ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ୨୮ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏ ନିଷ୍ପତ୍ତିକୁ ବିଭିନ୍ନ ସଂଘ, ସଙ୍ଗଠନ, ଅଭିଭାବକ ସଂଘ ଏବଂ ଶିକ୍ଷକ ସ୍ବାଗତ କରିଛନ୍ତି। ମାତ୍ର ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷା ବିଭାଗ ବିଦ୍ୟାଳୟ ବାତାବରଣକୁ ଯେପରି ଭୟମୁକ୍ତ କରିବା କଥା ସେ ଦିଗରେ ଆବଶ୍ୟକ ଦୃଷ୍ଟି ଦିଆଯାଇ ନ ଥିବା ସଂଘ ପକ୍ଷରୁ କୁହାଯାଇଛି।
ଶିକ୍ଷକ ସଂଘ ଅଭିଯୋଗ କରିଛି ଯେ ପିଲାଙ୍କୁ ପାଠ ପଢାଇବାକୁ ଯେଉଁ ଶିକ୍ଷକ ବିଦ୍ୟାଳୟକୁ ଯିବେ ସେମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇନାହିଁ। ଏହାଛଡ଼ା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ତୁଣ୍ଡି କିମ୍ବା ବିଶୋଧନ ବ୍ୟବସ୍ଥା ପର୍ଯ୍ୟାପ୍ତ ଭାବେ ହାତକୁ ନିଆଯାଇନାହିଁ। ପୃଥକ୍ ପ୍ରକୋଷ୍ଠ କିମ୍ବା ଶାରୀରିକ ଦୂରତା ରକ୍ଷା କରି ଶିକ୍ଷାଦାନ ବ୍ୟବସ୍ଥା ଅଧିକାଂଶ ବିଦ୍ୟାଳୟରେ ହୋଇନାହିଁ। କେତେକ ବିଦ୍ୟାଳୟରେ ପୃଥକ ଶୌଚାଳୟ, ପାନୀୟ ଜଳ ଏବଂ ହାତଧୁଆ ବ୍ୟବସ୍ଥା ଅଛି କି ନା ତା’ର ତନଖି ହୋଇନାହିଁ। ଏ ସମ୍ପର୍କରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଙ୍ଗଠନର ସାଧାରଣ ସମ୍ପାଦକ କମଳାକାନ୍ତ ତ୍ରିପାଠୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।
ବିଶେଷ କରି କରୋନା କାଳରେ ଗତ ୨ବର୍ଷର ଶିକ୍ଷା କ୍ଷେତ୍ରରେ ଯେଉଁ ଅଧୋଗତି ଦେଖାଦେଇଛି ତାହା ଭରଣା କରିବା ପାଇଁ ଶିକ୍ଷକମାନଙ୍କୁ ପାଠପଢା ଛଡ଼ା ଅନ୍ୟ କାର୍ଯ୍ୟରେ ନିୟୋଜିତ ନ କରିବାକୁ ସଂଘ ଦାବି କରିଛି। ଏହାବ୍ୟତୀତ ପିଲାଙ୍କ ଦକ୍ଷତା ଅନୁସାରେ ଶ୍ରେଣୀ ନିଶ୍ଚିତ କରିବାକୁ ଶିକ୍ଷକଙ୍କୁ ସୁଯୋଗ ଦେବା, ପିଲାମାନଙ୍କୁ ପୁଷ୍ଟିକର ରନ୍ଧା ଖାଦ୍ୟ ଯୋଗାଣ, ବଜେଟରେ ବିଦ୍ୟାଳୟ ଶିକ୍ଷା ପାଇଁ ପାଣ୍ଠି ବୃଦ୍ଧି, ଛାତ୍ର ଶିକ୍ଷକ ଅନୁପାତ ଯଥାବିଧି ପାଳନ ପାଇଁ ସଂଘ ସରକାରଙ୍କ ନିକଟରେ ଦାବି ରଖିଛି।



