ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଦର ଦୈନିକ ବଢୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟବୃଦ୍ଧିର ଏହା ପ୍ରଭାବ ବୋଲି କୁହାଯାଉଛି। ମାତ୍ର ୧୪ଦିନରେ ୧୨ଥର ଦର ବୃଦ୍ଧି ହୋଇ ୯ ଟଙ୍କାରୁ ଅଧିକ ବଢିଲାଣି। ବିଶେଷ କରି ଡିଜେଲ ଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢୁଛି। ଏହା ସିଧାସଳଖ ଖାଉଟି ସାମଗ୍ରୀକୁ ପ୍ରଭାବିତ କରୁଛି। ପରିବହନ ଖର୍ଚ୍ଚ ଏଥିଯୋଗୁଁ ଏବେ କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଛି। ଏହା ଦରଦାମକୁ ପ୍ରକାରାନ୍ତରେ ଆକାଶଛୁଆଁ କରିଛି। କେବେ ଖାଇବା ତେଲ, ଡାଲି, ଚିନି, ତେଜରାତି ସାମଗ୍ରୀ ନୁହେଁ; ଆଳୁଠାରୁ ପନିପରିବା ପର୍ଯ୍ୟନ୍ତ ସବୁକିଛି ବଢିଲାଣି। ଅଟା, ଚିନି ଏବଂ ଡାଲି ଆଦି ଖାଦ୍ୟ ସାମଗ୍ରୀ କ୍ବିଣ୍ଟା ପ୍ରତି ଦର ୨୫୦ ଟଙ୍କା ବଢିଲାଣି। ଏବେ ଅମଳ ସମୟ। ଏହି ସମୟରେ ସବୁଜ ପନିପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ଦରଦାମ କମିଥାଏ। ହେଲେ ପେଟ୍ରୋଲରେ ୯ ଟଙ୍କା ଓ ଡିଜେଲରେ ୮ ଟଙ୍କା ୫୦ ପଇସା ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ କମିବା ବଦଳରେ ବଢୁଛି। ଏହା ଗ୍ରାହକଙ୍କ ଚିନ୍ତା ବଢାଇଛି। ସିଧା ହାଣ୍ଡିଶାଳ ବଜେଟ୍କୁ ପ୍ରଭାବିତ କରିଛି। ଗୋଟିଏ ପଟେ କରୋନା ମହାମାରୀରୁ ଲୋକେ ଏବେ ଧୀରେ ଧୀରେ ସ୍ବାଭାବିକ ସ୍ଥିତିକୁ ଫେରିବାକୁ ପ୍ରୟାସ କରୁଥିବାବେଳେ ଦରଦାମ ବୃଦ୍ଧି ଆର୍ଥିକ ପରିସ୍ଥିତିକୁ ଆହୁରି ବିଗାଡି ଦେଉଛି।
ଆଳୁ କିଲୋ ୨୫ ଟଙ୍କା ଓ ୩ କିଲୋକୁ ରିଆତି ପାଇ ଗ୍ରାହକ ଏବେ ୭୦ ଟଙ୍କାରେ କିଣୁଛନ୍ତି। ଗତ କିଛି ଦିନ ତଳେ ଆଳୁ କିଲୋ ୨୦ ଟଙ୍କା ଥିଲା। ଆଳୁ କିଲୋଗ୍ରାମ ପିଛା ପରିବହନ ଖର୍ଚ୍ଚ ୧ ଟଙ୍କାଏ ପଡୁଥିଲା। ବର୍ତ୍ତମାନ ୩ ଟଙ୍କା ପଡୁଛି। ବେପାରୀଙ୍କ କହିବାନୁଯାୟୀ, ଜାନୁଆରୀରୁ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଆଳୁ ଅମଳ ହୋଇଥାଏ। ପଶ୍ଚିମବଙ୍ଗ ଆଳୁ ଉପରେ କମ୍ ଉପଭୋକ୍ତା ନିର୍ଭର କରନ୍ତି। ସ୍ବାଭାବିକ ଭାବେ ଆଳୁ ଦର କମିଥାଏ। ହେଲେ ଡିଜେଲ ବଢିବା ଯୋଗୁଁ ଦର କମୁନାହିଁ। ଖାଉଟି ଯେଉଁ ସାମଗ୍ରୀ ୫ରୁ ୭ ଟଙ୍କା କମ ଦାମରେ ପାଇବା କଥା; ସେହି ସାମଗ୍ରୀକୁ ଚଢା ଦରରେ କ୍ରୟ କରୁଛନ୍ତି। ବାଇଗଣ କିଲୋ ୪୦ରୁ ୫୦ ଟଙ୍କା ରହିଛି। ଏବେ ଅମଳ ସମୟ ଥିବାରୁ ବାଇଗଣ କିଲୋ ୧୫ ଟଙ୍କାରେ ବିକ୍ରୟ ହେବା କଥା, ହେଲେ ପରିବହନ ଖର୍ଚ୍ଚ ଯୋଗୁଁ ଦର ଉଚ୍ଚା ରହୁଛି। ଦେଶୀ ପୋଟଳ କିଲୋ ୮୦ରୁ ୯୦ ଟଙ୍କା। ପଶ୍ଚିମ ଓଡ଼ିଶାର ପ୍ରାୟ ଜିଲାରେ ଟମାଟୋ ଅମଳ ଅଧିକ ହେଉଛି। ଚାଷୀଙ୍କ ପାଖରୁ ବ୍ୟବସାୟୀ ନ କିଣିବା ଦ୍ବାରା ଚାଷୀ ରାସ୍ତା ଉପରେ ଢାଳି ଦିଅନ୍ତି। ରାଜ୍ୟରୁ ବିଲାତି ଅମଳ କମିବା ଏବଂ ପଶ୍ଚିମବଙ୍ଗରୁ ବିଲାତି ଆମଦାନୀ କରିବା ଦ୍ବାରା ଦର ଅଧିକ ରହୁଛି। ପରିବହନ ଖର୍ଚ୍ଚ କିଲୋଗ୍ରାମ ପିଛା ୭ଟଙ୍କା ଅଧିକ ରହିବାରୁ ଦର ୩୦ ଟଙ୍କା ଛୁଇଁଛି।
ବଜାରରେ ଗହମ ଜାତୀୟ ଦ୍ରବ୍ୟ ମୂଲ୍ୟ ବୃଦ୍ଧି ପାଇଛି। ପୂର୍ବରୁ ଅଟା କ୍ବିଣ୍ଟାଲ ୨୩ ଶହ ଟଙ୍କା ଥିଲାବେଳେ ଏବେ ଏହା ଉପରେ ଅତିରିକ୍ତ ୩ଶହ ଟଙ୍କା ପରିବହନ ଖର୍ଚ୍ଚ ବଢ଼ି ୨୬ଶହ ଟଙ୍କାରେ ବିକ୍ରି ହେଉଛି। ଚିନିରେ ୨୦୦ ଟଙ୍କା ଦର ବୃଦ୍ଧି ପାଇ କ୍ବିଣ୍ଟାଲ ପ୍ରତି ୨ହଜାର ଟଙ୍କାରେ ପହଞ୍ଚିଛି। ସୁଜି କ୍ବିଣ୍ଟାଲ ୨୬ଶହ ଟଙ୍କା ଥିବାବେଳେ ଏବେ ୨୮ଶହ ଟଙ୍କା ହୋଇଛି। କିନ୍ତୁ ତେଲ ଦାମ ସାମାନ୍ୟ ହ୍ରାସ ପାଇଛି। ସୋରିଷତେଲ ଲିଟର ଉପରେ ୭ ଟଙ୍କା, ପାମୋଲିନ ଉପରେ ୫ ଟଙ୍କା ହ୍ରାସ ପାଇଛି।
ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଯୋଗୁଁ ଅଧିକାଂଶ ସାମଗ୍ରୀର ପରିବହନ ଖର୍ଚ୍ଚ କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଛି। ଅମଳ ସମୟରେ ଦର କମିବା ପରିବେର୍ତ୍ତ ପରିବହନ ଖର୍ଚ୍ଚ ଯୋଗୁଁ ଦର ସ୍ଥିର ରହୁଛି। ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣକୁ ନ ଆସିଲେ ଆଗାମୀ ତିନି ମାସ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଦର ବୃଦ୍ଧି ପାଇବ।



