ବଡ ବିଜୟ ଅଭିମୁଖେ ବିଜେଡି

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଚରଣ ଭୋଟଗଣତିରେ ବିଜେଡ଼ି ବାଜିମାତ୍ କରିବାକୁ ଯାଉଛି, ହେଲେ ପ୍ରମୁଖ ବିରୋଧୀ ବିଜେପି ଧରାଶାୟୀ ହୋଇଛି। ପ୍ରଥମ ଦିନର ରାତି ୯ଟା ସୁଦ୍ଧା ମିଳିଥିବା ବିବରଣୀ ଅନୁସାରେ ରାଜ୍ୟର ପ୍ରାୟ ୧୬ଟି ଜିଲାରେ ବିଜେପି ଖାତା ଖୋଲି ପାରି ନଥିବାବେଳେ କଂଗ୍ରେସ ୨୦୧୭ ନିର୍ବାଚନ ତୁଳନାରେ ଢେର ପଛରେ ରହିଛି ଏବଂ ସ୍ଥିତି ରକ୍ଷା ପାଇଁ ପ୍ରୟାସ ଜାରି ରଖିଛି। ୨୦୧୭ରେ ୮୪୬ଜିଲାପରିଷଦ ଆସନରୁ ବିଜେପି ୨୯୭ ଆସନରେ ବିଜୟୀ ହୋଇ ଓଡ଼ିଶାର ଦ୍ବିତୀୟ ବୃହତ ଦଳ ଭାବେ ମୁଣ୍ଡଟେକିଥିଲା। ହେଲେ ଚଳିତ ନିର୍ବାଚନରେ ଦଳର ଏପର୍ଯ୍ୟନ୍ତ ମିଳିଥିବା ବିବରଣୀରୁ ନୈରାଶ୍ୟଜନକ ପ୍ରଦର୍ଶନ ଲକ୍ଷ୍ୟ କରାଯାଇଛି। ହସ୍ତଗତ ବିବରଣୀ ଅନୁଯାୟୀ ବିଜେପି କେତେକ ଜିଲାରେ ଖାତା ଖୋଲିବାର ସୁଯୋଗ ପାଇନାହିଁ। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ସ୍ବର ଉତ୍ତୋଳନ କରିଥିଲେ ହେଁ ଲୋକଙ୍କ ଉପରେ ଏସବୁର ପ୍ରଭାବ ପଡ଼ିନାହିଁ। ଅନ୍ୟପକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗୋଟି ଚାଳନା ଏପର୍ଯ୍ୟନ୍ତ ଅପ୍ରତିହତ ରହିଛି।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଶନିବାର ୩୧୫ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି। ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ସମସ୍ତ ୩୧୫ ଜିଲା ପରିଷଦ ଆସନ ମଧ୍ୟରୁ ୨୭୫ଟିରେ ବିଜେଡ଼ି ଆଗୁଆ ରହିଥିବାବେଳେ ବିଜେପି ମାତ୍ର ୨୧ଟିରେ ଆଗରେ ଥିଲା। କଂଗ୍ରେସ ୧୪ଟିରେ, ଗୋଟିଏରେ ସ୍ବାଧୀନ ଏବଂ ଅନ୍ୟାନ୍ୟ ଦଳ ୫ଟି ଜିଲା ପରିଷଦ ଆସନରେ ଆଗରେ ଥିଲା। ତେବେ ରାତି ୯ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ବିଜେଡି ୨୭୯, ବିଜେପି ୧୭, କଂଗ୍ରେସ ୧୪, ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ ଆଗୁଆ ଥିଲେ।

