ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଛକ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖା ଦେବା ସହ ଛକର ଦୁଇ ପାର୍ଶ୍ଵରେ ଉଠା ଦୋକାନୀଙ୍କ ଭିଡ଼ ଯୋଗୁଁ ବିପଦକୁ ବରଣ ସଦୃଶ୍ୟ ପରିସ୍ଥିତି ସୃଷ୍ଟି ହୋଇଛି। କରାପଲ୍ଲୀ ଅଞ୍ଚଳଟି ପରିବା ମାର୍କେଟ ଭାବରେ ପରିଚିତ ରହିଥିବା ସହ ଗୋପାଳପୁର ବ୍ରହ୍ମପୁର ମୁଖ୍ୟ ରାସ୍ତା କଡ଼ରେ ରହିଛି। ପ୍ରତିଦିନ ସକାଳୁ ରାତି ଯାଏଁ କରାପଲ୍ଲୀ ସମେତ ଆଖପାଖ ମାଣ୍ଡିଆ ପଲ୍ଲୀ,ବକ୍ସିପଲ୍ଲି,ଗୋଳାବନ୍ଧ ପ୍ରଭୃତି ଅଞ୍ଚଳର ପରିବା ଉତ୍ପାଦନ କାରୀ ମାନେ ସେମାନଙ୍କ ଉତ୍ପାଦିତ ପରିବା ଆଦିକୁ ବିକ୍ରି କରିବା ପାଇଁ ଏଠାରେ ଭିଡ଼ ଜମାଇଥାନ୍ତି। ଏହା ସହ ସ୍ଥାନୀୟ ପରିବା ବ୍ୟବସାୟୀ ମାନେ ମଧ୍ୟ ବ୍ୟବସାୟ କରିଥାନ୍ତି। ଯାହାଫଳରେ ଦିନ ତମାମ ଲୋକଙ୍କ ଗହଳିଚହଳି ଲାଗିଥାଏ। ବିଶେଷ କରି ସକାଳ ୬ଟାରୁ ୧୧ଟା ସମେତ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଛକ ଠାରେ ଗହଳି ଲାଗିଥାଏ। ଛକ ଅଞ୍ଚଳଟି ଗୋପାଳପୁର-ବ୍ରହ୍ମପୁର ମୁଖ୍ୟ ରାସ୍ତା କଡ଼ରେ ରହିଥିବାରୁ ଦିନ ତମାମ ଏହି ରାସ୍ତାରେ ଅନେକ ଗାଡ଼ି ମୋଟର ଯାତାୟାତ ମଧ୍ୟ କରିଥାନ୍ତି। ଭଞବିହାର ଫାଣ୍ଡି ଠାରୁ ମାତ୍ର ୫୦୦ ମିଟର ଦୂରରେ ଛକ ଅଞ୍ଚଳଟି ରହିଥିଲେ ସୁଦ୍ଧା ଏଠାରେ ପୁଲିସ ଅନୁପସ୍ଥିତି ଯୋଗୁଁ ଅନେକ ସମୟରେ ଟ୍ରାଫିକ ଅବ୍ୟବସ୍ଥା ଉପୁଜୁଥିବା ସହ ପ୍ରତିଦିନ ଛୋଟବଡ ଦୁର୍ଘଟଣା ମାନ ଘଟୁଥିବା ନଜିର ରହି ଆସିଛି। ପରିବା କିଣିବାକୁ ଆସୁଥିବା ଲୋକମାନେ ନିଜର ଗାଡ଼ି ମଟର ଗୁଡ଼ିକୁ ରାସ୍ତା ଉପରେ ରଖୁଥିବା ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।
ଗୋପାଳପୁର ବ୍ରହ୍ମପୁର ଯାଆସ କରୁଥିବା ସିଟି ବସ୍ ଗୁଡ଼ିକ ମଧ୍ୟ ବସ୍ ଷ୍ଟପ ନାମରେ ରାସ୍ତା ଉପରେ ରଖୁଥିବା ଯୋଗୁଁ ମଧ୍ୟ ଅନେକ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଘଟଣା ନେଇ ଅନେକ ସମୟରେ ଅଞ୍ଚଳବାସୀ ପୁଲିସକୁ ଅବଗତ କରାଉଥିଲେ ମଧ୍ୟ ପୁଲିସ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।



