ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକରେ ଅବସ୍ଥାପିତ ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ତ୍ତବ୍ୟରେ ଗୁରୁତର ଅବହେଳା କରୁଥିବାରୁ ତାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ସୁପାରିଶ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ସୂଚନା ଦେଇଛନ୍ତି। ଗତ ଦୁଇ ସପ୍ତାହ ହେଲା ନିର୍ଦ୍ଦେଶକଙ୍କ ପାଖକୁ ଏସଂକ୍ରାନ୍ତରେ ଚିଠି ମାଧ୍ୟମରେ ସୁପାରିଶ କରାଯାଇଛି ବୋଲି ଶ୍ରୀମତୀ ମଙ୍ଗଳ କହିଛନ୍ତି।
ନଭେମ୍ବର ୧୩ ତାରିଖ ବୁଧବାର ଦିନ ଦୈନିକ “ସମାଜ”ରେ “ବ୍ଳକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା” ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ତତ୍ପରତା ପ୍ରକାଶ କରି ପ୍ରକାଶିତ ଖବରରେ ଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଜିଲ୍ଲାର ଦୁଇ ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ନଭେମ୍ବର ୨୦ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅଧିକାର ଆଇନରୁ ପ୍ରାପ୍ତ ତଥ୍ଯ ଅନୁଯାୟୀ ରେଙ୍ଗାଲି ବ୍ଲକର ଶିକ୍ଷା ଅଧିକାରୀ ଜୀଵନ କିଶୋର ବାରୱା ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ବ୍ଲକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ୫୩ ବୈଠକ ଓ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ମାତ୍ର ୫ଟି ରେ ଯୋଗ ଦେଇଥିବା ବେଳେ ଏହି ସମୟ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆୟୋଜିତ ୯ଟି ବୈଠକ ତଥା କାର୍ଯ୍ୟକ୍ରମରୁ ମାତ୍ର ଗୋଟିଏ ବୈଠକରେ ଯୋଗ ଦେଇଛନ୍ତି। ଶ୍ରୀ ବାରୱା ମାସକୁ ୧୨/୧୪ ଦିନ ଅଫିସକୁ ଆସୁଥିବା ଏବଂ ବିନା ଛୁଟିରେ ଅନୁପସ୍ଥିତ ରହୁଥିବାରୁ ଅଫିସ କାମ ତ୍ୱରାନ୍ୱିତ ହେଉ ନଥିବାର ଅଭିଯୋଗ ହେଉଛି।
ଅପର ପକ୍ଷରେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନକୁ ଏଡାଇବା ପାଇଁ ରେଙ୍ଗାଲି ବିଇଓ ଜୀବନ କିଶୋର ବାରୱା ଗତ ନଭେମ୍ବର ୨୫ ତାରିଖରୁ ଚଳିତ ମାସ ୩୧ତାରିଖ ପର୍ଯ୍ୟନ୍ତ ଲମ୍ବା ଛୁଟିରେ ଅଛନ୍ତି।