୨୦୧୭ ପଞ୍ଚାୟତ ନିର୍ବାଚନରେ ୮୪୬ଟି ଜିଲା ପରିଷଦ ଆସନରୁ ଶାସକଦଳ ବିଜେଡ଼ିକୁ ସର୍ବାଧିକ ୪୭୩ଟି ମିଳିଥିବାବେଳେ ବିଜେପିକୁ ଦ୍ବିତୀୟ ସର୍ବବୃହତ୍ ଦଳ ଭାବେ ୨୯୭ଟି ଆସନ ମିଳିଥିଲା। କଂଗ୍ରେସ ୬୦ଟି ଆସନରେ ସନ୍ତୁଷ୍ଟ ହୋଇଥିଲା। ମାତ୍ର ଏଥର ପ୍ରଥମ ଚରଣ ଭୋଟଗଣତି ଧାରାରୁ ଜଣାଯାଇଛି ଯେ ୮୫ପ୍ରତିଶତ ଜିଲା ପରିଷଦ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗରେ ଅଛନ୍ତି। ସବୁଠାରୁ ବଡ଼କଥା ହେଲା ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଭଳି ଜିଲାରେ ଯେଉଁଠି ବିଜେପିର ପତିଆରା ଥିଲା ସେଠାରେ ଦଳକୁ ପରାଜୟର ସାମନା କରିବାକୁ ପଡିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଭଦ୍ରକ, ଦେବଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ପୁରୀ, ରାୟଗଡା, ସୁବର୍ଣ୍ଣପୁରରେ ଖାତା ଖୋଲିବାକୁ ବିଜେପି ସକ୍ଷମ ହୋଇନାହିଁ। ଗଣତି ପ୍ରକ୍ରିୟା ଏବେ ଜାରି ରହିଛି। ପରବର୍ତ୍ତୀ
କାଳରେ ଏ ଚିତ୍ର ବଦଳି ଯିବାର ସମ୍ଭାବନା ରହିଛି। ସମ୍ପୂର୍ଣ୍ଣ ଚିତ୍ର ମିଳିବା ପରେ କିଏ କେଉଁଠାରେ ଜିତିଲା ଏବଂ କେଉଁ ଜିଲାରେ କେଉଁଦଳ ଜିଲାପରିଷଦ ଅଧ୍ୟକ୍ଷ ଆସନ ହାତେଇବ ତାହା ସ୍ପଷ୍ଟ ହେବ। ଆଜି ଓ ସୋମବାର ଭୋଟ ଗଣତି ପରେ ରାଜ୍ୟର ସ୍ପଷ୍ଟଚିତ୍ର ମିଳିପାରିବ।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଜିଲା ପରିଷଦ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲା ବିଜେପି। ଅପ୍ରତ୍ୟାଶିତ ଫଳ ବି ହାସଲ କରିଥିଲା। ୨୦୧୨ରେ ୩୬ରୁ ୨୦୧୭ରେ ବିଜେପି ୨୯୭କୁ ଡେଇଁବା ନିଶ୍ଚିତ ଭାବେ ଥିଲା ଆଶ୍ଚର୍ଯ୍ୟ କଲାଭଳି ଘଟଣା। କିନ୍ତୁ ଏଥର ନିର୍ବାଚନର ସମୁଦାୟ ଫଳାଫଳ ଘୋଷଣା ହୋଇନଥିଲେ ହେଁ ପ୍ରଥମ ଦିନରେ ୩୧୫ ଆସନର ଫଳାଫଳ ସଂକେତ ହେଉଛି ଯେ ଶାସକ ଦଳ ବିଜେଡି ପ୍ରାୟ ୮୦% ଆସନ ପୋଛିନେଇପାରେ।

ନିର୍ବାଚନ ସମୀକ୍ଷାକାଳରେ ଅନେକ ଅକଳନ କରୁଥଲେ ଏଥର କଂଗ୍ରେସ ଧରାଶାୟୀ ହୋଇଯିବ, କିନ୍ତୁ ବିଜେପି ଉପରେ ଆଶା ରଖିଥିଲେ। ବିଜେପି ପାଇଁ ବିଡମ୍ବନାର ବିଷୟ ହେଲା ୨୦୧୭ରେ ବିଜେପି ଯେଉଁସବୁ ଜିଲାରୁ ସ୍ପଷ୍ଟ ବହୁମତ ପାଇ ଜିଲା ପରିଷଦ ଗଠନ କରିଥିଲା, ସେଠାରେ ଏବେ ଚିତ୍‌ପଟାଙ୍ଗ ମାରିବାକୁ ଯାଉଛି। ବିଶେଷ କରି ପଶ୍ଚିମ ଓ ଉତ୍ତର ଓଡ଼ିଶାରୁ ଏପର୍ଯ୍ୟନ୍ତ ମିଳିଥିବା‌ ଫଳାଫଳ ବିଜେପି ଶିବିରରେ ନୈରାଶ୍ୟ ଖେଳାଇଦେଇଛି। ତଥାପି ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଆଗାମୀ ଦୁଇଦିନର ଚୂଡ଼ାନ୍ତ ଫଳାଫଳକୁ ପ୍ରତୀକ୍ଷା କରିଛନ୍ତି।

