ଠୀଙ୍କୁ ନେଇ ଏହା କରାଯାଉଛି। ଯେତେବେଳେ ସ୍ୱଚ୍ଛତାରେ ସମସ୍ତଙ୍କର ଭାଗୀଦାରୀ ବଢିବ, ସେତେବେଳେ ସଂପୂର୍ଣ୍ଣ ସ୍ୱଚ୍ଛତା ସମ୍ଭବ ହେବ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦୀର୍ଘ ୧୫ ଦିନ ହେଲାଣି ଗଣ ସଫେଇ ଜାରି ରହିଛି। ୩ଟି ଜୋନର ୧୬ଟି ସ୍ଥାନରେ ଗଣ ସଫେଇ ହୋଇଛି। ଏହି ଗଣ ସଫେଇରେ ହାରାହାରି ୬୦ ମେଟ୍ରିକ ଟନରୁ ଅଧିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଛି। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।

ପୁରାଣ ଶାସ୍ତ୍ରର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀପୁରାଣଠାରୁ ଆରମ୍ଭ କରି ଆଜି ବିଜ୍ଞାନ ପର୍ଯ୍ୟନ୍ତ ସମାଜର ସବୁ କ୍ଷେତ୍ରରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ସମସ୍ତେ ଯେଉଁଦିନ ଉତ୍ତରଦାୟୀ ହୋଇ, ନିଜ ଘର ଓ ତାର ଚତୁଃପାର୍ଶ୍ୱ ସଫା ରଖିବାକୁ ପ୍ରତିବଦ୍ଧ ହେବେ, ସେତେବେଳେ ସ୍ୱଚ୍ଛତା ଆପେ ଆପେ ଆସିଯିବ। ଆମକୁ ଆଉ କାହାରିକୁ ସଚେତନ କରିବାକୁ ପଡ଼ିବ ନାହିଁ କି ଏ ମିଟିଂର ଆବଶ୍ୟକତା ପଡ଼ିବ ନାହିଁ।

ସ୍ବଚ୍ଛ ଭାରତ ଅଭିଯାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଦରବାରରେ ଭାରତକୁ ଏକ ସ୍ୱଚ୍ଛ, ସୁନ୍ଦର ଓ ସମୃଦ୍ଧ ରାଷ୍ଟ୍ର ଭାବେ ଗଢିତୋଳିବାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ। ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବା ସହ ବିଶ୍ୱସ୍ତରରେ ଏହାକୁ ଏକ ନମ୍ବର କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ମହାନଗର ନିଗମର ୫ଜଣ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ସେମାନେ ହେଲେ ସୁକାନ୍ତି ସିଂହ, ଜାନକୀ ବେହେରା, ଅଭିମନ୍ୟୁ ଗୋଛାୟତ, ରମା ନାୟକ ଓ ଶରତ ନାୟକ।

କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ କହିଲ ଯେ ମହାତ୍ମା ଗାନ୍ଧି ନିଜର ବିଚାରଧାରା ଯୋଗୁଁଁ ସାରା ବିଶ୍ବ ପାଇଁ ଆଗର୍ଶ ସୃଷ୍ଟି କରିଛନ୍ତି। ସ୍ବାଧୀନ ଭାରତରେ ମାନସିକ ପରିଶ୍ରମକୁ ଗୁରୁତ୍ବ ଦିଆଯାଇଥିଲେ ମଧ୍ୟ ଶାରୀରିକ ପରିଶ୍ରମକୁ ଗୁରୁତ୍ବ ଦିଆଯାଇ ନାହିଁ ବୋଲି ସେ କହିଥିଲେ। ସେଥିପାଇଁ ସଫେଇ କର୍ମଚାରୀ ହୁଅନ୍ତୁ ବା ନିର୍ମାଣ ଶ୍ରମିକ, ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବାର ଏ ହେଉଛି ଏକ ମହାନ୍ କାର୍ଯ୍ୟକ୍ରମ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିବା ପରଠାରୁ ବର୍ତ୍ତମାନ ସୁଦ୍ଧା ଦେଶର ୫.୫୦ ଲକ୍ଷ ଗାଁ ବାହ୍ୟମଳ ମୁକ୍ତ ଗ୍ରାମରେ ପରିଣତ ହୋଇ ସାରିଛି। ସେ କହିଥିଲେ ଯେ ସ୍ବଚ୍ଛତା କେବଳ ସରକାରଙ୍କ କାମ ନୁହେଁ, ଏଥିରେ ସବୁ ଜନସାଧାରଣଙ୍କ ଭାଗିଦାରୀ ରହିବା ଆବଶ୍ୟକ।

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ ଯେ ଭୁବନେଶ୍ବରର ସ୍ବଚ୍ଛତା ରକ୍ଷା କରି ଯେଉଁ ସଫେଇ କର୍ମଚାରୀ ଭାଇ ଭଉଣୀମାନେ ରାଜ୍ୟର ରାଜଧାନୀ ଭାବରେ ସହରର ମର୍ଯ୍ୟାଦା ରକ୍ଷା କରିଛନ୍ତି, ସେମାନଙ୍କୁ ସମ୍ମାନିତ କରିବାର ଏହା ଏକ ଭାବପ୍ରବଣ ମୂହୁର୍ତ୍ତ। ସେ କହିଲେ ଯେ ଗାନ୍ଧିଜୀଙ୍କ ଆନ୍ଦୋଳନର ୪ଟି ମୁଖ୍ୟସ୍ତମ୍ଭ ଥିଲା। ତାହା ହେଲା ସର୍ବୋଦେୟ, ଗ୍ରାମ ସ୍ବରାଜ୍ୟ, ସ୍ବଦେଶୀ ଓ ସ୍ବଚ୍ଛତା। ଏଥି ମଧ୍ୟରୁ ସେ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବାରୋପ କରୁଥିଲେ। ଗାନ୍ଧିଜୀ କହିଥିଲେ ଯେ ‘ସ୍ବାଧୀନତା ଅପେକ୍ଷା ସ୍ବଚ୍ଛତା ମୋ ପାଇଁ ପ୍ରଥମ ଆବଶ୍ୟକତା’। ସ୍ବଚ୍ଛତା ଅଭିଯାନରେ ସାମିଲ ସବୁ ସଫେଇ କର୍ମଚାରୀଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।

ଏକାମ୍ର ବିଧାୟକ ବାବୁ ସିଂହ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହେବାର ୧୦ ବର୍ଷ ପରେ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। ଗାନ୍ଧିଜୀଙ୍କ ରାମ ରାଜ୍ୟ ଗଠନର ସ୍ବପ୍ନକୁ ମୋଦୀଜୀ ପୂରଣ କରୁଛନ୍ତି ବୋଲି ସେ କହିଥିଲେ।

ଭୁବନେଶ୍ବର ମହାନଗର ନିଗମର ମୟର ଶ୍ରୀମତୀ ସୁଲୋଚନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ନିଗମର କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories