ସମ୍ବଲପୁର: ଆସନ୍ତା ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉଦ୍ୟୋଗୀ ସପ୍ତାହ ଅବସରରେ ସମ୍ବଲପୁର ଠାରେ ଉଦ୍ୟୋଗ ମେଳା ଆୟୋଜିତ ହେବ। ଏ ସର୍ମ୍ପକରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସମ୍ବଲପୁର ଠାରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଏମ କୃଷ୍ଣଚନ୍ଦ୍ର ନାୟକ ଏହି ଉଦ୍ୟୋଗ ମେଳା ସର୍ମ୍ପକରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା ୫ ରୁ ୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରର ଅଇଁଠାପାଲି ସ୍ଥିତ ପିଏଚଡି ପଡ଼ିଆ ଠାରେ ଉଦ୍ୟୋଗ ମେଳା ଆୟୋଜିତ ହେବ। ଏଥିରେ ୮୦ଟି ଷ୍ଟଲରେ ସ୍ଥାନୀୟ କ୍ଷୁଦ୍ର, ଅତିକ୍ଷୁଦ୍ର, ପିଏମଇଜିପି, ପିଏମଏଫଏମଇ, ଷ୍ଟାଟଅଫ, ସ୍ୱୟଂସହାୟକ ଗୋଷ୍ଠୀ, ଶିଳ୍ପ ସମୁହ ଆଦି ଙ୍କୁ ମାଗଣାରେ ସ୍ଥାନ ଦିଆଯିବ। ଏହି ଷ୍ଟଲ ଗୁଡିକ ମାଧ୍ୟମରେ ସେମାନେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ। ଏତଦବ୍ୟତିତ ବ୍ୟାଙ୍କ, ଆଟିଆଇ, ପଲିଟେକନିକ କେନ୍ଦ୍ର ଆଦି ସେମାନଙ୍କର ପ୍ରକଳ୍ପ ଗୁଡିକୁ ଅନ୍ୟ ଷ୍ଟଲ ଗୁଡିକରେ ପ୍ରଦର୍ଶନ କରିବେ। ସକାଳ ସମୟରେ ବିଭିନ୍ନ ସନରାଇଜ ସେକ୍ଟର, ମେଟାଲ ଓ ଡାଉନଷ୍ଟ୍ରିମ ସେକ୍ଟର, ଆର୍ଥିକ ଅନୁଷ୍ଠାନ ଆଦି ଙ୍କୁ ନେଇ ସେମିନାର ଆଦି ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଇଟିଆଇ, ପଲିଟେକନିକ ଓ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନଙ୍କୁ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ସକାଳ ୧୦ଟା ୩୦ ରୁ ରାତ୍ର ୯ଟା ପର୍ଯ୍ୟନ୍ତ ଜାରି ରହିବ। ନୂତନ ଉଦ୍ୟୋଗୀ ମାନଙ୍କୁ ମଞ୍ଜୁରୀ କାଗଜପତ୍ର ମଧ୍ୟ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ। ଏଥି ସହ ହୋଲି ପାଇଁ ୮ ତାରିଖରେ ସେମିନାର ଆୟୋଜିତ ହେବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ମେଳାରେ ଜିଲା ପ୍ରଶାସନ ଓ ଡିଷ୍ଟ୍ରିକ୍ଟ ଇନଭେଷ୍ଟମେଣ୍ଟ ପ୍ରୋମୋସନ ଏଜେନ୍ସି ଗୁଡିକ ସହାୟତା କରୁଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସମ୍ବଲପୁରର ନଳିନୀ ରଞ୍ଜନ ମହାନ୍ତି, ସୌରଭ ମିଶ୍ର, ପ୍ରଦ୍ୟୋତ ମିଶ୍ର, ନୟନ କୁମାର ଯୋଶୀ, ସଞ୍ଜୀବ କୁମାର ମଲ୍ଲିକ ଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
Popular Categories



