ଜାତୀୟ ରାଜପଥରେ ଦୁର୍ଘଟଣା, ଜିଅନ୍ତା ଜଳିଗଲେ ମୋଟରସାଇକେଲ ଚାଳକ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ତଥା କନିଷି ଗାଁ ନିକଟରେ ଗୁରୁବାର ରାତିରେ ଦୁର୍ଘଟଣା ଘଟିବା ସହ ମୋଟର ସାଇକେଲ ଚାଳକ ଜଣଙ୍କ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ପଛରେ ବସିଥିବା ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ମୃତକ ଜଣକ ହେଲେ କେ ନୁଆଗାଁ ଥାନା ଅଧିନସ୍ଥ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଅଜିତ କୁମାର ସାହୁ ଓ ଗୁରୁତ୍ୱର ଆହତ ଜଣକ ହେଲେ ରତ୍ନାକର ପାଣିଗ୍ରାହୀ ବୋଲି ସୂଚନା ମିଳିଛି। ଏ ନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରିଛି। ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅଧିନସ୍ଥ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଅଜିତ ଓ ରତ୍ନାକର ବ୍ରହ୍ମପୁର ବଡ଼ ମେଡିକାଲକୁ ମୋଟରସାଇକେଲ ଯୋଗେ ରାତିରେ ବାହାରି ଥିଲେ। ରାତି ପ୍ରାୟ ସାଢେ଼ ୧୧ଟା ବେଳେ ଜାତୀୟ ରାଜପଥ କନିସି ଗ୍ରାମ ଠାରୁ ୨୦୦ ମିଟର ଦୂରରେ ଅଜିତଙ୍କ ମୋଟର ସାଇକେଲକୁ ଏକ ଗାଡି ଧକ୍କା ମାରିଥିଲା ଯା‌ହା ଫଳରୁ ଅଜିତଙ୍କ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହେବା ସହ ମୋଟରସାଇକେଲଟି ରାସ୍ତାରେ ପ୍ରାୟ ୧୦୦ ମିଟର ଘୋଷାଡି ହେବା ଫଳରେ ମୋଟରସାଇକେଲରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ଯୋଗୁଁ ଅଜିତ ଗୁରୁତର ଆହତ ଥିବାରୁ ମୋଟରସାଇକେଲ ସହ ନିଜେ ଜଳି ଯାଇଥିଲେ। ସୈାଭାଗ୍ୟ ବଶତଃ ପଛରେ ବସିଥିବା ରତ୍ନାକର ରାସ୍ତାରେ ଛିଟିକି ହୋଇ ପଡିଯାଇଥିଲେ। ସୂଚନା ପାଇ ଗୋଳନ୍ଥରା ଥାନା ପୋଲିସ ଓ କନିସି ଅଗ୍ନିଶମ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଅଜିତଙ୍କ ଶରୀରର ୭୦ ଭାଗରୁ ଉର୍ଦ୍ଧ୍ୱ ପୋଡି ଯାଇଥିବା ସହ ଛଟ ପଟ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା। ଗୁରୁତର ରତ୍ନାକରକୁ ପୋଲିସ ଓ ଅଗ୍ନିଶମ ଅଧିକାରୀ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଥିଲେ। ପୋଲିସ ଅଜିତଙ୍କ ମୃତ ଦେହକୁ ଉଦ୍ଧାର କରି ବଡ଼ ମେଡିକାଲକୁ ବ୍ୟବଛେଦ ନିମନ୍ତେ ପଠାଇଥିଲା। ଏ ନେଇ ଥାନାରେ ୩୦୮/୨୪ରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି। ଅଜିତଙ୍କ ମୃତ ଦେହକୁ ବ୍ୟବଛେଦ କରି ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟ ପଟେ ଘଟଣାସ୍ଥଳର ନିକଟବର୍ତ୍ତୀ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ଦୁର୍ଘଟଣା କିପରି ଘଟିଲା ତାହା ନେଇ ତଦନ୍ତ ଜାରି ରଖିଛି।

kalyan agarbati

Comments are closed.