ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପୁରୁଷ ଓ ମହିଳା ହକି ପାଇଁ ଅନ୍ଲାଇନ୍ ଟିକଟ ବିକ୍ରି ଆରମ୍ଭ
ଗୋଟିଏ ଟିକଟରେ ଦେଖିପାରିବେ ୨ଟି ମ୍ୟାଚ୍
ଭୁବନେଶ୍ବର: କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୧ ଓ ୨ରେ ଭାରତ ପୁରୁଷ ଓ ମହିଳା ହକି ଦଳର ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ପୁରୁଷ ଦଳ ରୁଷିଆ ବିପକ୍ଷରେ ଓ ମହିଳା ଦଳ ଆମେରିକା ବିପକ୍ଷରେ ମ୍ୟାଚ ଖେଳିବେ। ଉଭୟ ପୁରୁଷ ଓ ମହିଳା ଦଳ ସେମାନଙ୍କ ବିପକ୍ଷ ଦଳ ସହ କ୍ରମାଗତ ୨ ଦିନରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବେ। ସର୍ବାଧିକ ପଏଣ୍ଟ ହାସଲ କରିବା ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବ। ପ୍ରଥମ ମ୍ୟାଚ ମହିଳା ବିଭାଗର ସନ୍ଧ୍ୟା ୬ଟାରୁ ଏବଂ ୨ୟ ମ୍ୟାଚ ରାତି ୮ଟାରେ ପୁରୁଷ ବିଭାଗର ଖେଳାଯିବ।
୨ ଦିନରେ ମୋଟ ୪ଟି ମ୍ୟାଚ୍ ଲାଗି ଅନ୍ଲାଇନ୍ ଟିକଟ ବିକ୍ରି ବୁଧବାରଠାରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପକ୍ଷରୁ ଆରମ୍ଭ ହୋଇଛି। ଆଗ୍ରହୀ ଦର୍ଶକ ୱେବ୍ସାଇଟ୍ https://in.ticketgenie.in/Tickets/FIH-Hockey-Olympic-Qualifiers-Odisha ଜରିଆରେ ଟିକଟ ବୁକିଂ କରିପାରିବେ। ସାଧାରଣ ଦର୍ଶକଙ୍କ ଲାଗି ସାଉଥ୍ ଓ ନର୍ଥ ଷ୍ଟାଣ୍ଡର ଟିକଟ ମୂଲ୍ୟ ୨୦୦ ଟଙ୍କା ରହିଥିବା ବେଳେ ଇଷ୍ଟ ଷ୍ଟାଣ୍ଡର ଟିକଟ ମୂଲ୍ୟ ୩୦୦ ଟଙ୍କା ରହିଛି। ଗୋଟିଏ ଟିକଟରେ ଦର୍ଶକ ସେହିଦିନ ଖେଳାଯିବାକୁ ଥିବା ୨ଟିଯାକ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ବୁଧବାର ଅନ୍ଲାଇନ୍ ଟିକଟ ବିକ୍ରିର ଶୁଭାରମ୍ଭ କରିବା ସହ କହିଥିଲେ, ଭୁବନେଶ୍ବରରେ ଭାରତୀୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ। ଉକ୍ତ ପ୍ରତିଯୋଗିତା ଭାରତୀୟ ପୁରୁଷ ଓ ମହିଳା ହକି ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ନେଇ ଆମ ନିକଟରେ ବଡ଼ ସୁଯୋଗ ରହିଛି। ଓଡ଼ିଶାରେ ହକିକୁ ସଦାସର୍ବଦା ସମର୍ଥନ ମିଳିଆସୁଛି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭଲ ସମର୍ଥନ ମିଳିବା ନେଇ ହକି ଇଣ୍ଡିଆ ଦୃଢ ଆଶାବାଦୀ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡ଼ିୟମରେ ଗତ ଜୁନ୍ ୫ରୁ ୧୫ ପର୍ଯ୍ୟନ୍ତ ଖେଳା ଯାଇଥିବା ଏଫ୍ଆଇଏଚ୍ ହକି ସିରିଜ୍ ଫାଇନାଲସ୍ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ଭାରତ ଚମ୍ପିଆନ ହେବା ସହ ଘରୋଇ ପଡ଼ିଆରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛି। ଭାରତୀୟ ମହିଳା ଦଳ ଏଫ୍ଆଇଏଚ୍ ହକି ସିରିଜ୍ ଫାଇନାଲସ୍ରେ ଜାପାନକୁ ପରାସ୍ତ କରି ଚମ୍ପିଆନ ହୋଇ ଘରୋଇ ଗ୍ରାଉଣ୍ଡରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଏଫ୍ଆଇଏଚ୍ ପୁରୁଷ ଦଳଗତ ମାନ୍ୟତାରେ ଭାରତ ୫ମ ସ୍ଥାନରେ ଥିବା ବେଳେ ରୁଷିଆ ୨୨ତମ ସ୍ଥାନରେ ରହିଛି। ଭାରତୀୟ ମହିଳା ଦଳ ଏଫ୍ଆଇଏଚ୍ ମାନ୍ୟତାରେ ୯ମ ସ୍ଥାନରେ ଥିବାବେଳେ ଆମେରିକା ୧୩ଶ ସ୍ଥାନରେ ରହିଛି।