ବିକିଶିତ ଭାରତ ଗଠନରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ-ମୁଖ୍ୟମନ୍ତ୍ରୀ

ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ୪୬ତମ ସ୍ଥାପନା ଦିବସ ପାଳିତ

ଭୁବନେଶ୍ୱର: ରାଷ୍ଟ୍ରବାଦୀ ବିଚାରକୁ ଆଧାର କରି ୧୯୮୦ ମସିହାରେ ଗଠନ ହୋଇଥିବା ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ୪୬ ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଆଜି ଓଡ଼ିଶାରେ ଡବଲ ଇଞ୍ଜନି ସରକାର କାର୍ଯ୍ୟ କରୁଛି । ଆମର ଲକ୍ଷ୍ୟ ହେଉଛି ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୨୦୪୭ରେ ବିକିଶିତ ଭାରତ ଗଠନ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ । ସେଥିପାଇଁ ଓଡ଼ିଶା ପ୍ରଦେଶର ବିଜେପି ସରକାର ନିରନ୍ତର ଭାବେ କାର୍ଯ୍ୟ କରିଚାଲିଛି। ଆଜି ବିଜେପି ସରକାର ଚାଷୀ, ଶ୍ରମିକ, ମହିଳା, ଯୁବକ, ଗରିବ, ପଛୁଆବର୍ଗର ଲୋକଙ୍କ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

୪୬ ବର୍ଷର ସଂଘର୍ଷ ଯାତ୍ରା ପରେ ଆଜି ଭାରତୀୟ ଜନତା ପାର୍ଟିର୍ ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି । ୨୧ଟି ରାଜ୍ୟରେ ବିଜେପି ଏବେ ଶାସନ କ୍ଷମତାରେ ରହିଛି। କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜୁରାଟର କଚ୍ଛଠାରୁ ଆରମ୍ଭ କରି ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ଏହି ଦଳ ପରିବ୍ୟାପ୍ତ ହୋଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଭାରତୀୟ ଜନତା ପାର୍ଟି ସବୁବେଳେ ସମାଜର ଶେଷ ପାହାଚରେ ରହିଥିବା ବ୍ୟକ୍ତିର ବିକାଶ ପାଇଁ ଗୁରୁତ୍ୱ ଦେଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ଉଦ୍ୟମ ଫଳରେ ଭାରତବର୍ଷ ଆଜି ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଭାବେ ଗଢି ଉଠିବା ପାଇଁ ଅଟଳ ସଂକଳ୍ପବଦ୍ଧ ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜସଭା ସଦସ୍ୟ ସୁଜିତ୍ କୁମାର, ସାଂସଦ ବଳଭଦ୍ର ମାଝୀ, ଭୁବନେଶ୍ୱର ଜିଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଦଳୀୟ ପତାକା ଉତ୍ତୋଳନ କରିବା ସହ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ବରିଷ୍ଠ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Comments are closed.