ସମ୍ବଲପୁର: ଭାରତର କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥଙ୍କ ସମାଗମ କେନଘାଟି ସ୍ଥିତ ଶ୍ରୀରାମ ବାଟିକା ଠାରେ ହୋଇଥିବା ବେଳେ ଏଠାରେ କୁମ୍ଭମେଳାର ଅନୁଭବ ଦେଇଛି ବୋଲି ଶ୍ରଦ୍ଧାଳୁ ମାନେ ମତ ଦେଇଛନ୍ତି। ୨୪ ପ୍ରହରୀ ନାମଯଜ୍ଞ୍ ଜାରି ରହିଥିବା ବେଳେ ଶନିବାର ମାଧ୍ୟାନ୍ନରେ ସାଧୁସନ୍ଥ ସେବା କାର୍ଯ୍ୟକ୍ରମ ଶ୍ରୀରାମ ବଟିକାରେ ଅନୁଷ୍ଠିତ ହୋଇ ଯାଇଛି। ମହନ୍ତ, ମହାମଣ୍ଡଳେଶ୍ୱର, ନାଗାବାବାଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ବ ସାଧୁସନ୍ଥ ସେବା ଶ୍ରୀରାମ ବାଟିକାରେ କରାଯାଇଥିଲା। ସାଧୁସନ୍ଥଙ୍କ ଗୋଡ଼ ଧୋଇବା, ଚନ୍ଦନ ସିନ୍ଦୁର ଲଗାଇ ବସ୍ତ୍ର ପ୍ରଦାନ ସହିତ ଦକ୍ଷିଣା ଆକାରରେ ସାମର୍ଥ୍ୟ ଅନୁଯାୟୀ ଅର୍ଥ ଦାନ କରାଯାଇଥିଲା। ସାଧୁ ସେବା ଦେଖିବାକୁ ଆସିଥିବା ଭକ୍ତ ମାନେ ମଧ୍ୟ ଏହି ସେବାରେ ନିଜ ତରଫରୁ ଦକ୍ଷିଣା ପ୍ରଦାନ କରିଥିଲେ। ସମାଜସେବୀ ଶତ୍ରୁଘନ ଲାଲ ସାହା ଓ ତାଙ୍କ ପରିବାର ପ୍ରତିବର୍ଷ ଏହିଭଳି ଭାବେ ଶ୍ରୀରାମ ବାଟିକାରେ ଚବିଶି ପ୍ରହରୀ ନାମଯଜ୍ଞର ଆୟୋଜନ କରିବା ସହ ସାଧୁସନ୍ଥଙ୍କ ସେବା କରିଥାନ୍ତି। ଏକ ସାଙ୍ଗରେ ଏତେ ସଂଖ୍ୟକ ସାଧୁଙ୍କୁ ଦେଖିବା ପାଇଁ ଶ୍ରୀରାମ ବାଟିକାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଗହଳି ଲାଗିଥିଲା। ନାମଯଜ୍ଞ ସ୍ଥଳୀରେ ଦୂର ଦୁରାନ୍ତରୁ ଆସିଥିବା ସାଧୁସନ୍ଥଙ୍କୁ ସେବା ଓ ସମ୍ମାନ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରବିବାର ୨୪ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ ଓ ନଗର କୀର୍ତ୍ତନ କରାଯିବ ବୋଲି ମୁଖ୍ୟ ଆୟୋଜକ ସିଦ୍ଧାର୍ଥ ସାହା କହିଛନ୍ତି। ପୂର୍ଣ୍ଣାହୁତି ପରେ ସମସ୍ତ ସାଧୁସନ୍ଥ ନିଜ ନିଜ ଆଶ୍ରମକୁ ଫେରିଯିବେ। ଯେଉଁ ସାଧୁସନ୍ଥ ଓ ନାଗାବାବା ମାନେ ମହାକୁମ୍ଭରୁ ସିଧାସଳଖ ଶ୍ରୀରାମ ବାଟିକା ଆସିଛନ୍ତି ସେମାନଙ୍କୁ ଦର୍ଶନ କରିବାର ସୁଯୋଗ ନେବାକୁ ମଧ୍ୟ ଶ୍ରୀ ସାହା ଅନୁରୋଧ କରିଛନ୍ତି।
Popular Categories