ସବୁଠୁ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ଏହାର ଗଡ ଦକ୍ଷିଣରେ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ସଂଗ୍ରାମ କରୁଛି। ପୂର୍ବତନ ସାଂସଦ ପ୍ରଦୀପ ମାଝି କଂଗ୍ରେସ ଛାଡିବା ପରେ କୋରାପୁଟ, ଜୟପୁର, ନବରଙ୍ଗପୁର, ରାୟଗଡା ଓ ମାଲକାନଗିରିରେ କଂଗ୍ରେସର ପ୍ରଭାବ ଦୁର୍ବଳ ରହିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଜଣାପଡୁଛି କଂଗ୍ରେସ ସହିତ ବିଜେପି ମଧ୍ୟ ପରାଜୟ ଭୋଗିବାକୁ ଯାଉଛି। ବର୍ତ୍ତମାନର ଫଳାଫଳ ଧାରା କହୁଛି କୋରାପୁଟ ଏବଂ ରାୟଗଡାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଚାଲିଛି। ବିଜେଡି ଆଗରେ ଥିବାବେଳେ ଦ୍ବିତୀୟରେ ରହିଛି କଂଗ୍ରେସ। ରାୟଗଡାରେ ମଧ୍ୟ ଅନୁରୂପ ସ୍ଥିତି। ସୁନ୍ଦରଗଡ, ବଲାଙ୍ଗିର, ସମ୍ବଲପୁର, ସୁବର୍ଣ୍ଣପୁର ଆଦି ଜିଲାରେ ଯେଉଁଠି ଗତ ନିର୍ବାଚନରେ ବିଜେପି ଆଶାତୀତ ସଫଳତା ପାଇଥିଲା ଏଥର ପ୍ରଥମ ଦିନର ଗଣନା ତଥ୍ୟ କହୁଛି ସବୁଠି ବିଜେପିର ଫଳ ଅତ୍ୟନ୍ତ ନୈରାଶ୍ୟଜନକ।

ବିଶେଷ କରି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାଠାରୁ ଆରମ୍ଭ କରି ପୂର୍ବରୁ ଘଟିଥିବା ମାହାଙ୍ଗା ହତ୍ୟାକାଣ୍ଡ ଏବଂ ନୟାଗଡର ପରୀ ହତ୍ୟା ମାମଲାକୁ ପ୍ରସଙ୍ଗ କରି ବିରୋଧୀ ବିଜେପି ଓ କଂଗ୍ରେସ ଯେଭଳି ଢଙ୍ଗରେ ରାଜ୍ୟବ୍ୟାପୀ ବିକ୍ଷୋଭ, ଶୋଭାଯାତ୍ରା, ବନ୍ଦ ଓ ବିରୋଧ ପ୍ରଦର୍ଶନ କରିଥିଲେ ସେସବୁର କୌଣସି ପ୍ରଭାବ ଭୋଟରେ ପ୍ରତିଫଳିତ ହୋଇନାହିଁ। ଶାସକ ବିଜେଡି ବିରୋଧରେ ବିରୋଧୀଙ୍କ କୌଣସି ପ୍ରସଙ୍ଗ ନିର୍ବାଚନକୁ ଆଦୌ ପ୍ରଭାବିତ କରିପାରିନାହିଁ।

Comments are closed.