ଜନଜାତୀୟ ଗୌରବ ଦିବସ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ

ମାଲକାନଗିରି: ଧରତୀ ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଡିଏନକେ ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ ଜନ ଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଉପସ୍ଥିତ ଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ମହାଲିଙ୍ଗ ବିର୍ସା ମୁଣ୍ଡାଙ୍କ ବୀରତ୍ଵର ଗାଥା ମନେ ପକାଇଥିଲେ। ସେ କହିଥିଲେ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ତଥା ଏଠାରେ ବସବାସ କରୁଥିବା ଜନଜାତିଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବଦ୍ଧ ପରିକର। ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କର ଅଧିକାର ରହିଛି ବୋଲି ସେ କହିଛନ୍ତି।

ଆଜି ସ୍ବାସ୍ଥ୍ୟ ବିଭାଗର ୨୪ ଟି ନୂତନ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସହ ମାଥିଲି ଓ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଦୁଇଟି ଡ଼ାଏଲେସିସ ୟୁନିଟର ଶିଳାନ୍ୟାସ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। କୋଠା ନିର୍ମାଣ ନିମନ୍ତେ ୧୬୭ କୋଟି ଓ ଡ଼ାଏଲେସିସ ୟୁନିଟ ନିମନ୍ତେ ୧ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହା ସ୍ଥାପନ ହେବା ଦ୍ଵାରା ଜିଲ୍ଲାରେ ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଜିଲ୍ଲା ଆଦିବାସୀ ମହସଂଘ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜନଜାତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

Comments are closed.