ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ୧୨ଲକ୍ଷ ୪୫ହଜାର ଚାଷୀ ପଞ୍ଜୀକୃତ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ପ୍ରାୟ ୧୨ ଲକ୍ଷ ୪୫ ହଜାର କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀ ଉପକୃତ ହେବେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି। ଏହି ଯୋଜନାରେ ଫେବୃଆରୀ ୨୦ ସୁଦ୍ଧା ସାରା ଦେଶରୁ ୨ କୋଟି କୃଷକ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ବିଜେପି ଶାସିତ ରାଜ୍ୟ ଗୁଡିକରେ ଅଧିକ ଚାଷୀ ପଞ୍ଜୀକରଣ କରିଥିବା ବେଳେ କଂଗ୍ରେସ ଶାସିତ ରାଜ୍ୟ ଗୁଡିକରେ ପଞ୍ଜୀକରଣ ହାର ଅତ୍ୟନ୍ତ କାମ ରହିଥିବା ଜଣାପଡିଛି। ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ପୂର୍ବରୁ ଚାଷୀମାନଙ୍କୁ ସହାୟତା ପାଇଁ ରାଜେୟଭିତ୍ତିକ ନିଜସ୍ୱ ଯୋଜନା ଲାଗୁ ହୋଇ ସାରିଥିବାରୁ ସେହି ସବୁ ରାଜ୍ୟର ଚାଷୀ ଅଧିକ ଲାଭବାନ ହେବେ। ଏହି ଯୋଜନାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୭୧ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଗୁଜୁରାଟରୁ ୩୦ ଲକ୍ଷ, ମହାରାଷ୍ଟ୍ରରୁ ୨୯ ଲକ୍ଷ, ତାମିଲନାଡ଼ୁରୁ ୨୦ ଲକ୍ଷ, ଆନ୍ଧ୍ର ପ୍ରଦେଶରୁ ୨୨ ଲକ୍ଷ ଏବଂ ତେଲେଙ୍ଗାନାରୁ ୧୫ ଲକ୍ଷ ୩୦ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ତାଲିକାରେ ଛତିଶଗଡ଼ରୁ ସର୍ବନିମ୍ନ ୮୩ ଜଣ ଚାଷୀ ପଞ୍ଜିକରଣ କରିଥିବା ଜଣାପଡିଛି। ଏହି ଯୋଜନାର ଶୁଭାରମ୍ଭ ଅବସରରେ ଫେବୃଆରୀ ୨୪ ରବିବାର ଦିନ ୧୪ଟି ରାଜ୍ୟର ପ୍ରାୟ ୧ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି ସହାୟତା ରାଶି ପଠାଯିବ। ଦିନେ ଦୁଇ ଦିନ ଭିତରେ ଆଉ ୧ କୋଟି ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଯିବ।