ଶତକ ମାରିଲା ପିଆଜ ଦର, ଟ୍ବିନ୍ସିଟିରେ ଶହେ ଛୁଇଁଲା
ଭୁବନେଶ୍ବର: ପଖାଳ କଂସାକୁ ଭୟକଲେଣି ଖଟିଖିଆ ଦିନ ମଜୁରିଆ। କାରଣ ପଖାଳ ସାଙ୍ଗକୁ ଖୋଜା ପଡୁଥିବା ପିଆଜ ଏବେ ଅମୂଲ ମୂଲ । ଖାଲି ଏହି ଶ୍ରମିକ ଶ୍ରେଣୀର ଲୋକେ କାହିଁକି; ଶୀତୁଆ ସକାଳରେ ପଖାଳ ଖୋଜୁଥିବା ସବୁ ଶ୍ରେଣୀର ଲୋକେ ପିଆଜ ଦର ବୃଦ୍ଧି ମାଡ଼ରେ ଚେପା । ଶନିବାର ରାଜ୍ୟର ସବୁଆଡେ ପିଆଜକୁ ନେଇ ଚର୍ଚ୍ଚା । କିଏ କହୁଥିଲା କିଲୋ ଶହେ ଛୁଇଁବ ତ କିଏ କହୁଥିଲା ଶହେ ଟପିବ । ଧୀରେ ଧୀରେ ଏହି ଆଶଙ୍କା ସତ ହେବାକୁ ଯାଉଛି । ଗତକାଲି ସନ୍ଧ୍ୟାରେ ୮୫ଟଙ୍କା ଥିବା ପିଆଜର କିଲୋପ୍ରତି ଦର ଆଜି ଉଭୟ କଟକ ଏବଂ ଭୁବନେଶ୍ବରରେ ଶହେ ଛୁଇଁଛି । ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ଏଯାଏ କେନ୍ଦ୍ର ହେଉ କି ରାଜ୍ୟ ସରକାର, କୌଣସି ପଦକ୍ଷେପ ଗ୍ରହଣ କରୁଥିବା ମନେ ହେଉନାହିଁ । ବିଗତ କିଛି ଦିନ ହେବ ସରକାର ଗଢିବା ପାଇଁ ମହାରାଷ୍ଟ୍ର ରାଜନୀତି ଉପରେ ବେଶ ପ୍ରାଥମିକତା ଦେଉଥିବା କେନ୍ଦ୍ର ସରକାରଙ୍କ ନିକଟରେ ଖାଉଟିଙ୍କ କଷ୍ଟ ଏଯାଏ ପହଞ୍ଚିପାରିନାହିଁ । ଅନ୍ୟପକ୍ଷରେ ପୂର୍ବରୁ ପିଆଜ ମିଶନ୍ ନାରା ଦେଇଥିବା ରାଜ୍ୟ ସରକାର ବି ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ନିରବ । ବିଚାରା ଖାଉଟି କେବେ ଦର ଖସିବ ସେହି ଦିନକୁ ଚାହିଁବସିଛି । ଏଭଳି ଆକାଶଛୁଆଁ ଦର ବୃଦ୍ଧି ପରେ ଶୁକ୍ରବାର କଟକ ଛତ୍ରବଜାରକୁ ପିଆଜ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ସେଠାକୁ ଆଜି ବାହାର ରାଜ୍ୟରୁ ଗୋଟିଏ ବି ଟ୍ରକ ପିଆଜ ଆସିନାହିଁ। ଏହି ପରିସ୍ଥିତିରେ କଟକ ସହର ଉପରେ ନିର୍ଭର କରୁଥିବା ଛୋଟ ସହରଗୁଡିକରେ ଆଗକୁ ପିଆଜ ଦର ଆଉ ଅଧିକ ବୃଦ୍ଧି ନ ଘଟିବ ସେ ନେଇ ଅନେକ ଆଶଙ୍କା ପ୍ରକାଶ କରିଛନ୍ତି । ଉତ୍ପାଦନ ସ୍ଥଳରୁ କମିବାରେ ଲାଗିଛି ପିଆଜ ଯୋଗାଣ । ଲଗାଣ ବର୍ଷା ଯୋଗୁ ଚଳିତବର୍ଷ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏଭଳି ସ୍ଥିତିରେ ଦେଶର ଭୁବନେଶ୍ବର ଏବଂ ଚେନ୍ନଇ ଭଳି କେତେକ ସହରରେ ପିଆଜ କିଲୋ ୧୦୦ ଟଙ୍କା ନିକଟତର ହୋଇଛି । ଦୁଇ ଦିନ ତଳେ ବିଦେଶରୁ ୧.୨ ଲକ୍ଷ ଟନ୍ ପିଆଜ ଆମଦାନୀ କରିବାକୁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା । ରାଷ୍ଟ୍ରାୟତ୍ତ ଏମ୍ଏମ୍ଟିସି ଜରିଆରେ ୧ ଲକ୍ଷ ଟନ୍ର ପିଆଜ ଆମଦାନୀ କରାଯିବ ବୋଲି କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସ୍ବନ କହିଥିଲେ । ଏହା ପୂର୍ବରୁ ୪୦୦୦ ଟନ୍ ପିଆଜ ଆମଦାନୀ କରିବାକୁ ସରକାର ବିଶ୍ବ ସ୍ତରୀୟ ଟେଣ୍ଡର କରିସାରିଛନ୍ତି । ତେବେ ଠିକଣା ବେଳକୁ ସବୁ ଯୋଜନା ଫେଲ୍ । ଅର୍ଥାତ୍ ଯେତେବେଳେ ପିଆଜ ଦର ଶହେ ଛୁଇଁବାକୁ ବସିଛି ସେତେବେଳେ ସରକାରଙ୍କ ଏହି ସବୁ ଯୋଜନା କୁଆଡେ ଗଲା ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି । ପ୍ରତ୍ୟେକ ବର୍ଷ ପିଆଜ ଦର ଉଚ୍ଚା ରହୁଥିବା ଯୋଗୁ କେନ୍ଦ୍ର ସରକାର ଚଳିତବର୍ଷ ଢେର ପୂର୍ବରୁ ଏ ନେଇ ସତର୍କତା ପଦକ୍ଷେପ ଗ୍ରହଣ କରିପାରିଥାନ୍ତେ ା ଅନ୍ୟପକ୍ଷରେ ସରକାର ପିଆଜ ରପ୍ତାନିକାରୀଙ୍କୁ ଖୁସି କରିବାକୁ ରପ୍ତାନି ଅନୁମତିକୁ ବହୁ ଆଗରୁ ମଧ୍ୟ ବନ୍ଦ କରିପାରିଥାନ୍ତେ ା ହୁଏତ କେନ୍ଦ୍ର ସରକାରଙ୍କୁ ଖାଉଟିଙ୍କ ସ୍ବାର୍ଥ ଅପେକ୍ଷା ରପ୍ତାନିକାରୀଙ୍କ ସ୍ବାର୍ଥ ଅଧିକ ଗୁରୁତ୍ବ ଥିବା ହୃଦ୍ବୋଧ ହୋଇଛି । ନିକଟରେ ମାଙ୍ଗାଲୁରୁକୁ ଇଜିପ୍ଟରୁ ଆମଦାନୀ ହୋଇଥିବା ପିଆଜର ବେଶ ନିମ୍ନମାନର ଥିଲା । ଏହାର ପ୍ରତି ପିଆଜ ପ୍ରାୟ ୨୫୦ ଗ୍ରାମ ହେବ, କିନ୍ତୁ ଏହାର ମାନ ବେଶ ଖରାପ ରହିଥିବା ପ୍ରଥମ ପର୍ଯ୍ୟାୟ ଆମଦାନୀ ହାସଲ କରିଥିବା ଜଣେ ବ୍ୟବସାୟୀ କହିଛନ୍ତି ।
ଭୁବନେଶ୍ବର ଆଇଗିଣିଆକୁ ପୂର୍ବରୁ ଶନିବାର ମାତ୍ର ୭ ଗାଡି ଅର୍ଥାତ୍ ପାଖପାଖି ୧୫୦ ଟନ୍ ପିଆଜ ଆସିଛି । କୌତୂହଳର ବିଷୟ ହେଉଛି ଆଜି ଛତ୍ରବଜାରକୁ ଗୋଟିଏ ବି ଗାଡି ପିଆଜ ଆସିନାହିଁ । ଆଇଗିଣିଆଠାରେ ଶୁକ୍ରବାର ପିଆଜ ଦର କ୍ବିଣ୍ଟାଲ ପିଛା ୬୫୦୦ରୁ୭୦୦୦ ଟଙ୍କା ରହିଥିବାବେଳେ ଶନିବାର ସନ୍ଧ୍ୟାରେ ଏହା ୮୦୦୦-୮୫୦୦ ଟଙ୍କାକୁ ବୃଦ୍ଧି ଘଟିଥିବା କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାତ୍ର ୩ ଦିନ ମଧ୍ୟରେ ପିଆଜର ପାଇକାରୀ ଦର କ୍ବିଣ୍ଟାଲ ପିଛା ପାଖାପାଖି ୨୦୦୦ ଟଙ୍କା ବୃଦ୍ଧି ଘଟିଲାଣି । ଏହା ଫଳରେ ରାଜଧାନୀର ଖୁଚୁରା ବଜାରରେ ଆଜି ପିଆଜ କିଲୋ ୯୦-୯୫ ଟଙ୍କାରେ ବିକ୍ରି ହୋଇଛି । ତେବେ କଟକରେ ମଧ୍ୟ ଭୁବନେଶ୍ବର ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । କଟକରେ ଶନିବାର ସକାଳୁ ପିଆଜ କିଲୋ ୯୦ ଟଙ୍କା ଉପରେ ବିକ୍ରି ହେଉଛି । ତେବେ କଟକ-ଭୁବନେଶ୍ବରର କେତେକ ଖୁଚୁରା ବେପାରୀ ଶନିବାର ପିଆଜ କିଲୋ ୧୦୦ଟଙ୍କାରେ ବିକ୍ରି କରିଛନ୍ତି। ଛତ୍ରବଜାରକୁ ପିଆଜ ଗାଡି ନ ଆସିବା ଯୋଗୁ ସେଠାରେ ଆସନ୍ତାକାଲିକୁ ଦର କ’ଣ ହେବ ତାହାକୁ ନେଇ ଏବେ ଉଭୟ ବ୍ୟବସାୟୀ ଆଉ ଖାଉଟି ଆଶଙ୍କାରେ ରହିଥିବା ଛତ୍ରବଜାର ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଅନ୍ୟପକ୍ଷରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ଯୋଗାଣ ବିଭାଗର ଦୁଇଟି ଟିମ୍ ରାଜଧାନୀର ୪ ନମ୍ବର, ୧ ନମ୍ବର ଏବଂ ଇନ୍ଦ୍ରଧନୂ ମାର୍କେଟ୍ରେ ଦର ନିରୀକ୍ଷଣ କରିଛନ୍ତି ।
Comments are closed.